ଭୁବନେଶ୍ୱର: ଆଜି ସକାଳେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିବା ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଶନିବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସେ ଓ ତାଙ୍କ ପୁତ୍ର ଅଭିମନ୍ୟୁ ସେଠୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଓ ମନମୋହନ ସାମଲଙ୍କ ଉପସ୍ଥିତିରେ ଯୋଗଦାନ କରିଛନ୍ତି। ଭଦ୍ରକ ଲୋକସଭା ଆସନରୁ ସେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Advertisment

ଏଥିସହ ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ଗତକାଲି ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ।

publive-image

ଶନିବାର ସକାଳେ ବିଜେଡିର କାର୍ଯ୍ୟଧାରା ଉପରେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିବା ସହ ବିଜେଡିରେ ଟିକେଟ ଆବଣ୍ଟନରେ ଅନିୟମିତତା ହୋଇଛି ବୋଲି ଅଭିଯୋଗ କରିଥିଲେ ସାଂସଦ ଅର୍ଜୁନ ସେଠୀ। ସେ ବୟସାଧିକ୍ୟ ହେତୁ ନିର୍ବାଚନ ଲଢ଼ିବେ ନାହିଁ ଓ ତାଙ୍କ ସ୍ଥାନରେ ତାଙ୍କୁ ପୁତ୍ର ଅଭିମନ୍ୟୁଙ୍କୁ ପ୍ରାର୍ଥୀ କରାଯାଉ ବୋଲି ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ। ମାତ୍ର ଅଭିମନ୍ୟୁଙ୍କୁ ଟିକେଟ୍‌ ଦିଆ ନଯାଇ ମଞ୍ଜୁଲତା ମଣ୍ଡଳଙ୍କୁ ବିଜେଡି ଟିକେଟ ଦେଇଥିଲା।

publive-image

ସାଂସଦ ଅର୍ଜୁନ ସେଠୀ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ କହିଥିଲେ, ‘ବିଜେଡି ପ୍ରାର୍ଥୀ ଚୟନରେ ଅନିୟମିତତା ଲକ୍ଷ୍ୟ କରାଯାଇଛି। ଯେଉଁମାନଙ୍କର ଯୋଗ୍ୟତା ନାହିଁ ସେମାନଙ୍କୁ ଟିକେଟ୍‌ ମିଳିଛି, ମୋ ପୁଅକୁ ଚୟନ କରାଗଲାନି, ସେଥିପାଇଁ ମୁଁ ମର୍ମାହତ । ଏବେ ବିଜେଡି ବିଜୁବାବୁଙ୍କ ନୀତି ଆଦର୍ଶକୁ ଭୁଲିଯାଇଛି।’

ସେ ଆହୁରି କହିଥିଲେ ଯେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିବା ଲାଗି ୪ ଘଣ୍ଟା ଅପେକ୍ଷା କରିଥିଲେ ମଧ୍ୟ ସେ ଦେଖା ପାଇପାରିଲେ ନାହିଁ। ସେ ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ କ୍ଷମତା କେନ୍ଦ୍ରମାନେ ତାଙ୍କୁ ଦେଖା କରାଇ ଦେଲେ ନାହିଁ। ଏହା ତାଙ୍କୁ ଖୁବ୍‌ ଆଘାତ ଦେଇଥିଲା । ଏହାପରେ ସେ ଅନୁଭବ କଲେ ଯେ ବିଜେଡି ଲାଗି ଅନାବଶ୍ୟକ ହୋଇ ପଡ଼ିଛନ୍ତି। ତେଣୁ ଇସ୍ତଫା ଦେଇଛନ୍ତି।