ରାୟଗଡ଼ା: ଗୋଟିଏ ପଟେ ଚାଷୀଙ୍କୁ ୟୁରିଆ ସାର ଠିକ ସମୟରେ ମିଳୁନଥିବାରୁ ଜିଲ୍ଲାରେ ଦିନକୁ ଦିନ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଥିବା ବେଳେ କୃଷି ବିଭାଗ ଓ ମାର୍କଫେଡ ଦ୍ବାରା ଡିଲର ଏବଂ ରିଟେଲରମାନଙ୍କୁ ଦିଆଯାଉଥିବା ସିଂହ ଭାଗ ସାର ଅଣ ଚାଷୀଙ୍କ ଦ୍ବାରା କିଣାଯାଇ ଜିଲ୍ଲାରେ କୃତ୍ରିମ ଅଭାବର ବାତାବରଣ ସୃଷ୍ଟି କରାଯାଇଛି। ଚାଷୀଙ୍କୁ ୟୁରିଆ ସାର ମିଳୁନଥିବା ବେଳେ ଡିଲର ଏବଂ ରିଟେଲର ଦ୍ବାରା ଅଣଚାଷୀଙ୍କୁ ବ୍ୟାପକ ଭାବରେ ୟୁରିଆ ବଣ୍ଟା ଯାଉଥିବା ଜଣାପଡିଛି । କୃଷି ବିଭାଗର କର୍ମଚାରୀ,ମାର୍କଫେଡ ଏବଂ ଡିଲର ରିଟେଲରଙ୍କ ମିଳିତ ସହଯୋଗରେ ଜିଲ୍ଳାରେ ସାର କଳାବଜାର କରିବାରେ ସମସ୍ତ ରାସ୍ତା ଖୋଲି ଦିଆଯାଇଛି । ସାର ପାଇବା ପାଇଁ ଆଧାର କାର୍ଡ ଗୋଟିଏ ମାତ୍ର ସୂଚକାଙ୍କ ହୋଇଥିବାରୁ ଯେ କୌଣସି ବ୍ୟକ୍ତି ନିଜର ଆଧାର କାର୍ଡ ପଏଣ୍ଟ ଅଫ ସେଲ୍ସ (ପିଓଏସ)ରେ ରେଜିଷ୍ଟ୍ରେସନ କରି ସାର ନେଇପାରୁଛି । ପିଓଏସ ରେ ସାର ନେଉଥିବା ବ୍ୟକ୍ତି ଜଣଙ୍କ ପ୍ରକୃତ ପକ୍ଷରେ ଚାଷୀ କିମ୍ବା ଅଣଚାଷୀ ଜାଣିବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଏହି ବ୍ୟବସ୍ଥା ନଥିବାରୁ ଆଧାର କାର୍ଡ ଦେଖାଇ ଯେକୌଣସି ବ୍ୟକ୍ତି ସାର ନେଇଯାଇପାରୁଛି ଏବଂ ଏହାକୁ ପୁଣି ଥରେ ଚଢ଼ା ଦରରେ ଅସାଧୁ କାରବାର ହେଉଛି ।
ସାରର କୃତ୍ରିମ ଅଭାବ ଏବଂ ବେସରକାରୀ ବିକ୍ରେତାଙ୍କ ଦ୍ବାରା ଚଢ଼ା ଦରରେ ବିକ୍ରି ହେଉଥିବା ଘଟଣା ଦାୟିତ୍ବରେ ଥିବା ଜିଲ୍ଲା କୃଷି ଅଧିକାରୀ ଶେଖ ଏହସାନଙ୍କୁ ପଚାରିବାରୁ ବିଭାଗ ୨୫ ଜଣ ବେସରକାରୀ ବିକ୍ରେତାଙ୍କୁ ସାରର ବିକ୍ରୀ ତଥ୍ୟ ଦେଇନଥିବାରୁ ନୋଟିସ କରିବା ସହ ସମସ୍ତ ବେସରକାରୀ ବିକ୍ରେତାଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛୁ ଏବଂ ଜିଲ୍ଲାରେ ସାରର ଅଭାବ ନାହିଁ, ଚାଷୀମାନେ ଶାନ୍ତି ଶୃଂଖଳା ବଜାୟ ରଖି ଲ୍ୟାମ୍ପ ଓ ପ୍ରାଇଭେଟ ବିକ୍ରେତାଙ୍କ ଠାରୁ ସାର ନେବା ପାଇଁ କହିଛନ୍ତି ।
ସୂଚନାରୁ ଜଣାପଡ଼ିଛି ଚଳିତ ବର୍ଷ କୃଷି ବିଭାଗ ତରଫରୁ ୩୨୨୫୦ ମେଟ୍ରିକ ଟନ ସାର ପାଇଁ ଇଣ୍ଡେଣ୍ଟ ଦିଆଯାଇଥିଲା । ଚଳିତ ଖରିଫ ଋତୁରେ ଧାନ ବିକ୍ରି କରିବା ପାଇଁ ଜିଲ୍ଳାର ୧୧ଗୋଟି ବ୍ଳକର ୧୪ଟି ସମବାୟ ସମିତିରେ ୨୧,୪୮୬ ଜଣ ଚାଷୀ ନିଜ ନାମ ପଂଜୀକରଣ କରିଛନ୍ତି । ପିଓଏସ ରେ ଆଧାର କାର୍ଡ ଦେଇ ୟୁରିଆ ସାର ନେଇଥିବା ତଥ୍ୟକୁ ଯଦି ଦେଖାଯାଏ ତେବେ କେତେ ଚାଷି ଓ ଅଣଚାଷୀ ସାର ନେଇଥିବା ତଥ୍ୟ ପଦାକୁ ଆସିବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ଅପରପକ୍ଷରେ ରାୟଗଡା ଜିଲ୍ଲାର ବୃହଦକାର ଆଦିବାସୀ ବହୁମୁଖୀ ସମବାୟ ସମିତି (ଲ୍ୟାମ୍ପ) ୩୫୬୪ ମେଟ୍ରିକ ଟନ ୟୁରିଆ ସାର ଆବଶ୍ୟକତା ହେଉଥିବା ବୋଲି ଇଣ୍ଡେଣ୍ଟ ଦେଇଥିବା ବେଳେ ଆଜି ସୁଦ୍ଧା ୩୨୯୨ ମେଟ୍ରିକ ଟନ ସାର ମିଳିଥିବା ଜଣାପଡିଛି । ଏହା ବାଦେ ଆହୁରି ୮୨୭ ମେଟ୍ରିକ ଟନ ସାର ଆବଶ୍ୟକତା ରହିଥିବା କଥା ଲ୍ୟାମ୍ପ କୃଷି ବିଭାଗକୁ ଅବଗତ କରିଛି । ପ୍ରକୃତ ପକ୍ଷରେ ଲ୍ୟାମ୍ପରୁ ଲୋନ ନେଇଥିବା ଚାଷୀଙ୍କୁ ସାର ଦେବା ପାଇଁ ଗାଇଡଲାଇନ ରହିଥିବା ବେଳେ ଲ୍ୟାମ୍ପରୁ ମଧ୍ୟ ଅନ୍ୟ ଚାଷୀ ଏବଂ ଅଣଚାଷୀ ସାର ନେଉଥିବାରୁ ଗ୍ରାମାଞ୍ଚଳରେ ଏହାର କୃତ୍ରିମ ଅଭାବ ଦେଖାଯାଇଛି । ଜିଲ୍ଳାର ବିଭିନ୍ନ ବ୍ଳକର ଲ୍ୟାମ୍ପସଗୁଡିକରେ ଆସିଥିବା ସାର ଗ୍ରାମାଞ୍ଚଳର ଚାଷୀଙ୍କୁ ମିଳୁନଥିବା ବେଳେ ସରକାରୀ ନିର୍ଦ୍ଧାରିତ ଦର ୨୬୭ଟଙ୍କା ପରିବର୍ତେ ବଜାରରେ ଡିଲରଙ୍କ ଠାରୁ ୭୦୦ଟଙ୍କାରୁ ୧୦୦୦ ଟଙ୍କା ଦେଇ ଚାଷୀ କିଣିବାକୁ ବାଧ୍ୟ ହେଉଛନ୍ତି। ଚଳିତ କୃଷି ଋୁତୁରେ ସାରର ସ୍ବୀକୃତିପ୍ରାପ୍ତ ଡିଲର ଏବଂ ରିଟେଲରମାନେ କୃତ୍ରିମ ଅଭାବ ସୃଷ୍ଟି କରି ଜିଲ୍ଲାରେ ଅଚଳାବସ୍ଥା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ଏନେଇ ରାୟଗଡା ବିଧାୟକ ଆପଲାସ୍ବାମୀ କାଡ୍ରାକା ଚିଠି ଲେଖି ଏହାର ତଦନ୍ତ କରିବା ପାଇଁ ଦାବି କରିବା ସହ ଜିଲ୍ଲାପାଳଙ୍କ ହସ୍ତକ୍ଷେପ କରିବାକୁ କହିଥିଲେ। ଆଜି ଯାଏଁ ଜିଲ୍ଲାକୁ ୨୫ହଜାର୩୭୫.୧୮୧ ମେଟ୍ରିକ ଟନ ସାର ଆସିଥିବା କୃଷି ବିଭାଗ ତଥ୍ୟରୁ ଜଣାପଡିଛି ।