ଅହଂକାର ଓ କୃତଜ୍ଞତା

ଅାମ ଘରର ହାଲଚାଲ/ ସୌମ୍ୟରଂଜନ ପଟ୍ଟନାୟକ

୩୩ ବର୍ଷ ତଳେ ‘ବାସି ଖବରର ଯୁଗ ଶେଷ’, ‘ଆଖି ରହିବ ଲାଖି’, ‘ସାତରୁ ସତୁରି ସମସ୍ତେ ଖୁସି’ ଓ ‘ପ୍ରତି ରବିବାର ରଙ୍ଗର ଦିନ’ ହେବ ବୋଲି ପ୍ରତିଶ୍ରୁତି ଦେଇ ‘ସମ୍ବାଦ’ ଆତ୍ମପ୍ରକାଶ କରିଥିଲା। ଆଜି ୩୩ ବର୍ଷ ପରେ ସ୍ୱନକ୍ଷତ୍ରରେ ସେ କଥା ଭାବିଲା ବେଳକୁ ଅନେକଗୁଡ଼ିଏ କଥା ମନକୁ ଆସୁଛି। ଇତିମଧ୍ୟରେ ‘ସମ୍ବାଦ’ ଓଡ଼ିଶାର ସର୍ବାଧିକ ପ୍ରସାରିତ ଓ ପଠିତ ଖବରକାଗଜର ମାନ୍ୟତା ପାଇଛି ଏବଂ ଅନେକ ବର୍ଷ ଧରି ଏହାକୁ ବଜାୟ ରଖିଆସିଛି। ଗୋଟିଏ ଖବରକାଗଜ ପାଇଁ ଏହା ନିଶ୍ଚିତ ଭାବେ ଏକ ଗର୍ବ ଓ ଗୌରବର ବିଷୟ। ଲକ୍ଷ୍ୟ କରିବାର କଥା, ‘ସମ୍ବାଦ’ ପ୍ରକାଶନର ପ୍ରଥମ ପ୍ରତିଶ୍ରୁତିଗୁଡ଼ିକରେ କିଛିଟା ନୂଆ କରିବାର ଇଚ୍ଛା ସହ କିଛି ଅହଂକାରର ଛାପ ଥିଲା। ଆଜି ଆମ ବିଚାରରେ ସେପରି ଅହଂକାରର କୌଣସି ଅବକାଶ ନାହିଁ। ସେଦିନ ଯାହା ସବୁ ନୂଆ ବୋଲି ଆମେ ଅହଂକାର କରୁଥିଲୁ, ସେସବୁ ଆଜି ପୁରୁଣା ହେବା ସହିତ ସାର୍ବଜନୀନ ହୋଇଯାଇଛି। ଆଜିର ଜନ୍ମଦିନ ପାଳନ ଆମ ବିଚାରରେ କେବଳ କୃତଜ୍ଞତା ପ୍ରକାଶ କରିବାର ଏକ ଅବକାଶ ଛଡ଼ା ଅନ୍ୟ କିଛି ନୁହେଁ। ଆମର ଏ ସଫଳତା ପାଇଁ ସର୍ବପ୍ରଥମେ ପାଠକ, ଗ୍ରାହକ, ବିତରକ ଏବଂ ସର୍ବୋପରି ପୃଷ୍ଠପୋଷକ ଓ ବିଜ୍ଞାପନଦାତାଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଖବରକାଗଜ ଅନୁଷ୍ଠାନ ଏକ ସାମୂହିକ ଅନୁଷ୍ଠାନ। ବହୁ ବ୍ୟକ୍ତିଙ୍କ ସମ୍ମିଳିତ ପ୍ରୟାସରେ ଗୋଟିଏ ସଫଳ ଖବରକାଗଜ ମୁଣ୍ଡଟେକି ଛିଡ଼ା ହୋଇଥାଏ। ଏଣୁ ଅନୁଷ୍ଠାନର କର୍ମୀମାନଙ୍କର ଅବଦାନ କିଛି କମ୍‌ ନୁହେଁ। ଅତୀତରେ କହିଛି, ଭାଗ୍ୟରେ ଥିଲେ ଉତ୍ତମ ସହକର୍ମୀ ମିଳନ୍ତି। ଆଜି ଏ ଅବସରରେ ‘ସମ୍ବାଦ ପରିବାର’ର ପୂର୍ବତନ ଓ ବର୍ତ୍ତମାନର ସହକର୍ମୀମାନଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଉଛି। ‘ସମ୍ବାଦ’ର ସଫଳତା ବୃହତ୍ତର ‘ସମ୍ବାଦ ପରିବାର’ ଗଠନ କରିବାରେ ସହାୟକ ହୋଇଛି। ଏବେ ‘ସମ୍ବାଦ’ କେବଳମାତ୍ର ଏକ ଖବରକାଗଜ ହୋଇ ରହିନାହିଁ। ବିବିଧ କ୍ଷେତ୍ରରେ ଅଭିନବ କାର୍ଯ୍ୟକ୍ରମମାନ ହାତକୁ ନେଇ ଏହା ସମଗ୍ର ଓଡ଼ିଶାବାସୀଙ୍କ ଶ୍ରଦ୍ଧା ଓ ସମ୍ମାନର ପାତ୍ର ହୋଇଛି। ସଂଯୋଗକ୍ରମେ ‘ସମ୍ବାଦ’ର କନିଷ୍ଠ ଭଗିନୀ ‘କନକ ନ୍ୟୁଜ୍‌’ର ମଧ୍ୟ ଆଜି ଜନ୍ମଦିନ। ‘କନକ ନ୍ୟୁଜ୍‌’ର ଦର୍ଶକ ବନ୍ଧୁ, ବିଜ୍ଞାପନଦାତା ଏବଂ ଏହାକୁ ଘରେ ଘରେ ପହଞ୍ଚାଉଥିବା ବିତରକ ଅନୁଷ୍ଠାନମାନଙ୍କୁ ମଧ୍ୟ ଏହି ଅବସରରେ କୃତଜ୍ଞତା ଜଣାଉଛୁ।

ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଜନ୍ମଦିନ ପାଳନ ଅବସରରେ ସବୁବର୍ଗର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇଥିଲା। ଏ ବର୍ଷର ଅଭିନବ ଅନୁଭୂତି ହେଲା, ତିନି ପ୍ରମୁଖ ରାଜନୈତିକ ଦଳର ନେତାଙ୍କୁ ନେଇ ‘ମୋ ସ୍ୱପ୍ନର ଓଡ଼ିଶା’ ଶୀର୍ଷକ ଏକ ଆଲୋଚନା କାର୍ଯ୍ୟକ୍ରମ। ‘ସମ୍ବାଦ’ର ସଂପାଦକୀୟ ନୀତି ମୂଳରୁ ସ୍ପଷ୍ଟ। ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ଆମେ ସମର୍ପିତ। ଏଥିପାଇଁ ଆମେ ମୂଳରୁ ପକ୍ଷଭୁକ୍ତ। ଆମେ ନିରପେକ୍ଷ ବୋଲି କେବେ ଦାବି କରିନାହୁଁ କି କରିବୁ ନାହିଁ। ଗଣମାଧ୍ୟମର ଅନ୍ୟ ଏକ ପ୍ରମୁଖ ଦାୟିତ୍ୱ ପ୍ରତି ମଧ୍ୟ ଆମେ ସର୍ବଦା ସଚେତନ। ଏ ଦାୟିତ୍ୱଟି ହେଲା, ସମସ୍ତଙ୍କୁ ଯୋଡ଼ିବାର ପ୍ରୟାସ। ମଣିଷକୁ ମଣିଷ ସହ ଯୋଡ଼ିବା, ସମସ୍ୟାକୁ ସମାଧାନର ନିକଟତର କରିବା। ତେଣୁ ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ପକ୍ଷଭୁକ୍ତ ହୋଇ ଆମର ପକ୍ଷକୁ ବୃହତ୍ତର ପାଠକ ସମାଜ ପାଖରେ ପହଞ୍ଚାଇ ସେମାନଙ୍କୁ ଯୋଡ଼ିବାର ପ୍ରକ୍ରିୟାରେ ଏକ ଶକ୍ତିଶାଳୀ ଗଣତାନ୍ତ୍ରିକ ଅନୁଷ୍ଠାନ ଗଢ଼ି ତୋଳିବା ଆମର ଲକ୍ଷ୍ୟ। ସେଥିପାଇଁ ‘ମୋ ସ୍ୱପ୍ନର ଓଡ଼ିଶା’ ଆଲୋଚନା ଆମ ପାଇଁ ଅନେକ ଗୁରୁତ୍ୱ ରଖୁଥିଲା। ‘ସମ୍ବାଦ ପରିବାର’ ଓଡ଼ିଶା ପାଇଁ କି ସ୍ୱପ୍ନ ଦେଖୁଛି ଏବଂ ଏ ସ୍ୱପ୍ନକୁ ସାକାର କରିବାକୁ ଏହା କ’ଣ କରିପାରିବ- ଆଜିର ସ୍ୱନକ୍ଷତ୍ରରେ ଏହା ହିଁ ମୁଖ୍ୟ ପ୍ରସଙ୍ଗ।

ଓଡ଼ିଶାକୁ ନେଇ ସ୍ୱପ୍ନ କଥା ଚିନ୍ତା କଲା ବେଳେ ଏହାର ଜନ୍ମଜାତକ କଥା ମନକୁ ଆସୁଛି। ଭାଷାକୁ ନେଇ ଓଡ଼ିଶାର ଜନ୍ମ। ବ୍ରିଟିଶ ସାମ୍ରାଜ୍ୟବାଦ ସମ୍ମୁଖରେ ଆମର ଭାଷା-ସଂଗ୍ରାମୀମାନେ ଭାଷାଭିତ୍ତିକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଦାବି କରି ତାହା ହାସଲ କରିପାରିଥିଲେ। ଅଥଚ ଆଜି ‘ଓଡ଼ିଶାର ଶାସନ ଓଡ଼ିଆରେ ହେଉ’- ଏହି ସରଳ କଥାଟିକୁ ଆମ ନିର୍ବାଚିତ ସରକାର ଜଟିଳ କରିବାରେ ଲାଗିଛନ୍ତି। ଓଡ଼ିଆ ଭାଷା ଆଇନର ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦଣ୍ଡବିଧାନ ପାଇଁ ସରକାର ସଂକୋଚ କରୁଛନ୍ତି। ଏହି ଦାବି ସପକ୍ଷରେ ପ୍ରତିଦିନ କଳାପତାକା ଅଭିଯାନ ଅବ୍ୟାହତ ରହି ୫୪୦ ଦିନରେ ପହଞ୍ଚିଲାଣି। ଏହା ଆମ ପାଇଁ ଏକ ବିଡ଼ମ୍ବନା ନୁହେଁ କି?

ଜଗତର ନାଥ ଜଗନ୍ନାଥ ଓଡ଼ିଆ ଜାତିର ଏକମାତ୍ର ପରିଚୟ କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ଏ ଜାତି ‘ବ୍ରହ୍ମବିଭ୍ରାଟ’ କରି ଏ ପରିଚୟକୁ ମଧ୍ୟ କଳଙ୍କିତ କରିବାକୁ ସଂକୋଚ କଲା ନାହିଁ। ଶ୍ରୀଜଗନ୍ନାଥ ଚେତନା ସାରା ଭାରତକୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ନୂଆ ଦିଗ ଦେଖାଉଥିବା ବେଳେ ଆମେ ଓଡ଼ିଆ ଜାତି ଭୋଟ-କାଙ୍ଗାଳ ନେତାମାନଙ୍କ ପ୍ରରୋଚନାରେ ସବୁକଥାକୁ ନେଇ ଭାଗ ଭାଗ ହେବା ପାଇଁ ପ୍ରସ୍ତୁତ। ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବା ପାଇଁ ସବୁନେତାଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ଓଡ଼ିଶା ଆଜି ଭାରତର ଦରିଦ୍ରତମ ରାଜ୍ୟ ଭିତରୁ ଗୋଟିଏ। ଜଗନ୍ନାଥ ଆମକୁ କୌଣସି କଥାରେ ଊଣା କରିନାହାନ୍ତି। ମାଟି ଉପରେ ଯେତିକି ସଂପଦ ଦେଇଛନ୍ତି ତା’ଠାରୁ ବହୁଗୁଣ ଅଧିକ ଖଣିଜ ସଂପଦ ମାଟି ତଳେ ଦେଇଛନ୍ତି। ମାଟି କଡ଼ରେ ଭାରତର ସବୁଠୁ ଦୀର୍ଘ ବେଳାଭୂମି ମଧ୍ୟ ଆମକୁ ମିଳିଛି। ଆମେ କୁଳାଙ୍ଗାର ଓଡ଼ିଆମାନେ ଏହାକୁ ବିନିଯୋଗ କରି ଓଡ଼ିଶାକୁ ବିକଶିତ କରିବା କ’ଣ, ବରଂ ଏହାକୁ ଲୁଟ୍‌ କରି ବ୍ୟକ୍ତିଗତ ସମୃଦ୍ଧି ସାଧନ କରୁଛୁ। ଆମ ମୁଖ୍ୟମନ୍ତ୍ରୀ ‘ଶ୍ରେଷ୍ଠ ପ୍ରଶାସକ’। ଆମେ କିନ୍ତୁ ‘ଦୁଃସ୍ଥ ଓଡ଼ିଆ’। ଓଡ଼ିଶାକୁ ଲୁଟ୍‌ କରିବା ପରେ ଆମ ନେତାଙ୍କର ମନ ଶାନ୍ତି ହେଲାନାହିଁ ଯେ ଓଡ଼ିଆଙ୍କୁ ଲୁଟ୍‌ କରିବା ଆରମ୍ଭ କରିଦେଲେ। ଚିଟ୍‌ଫଣ୍ଡ ଦୁର୍ନୀତିରେ ୪୦ ଲକ୍ଷରୁ ଊର୍ଦ୍ଧ୍ୱ ପରିବାର ଆଜି ପ୍ରତାରିତ। ଓଡ଼ିଶା ସରକାର ବାରମ୍ବାର ‘କୃଷିକର୍ମଣ ପୁରସ୍କାର’ ପାଉଛନ୍ତି, ଅଥଚ ଆମର ଦୁଇ ଶହରୁ ଅଧିକ କୃଷକ ଆତ୍ମହତ୍ୟା କଲେଣି। ତାଙ୍କ ପୁରସ୍କାର କାଳେ ମଳିନ ପଡ଼ିଯିବ ବୋଲି ସରକାର କିନ୍ତୁ ଏହାକୁ ମାନିବାକୁ ରାଜି ନୁହଁନ୍ତି।
ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଆଜି ବିପର୍ଯ୍ୟସ୍ତ। ଶିକ୍ଷକ ସମାଜ ବହୁଧା ବିଭକ୍ତ। ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ପଞ୍ଚମ ଶ୍ରେଣୀର ପାଠକୁ ଆୟତ୍ତ କରିପାରୁ ନାହାନ୍ତି। ଓଡ଼ିଶାର ନେତୃମଣ୍ଡଳୀ ଓ ବିଶିଷ୍ଟବର୍ଗଙ୍କ ପିଲାମାନେ ଏପରି ବ୍ୟବସ୍ଥାରୁ ନିରାପଦ ଦୂରତ୍ୱରେ ରହି ଭିନ୍ନ ଏକ ଓଡ଼ିଶାର ସ୍ୱପ୍ନ ଦେଖୁଛନ୍ତି। ଏଣେ ସରକାର ‘ଆଦର୍ଶ ବିଦ୍ୟାଳୟ’ ସ୍ଥାପନ କରିବାର ଆସ୍ଫାଳନ କରୁଛନ୍ତି। ସତର ବର୍ଷ ତଳେ ନବୀନବାବୁଙ୍କ ସରକାର ଯେଉଁ ଦୁଇଟି କଥାକୁ ନେଇ ସରକାରକୁ ଆସିଥିଲା ତାହା ହେଲା ଦୁର୍ନୀତି ଓ ଋଣବୋଝ। ନବୀନବାବୁଙ୍କ ସତରବର୍ଷର ଶାସନରେ ଦୁର୍ନୀତି ହୋଇଛି କି ନାହିଁ ଏହା ଆଉ ବିତର୍କର ଅବକାଶ ରଖୁନାହିଁ। ଚୋର ନିଜ ଅଜାଣତରେ ପ୍ରମାଣ ଛାଡ଼ିଗଲା ପରି ‘ପିସି’ କାରବାର ଏବେ ବନ୍ଦ ହେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମନେ ହେଉଛି, ସତେ ଯେପରି ସତର ବର୍ଷର ଦୁର୍ନୀତିର ପ୍ରାୟଶ୍ଚିତ ପାଇଁ ସତର ମାସର ‘ପିସି’ ବନ୍ଦ ସଂକଳ୍ପ ନିଆଯାଉଛି। ହିନ୍ଦୀରେ ଗୋଟିଏ ପ୍ରବାଦ ଅଛି ‘‘ଶୌ ଚୁହେ ଖା’କେ ବିଲ୍ଲି ହଜ୍‌ କୋ ଚଲି’’। ଏଥିପାଇଁ ବୋଧେ ବିଧାୟକମାନଙ୍କର ଦରମା ବଢ଼ାଇବା ଜରୁରୀ ହୋଇପଡ଼ିଲା। ସତରେ କ’ଣ ‘ପିସି’ ବନ୍ଦ ହେବ? ‘ପିସି’ ତ ନବୀନ ସରକାରର ଜୀବନରେଖା! ଗତକାଲିର ବିତର୍କରେ ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ‘ପିସି’ ବନ୍ଦ କରିବା ସମ୍ଭବ ନୁହେଁ ବୋଲି ସ୍ୱୀକାର କରିଛନ୍ତି। ବାକି ରହିଲା ଋଣଭାର ପ୍ରସଙ୍ଗ। ୨୦୦୦ ମସିହାରେ ନବୀନବାବୁ କ୍ଷମତାକୁ ଆସିଲା ବେଳେ ଓଡ଼ିଶା ସରକାରଙ୍କ ଋଣ ଭାର ୧୮ ହଜାର କୋଟି ଟଙ୍କା ଥିଲା। ଏହାକୁ ଆର୍ଥିକ ବିଶୃଙ୍ଖଳା ଓ ସଂକଟର ଏକ ଲକ୍ଷଣ ବୋଲି କୁହାଯାଉଥିଲା। ଆଜି ଏହା ପାଖାପାଖି ୬୨ ହଜାର କୋଟିରୁ ଅଧିକ ହେଲାଣି। ନିର୍ବାଚନ ଋତୁ ପାଖେଇ ଆସୁଥିବାରୁ ଅଙ୍ଗନବାଡ଼ି ଓ ଆଶାକର୍ମୀମାନଙ୍କଠାରୁ ଆରମ୍ଭ କରି ସବୁ ବର୍ଗର କର୍ମଚାରୀ ଭାଇଭଉଣୀମାନେ ସେମାନଙ୍କର ଦାବି ଉପସ୍ଥାପନ କରିବାରେ ଲାଗିଲେଣି। ବର୍ତ୍ତମାନ ଜାତୀୟ ଅର୍ଥନୀତିର ଅବସ୍ଥା ଓ କେନ୍ଦ୍ର ସରକାରର ରାଜ୍ୟମାନଙ୍କ ପ୍ରତି ଆଭିମୁଖ୍ୟକୁ ଲକ୍ଷ୍ୟ କଲେ ଏହା ଆଗାମୀ ଦିନରେ ଅଧିକ ଜଟିଳ ହେବ ବୋଲି ଅନୁମାନ କରାଯାଏ।

ଓଡ଼ିଶାର ସ୍ୱାସ୍ଥ୍ୟସେବାର ଅବସ୍ଥା ମଧ୍ୟ ଅନୁରୂପ ଭାବରେ ବିପର୍ଯ୍ୟସ୍ତ। ନଗଡ଼ା ଓ ଦାନ ମାଝୀ ଆଜି ଆମ ପାଇଁ ଗୋଟିଏ ଗୋଟିଏ ଅପବାଦ ନୁହଁନ୍ତି। ଖବର କାଗଜ ପୃଷ୍ଠା ଓଲଟାଇଲେ ଏହି ଚିତ୍ର ଏକ ନିୟମିତ ଖବରର ରୂପ ନେଲାଣି। ଏସବୁ ସତ୍ତ୍ୱେ ଉଭୟ କେନ୍ଦ୍ର ଓ ରାଜ୍ୟର କ୍ଷମତାସୀନ ଦଳ ଓଡ଼ିଶାର ବିକାଶ ପ୍ରତି ତାଙ୍କର ଅଙ୍ଗୀକାରବଦ୍ଧତାକୁ ଗଳାଫଟାଇ ବାରମ୍ବାର କହିବାରେ କୌଣସି ହେଳା କରୁନାହାନ୍ତି। ସଂଖ୍ୟାଖେଳରେ ବାରମ୍ବାର ଭୋଟ କିଣି ଜିତି ଯାଉଥିବା ଦୃଷ୍ଟିରୁ ରାଜନୈତିକ ଦଳ ଓ ନେତାମାନଙ୍କର ଅହଂକାର ବହୁଗୁଣରେ ବଢ଼ିଯାଇଛି। ଏ ଅହଂକାରରେ ଅଙ୍କୁଶ ନ ଲାଗିଲେ ବା ଆମ ରାଜନେତାଙ୍କୁ କୃତଜ୍ଞ ରହିବାର ଆବଶ୍ୟକତା ବୁଝାଇ ନ ପାରିଲେ ଆମ ଗଣତନ୍ତ୍ରର ଭବିଷ୍ୟତ ଉଜ୍ଜ୍ୱଳ ହେବ ନାହିଁ।

ଗଣମାଧ୍ୟମର ଗୁରୁଦାୟିତ୍ୱ ହେଲା ଅହଂକାର ଓ କୃତଜ୍ଞତାର ଏହି ପରସ୍ପରବିରୋଧୀ ସଂପର୍କକୁ ଜାଗ୍ରତ କରିବା। ଆଜିର ସ୍ୱନକ୍ଷତ୍ରରେ ଏହା ହିଁ ଆମର ସଂକଳ୍ପ ହେଉ!

 

ସମ୍ବନ୍ଧିତ ଖବର