ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭମେଳା ସମୟରେ ବିଭିନ୍ନ ରେଳ ଷ୍ଟେସନରେ ଯାତ୍ରୀବାହୀ କୋଚର ଦ୍ୱାର ଏବଂ ଝରକା କାଚ ଭାଙ୍ଗିବାର ୨୩ଟି ଘଟଣା ଘଟିଛି, ଯାହା ଫଳରେ ରେଳବାଇକୁ ୩.୩ ଲକ୍ଷ ଟଙ୍କାର କ୍ଷତି ହୋଇଛି। ଶୁକ୍ରବାର ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ଏହି ଘଟଣାଗୁଡ଼ିକରେ ରେଳ ସୁରକ୍ଷା ବଳ (RPF) ଦ୍ୱାରା ନିଆଯାଇଥିବା ଆଇନଗତ କାର୍ଯ୍ୟାନୁଷ୍ଠାନରେ, ୧୧ ଜଣଙ୍କୁ ଗିରଫ କରାଯାଇଥିବା ସେ ସୂଚନା ଦେଇଛନ୍ତି।

Advertisment

ଡିଏମକେ ସଦସ୍ୟ ଏମ ଭି ଏମ୍ ସୋମୁ କୁମ୍ଭମେଳା ସମୟରେ ରେଳ ସମ୍ପତ୍ତିର ହୋଇଥିବା କ୍ଷତି ସମ୍ପର୍କରେ ରେଳ ମନ୍ତ୍ରୀଙ୍କଠାରୁ ବିବରଣୀ ମାଗିଥିଲେ। ବୈଷ୍ଣବ ପ୍ରତିକ୍ରିୟାରେ କହିଛନ୍ତି, "କୁମ୍ଭମେଳା ସମୟରେ ବିଭିନ୍ନ ରେଳ ଷ୍ଟେସନରେ ଯାତ୍ରୀବାହୀ କୋଚଗୁଡ଼ିକର ଦ୍ୱାର କିମ୍ବା ଝରକା କାଚ ଭାଙ୍ଗିବାର ୨୩ଟି ଘଟଣା ରିପୋର୍ଟ ହୋଇଛି।" ସେ କହିଛନ୍ତି, "ଏହି ଘଟଣାଗୁଡ଼ିକରେ ରେଳବାଇ ପ୍ରାୟ ୩.୩ ଲକ୍ଷ ଟଙ୍କାର କ୍ଷତି ସହିଛି। ସମସ୍ତ ଘଟଣାରେ ରେଳ ସୁରକ୍ଷା ବଳ ଦ୍ୱାରା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା, ଯେଉଁଥିରେ ୧୧ ଜଣଙ୍କୁ ଗିରଫ କରାଯାଇଥିଲା।"

ସେହିପରି ୧୨ ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ମହାକୁମ୍ଭ ଚଳିତ ବର୍ଷ ଜାନୁଆରୀ ୧୩ (ପୌଷ ପୂର୍ଣ୍ଣିମା) ରୁ ଫେବୃଆରୀ ୨୬ (ମହାଶିବରାତ୍ରି) ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ଏବଂ ସରକାରୀ ଦାବି ଅନୁଯାୟୀ, ଏହି ଧାର୍ମିକ କାର୍ଯ୍ୟକ୍ରମରେ ରେକର୍ଡ ସଂଖ୍ୟକ ୬୬ କୋଟିରୁ ଅଧିକ ଭକ୍ତ ସଙ୍ଗମରେ ବୁଡ଼ ପକାଇଥିଲେ। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ, ବୈଷ୍ଣବ କହିଛନ୍ତି ଯେ ୧୫ ଫେବୃଆରୀ, ୨୦୨୫ରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ଘଟଣାରେ ୩୩ ଜଣ ପୀଡିତ କିମ୍ବା ସେମାନଙ୍କ ପରିବାର ସଦସ୍ୟଙ୍କୁ ୨.୦୧ କୋଟି ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି।