ଯୋଗେଶ ଯୋଯୋଙ୍କୁ ବନ୍ଧୁକ ମୁନରେ ଅପହରଣ ଓ ମାଡ଼, ଭିଡିଓ ଜାରି କରି ଦୁଃଖ ବଖାଣିଲେ ହାସ୍ୟ ଅଭିନେତା

ସମ୍ବଲପୁର:‌ ଲୋକପ୍ରିୟ ସମ୍ବଲପୁରୀ ହାସ୍ୟ ଅଭିନେତା ଯୋଗେଶ ଯୋଯୋ ନିଜ ୟୁଟ୍ୟୁବ୍‌ ଚାନେଲ୍‌ରେ ଏକ ଚାଞ୍ଚଲ୍ୟକର ଭିଡିଓ ପୋଷ୍ଟ କରିଛନ୍ତି। ବୁଧବାର ସଂଧ୍ୟାରେ ସେ ପୋଷ୍ଟ କରିଥିବା ଏହି ଭିଡିଓରେ କହିଛନ୍ତି କି ୨ ଜଣ ବ୍ୟକ୍ତି ତାଙ୍କୁ ବନ୍ଧୁକ ମୁନରେ ଅପହରଣ କରି ନେବା ପରେ ପ୍ରଚୁର ମାଡ଼ ମାରିଥିଲେ। ଭିଡିଓ ବା ଫିଲ୍ମ ନ କରିବା ପାଇଁ ପୂର୍ବରୁ ଚେତାବନୀ ଦିଆଯିବା ସତ୍ତ୍ବେ ତୁ ଆମ ଧମକକୁ ହାଲୁକାରେ ନେଲୁ ବୋଲି ଧମକ ଦେଇ ସେମାନେ ବନ୍ଧୁକରେ ପିଟିଥିବା ଯୋଗେଶ କହିଛନ୍ତି।

ଭିଡିଓରେ ଅତ୍ୟନ୍ତ ଚିନ୍ତାଗ୍ରସ୍ତ, ଭୟଭୀତ ଓ ବିବ୍ରତ ଲାଗୁଥିବା ଯୋଗେଶ କାନ୍ଦିକାନ୍ଦି କହୁଛନ୍ତି ଯେ କିଛି ପାରିବାରିକ ସମସ୍ୟା ଓ ମତଭେଦ କାରଣରୁ ସେ ଅବସାଦଗ୍ରସ୍ତ ଥିଲେ ଓ ଷ୍ଟୁଡିଓରେ ଶୋଉଥିଲେ। ତାଙ୍କ ସହ ତାଙ୍କ ପୁତୁରା ମଧ୍ୟ ଥିଲେ। କିନ୍ତୁ ଦିନେ ରାତିରେ ପୁତୁରା ଘରକୁ ପୋଷାକ ବଦଳାଇବା ପାଇଁ ଗଲା ପରେ ୨ ଜଣ ବ୍ୟକ୍ତି ମୁହଁରେ ଗାମୁଛା ବାନ୍ଧି ତାଙ୍କ ଷ୍ଟୁଡିଓକୁ ଆସିଥିଲେ। ଜଣେ କଳା ରଙ୍ଗର ଓ ମୋଟା ଥିଲାବେଳେ ଅନ୍ୟ ଜଣେ ପତଳା ଶରୀରର ଥିଲେ। ଉଭୟ ପଶିବା ମାତ୍ରେ ଯୋଗେଶଙ୍କୁ ଆକ୍ରମଣ କରିବା ସହ ବନ୍ଧୁକ କାଢ଼ି ବେକରେ ଲଗାଇଥିଲେ। ତୋର ବଞ୍ଚିବାର ଅଛି ଯଦି ଭିଡିଓ ଲାଇନ୍‌ ଛାଡ଼ିଦେ କହିଲେ। ଏହାପରେ ସିସିଟିଭିର ହାର୍ଡଡିସ୍କ କାଢ଼ି ନେଇଥିଲେ। ପରେ ତାଙ୍କୁ ବନ୍ଧୁକ ମୁନରେ ପଲ୍‌ସର ମୋଟର୍‌ ସାଇକଲ୍‌ରେ ବସାଇ କୌଣସି ଏକ ସ୍ଥାନକୁ ନେଇ ନିସ୍ତୁକ ମାଡ଼ ମାରିଥିଲେ ବୋଲି ଯୋଗେଶ ଅଭିଯୋଗ କରିଛନ୍ତି।

ସେ ଗୋଟିଏ ସିନେମା କଲେ ବୋଲି କଣ ଏତେ ବଡ଼ ଭୁଲ କରିଦେଲେ କି ବୋଲି ଯୋଗେଶ ଭିଡିଓରେ ପ୍ରଶ୍ନ କରୁଛନ୍ତି। ଏହାଛଡ଼ା ଆଉ ଏକ ସମ୍ବଲପୁରୀ ସିନେମା ନିର୍ମାଣ ପରେ ସେ ଏହି ଲାଇନ୍‌ ଛାଡ଼ିଦେବେ ବୋଲି ମଧ୍ୟ କହୁଛନ୍ତି। ଏହି ଘଟଣା ସଂପର୍କରେ ପୁଲିସ୍‌ରେ ଅଭିଯୋଗ କରି ନଥିବା ଯୋଗେଶ ଭିଡିଓରେ କହିଛନ୍ତି। ମୋଟର୍‌ ସାଇକଲ୍‌ରେ ନମ୍ବର ନଥିବା କିମ୍ବା ଅପହରଣକାରୀଙ୍କୁ ଚିହ୍ନି ନଥିବାରୁ କେସ୍ ଦେବାର କୌଣସି ମାନେ ନାହିଁ ବୋଲି ଯେ‌ାଗେଶ ଭିଡିଓରେ କହିଛନ୍ତି। ଏ ସଂପର୍କରେ ନିଶ୍ଚତ ହେବାକୁ ଯୋଗେଶଙ୍କ ସହ ଯୋଗାଯୋଗ କରା ଯାଇଥିଲେ ବି ତାଙ୍କ ଫୋନ୍ ସ୍ବିଚ୍ ଅଫ୍ ଆସିଥିଲା। ସମ୍ବଲପୁର ସହରର ଘଞ୍ଚ ଜନବସତିପୂର୍ଣ୍ଣ ଶାନ୍ତିନଗର ଅଞ୍ଚଳରୁ ଜଣେ ଲୋକପ୍ରିୟ କଳାକାରଙ୍କୁ ଏଭଳି ବନ୍ଧୁକ ମୁନରେ ଅପହରଣ କରାଯିବା ଓ ହତ୍ୟା ଉଦ୍ୟମ ହେବା ଭଳି ସଂଗିନ ମାମଲାରେ ପୁଲିସ୍ ନିଜ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଯେ‌ାଗେଶଙ୍କ ପ୍ରଶଂସକମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର