ନୂଆଦିଲ୍ଲୀ: ରେକର୍ଡ ସଂଖ୍ୟାରେ ଭୋଟ୍ ଦେବା ଲାଗି ଆଜି ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତର ପ୍ରଦେଶ, ଗୋଆ, ଉତ୍ତରାଖଣ୍ଡର ଜନସଧାରଣଙ୍କୁ ଅନୁରୋଧ କରିଛନ୍ତି। ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ଆରମ୍ଭ ହେବାର କିଛି କ୍ଷଣ ପୂର୍ବରୁ ଗଣତନ୍ତ୍ରର ଏହି ଉତ୍ସବକୁ ସଶକ୍ତ କରିବା ଲାଗି ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ କହିଛନ୍ତି।
ଟୁଇଟ୍ କରି ସେ ଲେଖିଛନ୍ତି: ସମଗ୍ର ଉତ୍ତରାଖଣ୍ଡ ଓ ଗୋଆ ଏବଂ ଉତ୍ତର ପ୍ରଦେଶର କେତେକ ଅଞ୍ଚଳରେ ଭୋଟ୍ ଗ୍ରହଣ କରାଯିବ। ଆଜି ଭୋଟ୍ ଦେବାକୁ ଯୋଗ୍ୟ ବିବେଚିତମାନଙ୍କୁ ମୋର ଅନୁରୋଧ ସେମାନେ ରେକର୍ଡ ସଂଖ୍ୟାରେ ଆସି ଭୋଟ୍ ଦେବା ସହ ଗଣତନ୍ତ୍ରର ଏହି ଉତ୍ସବକୁ ସଶକ୍ତ କରନ୍ତୁ।
/sambad/media/post_attachments/wp-content/uploads/2022/02/pm-3.jpg)
ସୂଚନାଯୋଗ୍ୟ, ଆଜି ଭୋଟ୍ ଗ୍ରହଣ ହେଉଥିବା ଏହି ତିନୋଟି ରାଜ୍ୟରେ ‘ଭାରତୀୟ ଜନତା ପାର୍ଟି’ କ୍ଷମତାରେ ରହିଛି। ଉତ୍ତର ପ୍ରଦେଶର ୪୦୩ ଆସନବିଶିଷ୍ଟ ବିଧାନସଭା ପାଇଁ ୭ଟି ପର୍ଯ୍ୟାୟରେ ଭୋଟ୍ ହେବାକୁ ଥିବା ବେଳେ ଆଜି ୨ୟ ପର୍ଯ୍ୟାୟରେ ୫୫ଟି ଆସନ ପାଇଁ ମତ ଗ୍ରହଣ ଚାଲିଛି। ଫେବ୍ରୁଆରି ୧୦ରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହୋଇଥିଲା। ଏହି ଅବସରରେ ଟୁଇଟ୍ କରି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲେଖିଛନ୍ତି: ଉତ୍ତର ପ୍ରଦେଶ ବିଧାନସଭା ୨୦୨୨ର ଦ୍ବିତୀୟ ପର୍ଯ୍ୟାୟର ସମସ୍ତ ସମ୍ମାନିତ ଭୋଟ୍ଦାତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। କର୍ତ୍ତବ୍ୟ ଏବଂ ଅଧିକାର ସହ ଭୋଟ୍ ଦାନ ମଧ୍ୟ ‘ରାଷ୍ଟ୍ରଧର୍ମ’ ଅଟେ। ଦଙ୍ଗା ଓ ଶଙ୍କା ମୁକ୍ତ ନୂଆ ଉତ୍ତର ପ୍ରଦେଶର ବିକାଶ ଧାରା ବଜାୟ ରଖିବାକୁ ନିଶ୍ଚୟ ଭୋଟ୍ ଦିଅନ୍ତୁ।
ସେହିପରି, ଗୋଆ ଏବଂ ଉତ୍ତରାଖଣ୍ଡର ୪୦ ଏବଂ ୭୦ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେଉଛି। ଗୋଆବାସୀଙ୍କୁ ନିବେଦନ କରି ‘ଆପ୍’ର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍ ଟୁଇଟ୍ କରିଛନ୍ତି: ପ୍ରିୟ ଗୋଆବାସୀ। ଦୁର୍ନୀତି ଶାସନ ବ୍ୟବସ୍ଥାକୁ ବଦଳାଇ ଗୋଆକୁ ଦୁର୍ନୀତିମୁକ୍ତ କରିବା ପାଇଁ ଆପଣମାନଙ୍କର କ୍ଷମତା ରହିଛି। ଦୟାପୂର୍ବକ ଆଗେଇ ଆସି ଆପଣମାନଙ୍କ ସନ୍ତାନସନ୍ତତିଙ୍କ ଭବିଷ୍ୟତ ନିମନ୍ତେ ଭୋଟ୍ ଦିଅନ୍ତୁ।