ନୂଆଦିଲ୍ଲୀ: ‘ମ୍ୟାମାରରେ ପ୍ରଳୟଙ୍କରୀ ଭୂମିକମ୍ପରେ ୧୭୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି।’ ଏହି ବିପର୍ଯ୍ୟୟ ଏକ ପୁରୁଣା ବିତର୍କକୁ ପୁନର୍ଜୀବିତ କରିଛି: ବାବା ଭାଙ୍ଗା ଏଭଳି ଏକ ଘଟଣାର ପୂର୍ବାନୁମାନ କରିଥିଲେ କି? ୧୯୯୬ ମସିହାରେ ମୃତ୍ୟୁବରଣ କରିଥିବା ଏହି ଭବିଷ୍ୟବକ୍ତା ୨୦୨୫ରେ ‘ପ୍ରଳୟଙ୍କର ଭୂମିକମ୍ପ’ ନେଇ ଚେତାବନୀ ଦେଇଥିବା କୁହାଯାଉଛି।
ବାବା ଭାଙ୍ଗା କିଏ?
୧୯୧୧ ମସିହାରେ ବୁଲଗେରିଆରେ ଜନ୍ମଗ୍ରହଣ କରିଥିବା ଭାଙ୍ଗେଲିଆ ପାନଦେବ ଦିମିତ୍ରୋଭା ପିଲାବେଳୁ ଦୃଷ୍ଟିଶକ୍ତି ହରାଇଥିଲେ। ସେବେଠାରୁ ସେ ଭବିଷ୍ୟତରେ ଅନେକ ଘଟଣାର ଝଲକ ପାଇପାରୁଥିଲେ ବୋଲି ଅନୁଗାମୀମାନେ ବିଶ୍ୱାସ କରନ୍ତି। ପ୍ରାକୃତିକ ବିପର୍ଯ୍ୟୟ, ରାଜନୀତି, ବିଜ୍ଞାନ ଓ ଏପରିକି ମହାକାଶରେ ମାନବ ଜାତିର ଭାଗ୍ୟକୁ ନେଇ ତାଙ୍କ ଭବିଷ୍ୟବାଣୀ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ସମୟକ୍ରମେ ସେ କେବଳ ବାବା ଭାଙ୍ଗା ନାମରେ ପରିଚିତ ହେଲେ। ସମର୍ଥକମାନେ କହନ୍ତି, ବାବା ଭାଙ୍ଗା କୁର୍ସ୍କ ବୁଡ଼ାଜାହାଜ ଦୁର୍ଘଟଣା, ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଓ ସେପ୍ଟେମ୍ବର ୧୧ ଆକ୍ରମଣ ବିଷୟରେ ସୂଚନା ଦେଇଥିଲେ। ସେ ବାରାକ ଓବାମାଙ୍କ ନିର୍ବାଚନ ବିଷୟରେ ମଧ୍ୟ ପୂର୍ବାନୁମାନ କରିଥିବା କୁହାଯାଉଛି। ସମାଲୋଚକମାନେ କିନ୍ତୁ ଯୁକ୍ତି ବାଢ଼ିଛନ୍ତି ଯେ ତାଙ୍କ କଥା ପ୍ରାୟତଃ ଏତେ ସ୍ଥୂଳ ବା ଅନିର୍ଦ୍ଦିଷ୍ଟ ଯେ ଘଟଣା ଘଟିବା ପରେ ଯେକୌଣସି ଘଟଣାକୁ ତାଙ୍କ ଭବିଷ୍ୟବାଣୀ ସହ ମିଳାଇହେବ।
୨୦୨୫ ପାଇଁ କ’ଣ ଥିଲା ତାଙ୍କ ଭବିଷ୍ୟବାଣୀ
ଚଳିତ ବର୍ଷ ତାଙ୍କ ପୂର୍ବାନୁମାନରେ ତିନୋଟି ଦିଗ ବିଷୟରେ ଉଲ୍ଲେଖ କରାଯାଇଥିଲା: ବିନାଶକାରୀ ପ୍ରାକୃତିକ ବିପର୍ଯ୍ୟୟ, ୟୁରୋପରେ ସଂଘର୍ଷ ଏବଂ ବିଶ୍ୱ ଅର୍ଥନୈତିକ ସଙ୍କଟ। ସେ ଏକ ରହସ୍ୟମୟ ଚେତାବନୀ ବିଷୟରେ ମଧ୍ୟ କହିଛନ୍ତି: ଦୁଇଟା ଅଗ୍ନି ଆକାଶ ଓ ପୃଥିବୀରୁ ଏକାସାଙ୍ଗରେ ଉଠିବ। ମେଡ୍ ଇନ୍ ଭିଲନିୟସ୍ ଅନୁଯାୟୀ, ଜଙ୍ଗଲରେ ନିଆଁ ଲାଗିବା ଓ ଆଗ୍ନେୟଗିରି ଉଦ୍ଗିରଣଠାରୁ ଆରମ୍ଭ କରି ଗ୍ରହାଣୁ ମାଡ଼ର ସମ୍ଭାବନା ପର୍ଯ୍ୟନ୍ତ ବ୍ୟାଖ୍ୟା ଭିନ୍ନ ଭିନ୍ନ ହୋଇଥାଏ। ତାଙ୍କର ଆଉ ଏକ ବାକ୍ୟରେ ଲେଖାଅଛି, ଯାହା ଖୋଲାଯାଏ ତାହା ବନ୍ଦ ହୋଇପାରିବ ନାହିଁ। ବିଶ୍ଳେଷକମାନେ ଅନୁମାନ କରୁଛନ୍ତି ଯେ ଏହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କିମ୍ବା ବାୟୋଟେକ୍ନୋଲୋଜିରେ ସଫଳତାକୁ ସୂଚିତ କରିପାରେ। ୨୦୨୫ ସହ ଜଡ଼ିତ ଅନ୍ୟ ଏକ ଭବିଷ୍ୟବାଣୀରେ କୁହାଯାଇଛି ଯେ, ମିଳିତ ହାତ ଦୁଇ ଭାଗରେ ବିଭକ୍ତ ହେବ ଏବଂ ପ୍ରତ୍ୟେକେ ନିଜ ନିଜ ରାସ୍ତାରେ ଯିବେ। ସମୀକ୍ଷକମାନେ ଏହାକୁ ନାଟୋ କିମ୍ବା ୟୁରୋପୀୟ ସଂଘ ମଧ୍ୟରେ ବିଭାଜନର ଏକ ସମ୍ଭାବ୍ୟ ପ୍ରସଙ୍ଗ ଭାବରେ ଦେଖନ୍ତି।
ବାବା ଭାଙ୍ଗାଙ୍କ ଭବିଷ୍ୟବାଣୀ ଯାହା ୨୦୨୫ରେ ସତ ହୋଇସାରିଛି
ମ୍ୟାମାର ଭୂମିକମ୍ପ କେବଳ ତାଙ୍କ ନାମ ସହ ଜଡିତ ଏକମାତ୍ର ସତ ହୋଇଥିବା ଘଟଣା ନୁହେଁ। ‘ନ୍ୟୁ ବାବା ଭାଙ୍ଗା’ ନାମକ ଜଣେ ଜାପାନୀ କ୍ଲେୟାରଭୋଏଣ୍ଟ ରିୟୋ ତାତ୍ସୁକି ୧୯୯୯ ମସିହାରେ ଲେଖିଥିଲେ ଯେ, ଜୁଲାଇ ୨୦୨୫ରେ ଜାପାନର ଦକ୍ଷିଣରେ ସମୁଦ୍ର ‘ଫୁଟିବ’। ଏହାର କିଛି ସପ୍ତାହ ପରେ ରୁଷିଆର କାମଚାଟକା ଉପଦ୍ୱୀପ ନିକଟରେ ୮.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ ହେବା ପରେ ସୁନାମି ସୃଷ୍ଟି ହୋଇଥିଲା। ଅର୍ଥନୈତିକ ଚିନ୍ତା ମଧ୍ୟ ୨୦୨୫ରେ ଆର୍ଥିକ ବିପର୍ଯ୍ୟୟ ନେଇ ନଷ୍ଟ୍ରାଡମସଙ୍କ ପୃଥକ୍ ପୂର୍ବାନୁମାନ ସହ ମେଳ ଖାଉଛି। ବଢୁଥିବା ଶୁଳ୍କ, ଉଚ୍ଚ ଜୀବନଧାରଣ ଖର୍ଚ୍ଚ ଏବଂ ଅସ୍ଥିର ଗୃହ ବଜାରକୁ କିଛି ଲୋକ ସେହି ଭବିଷ୍ୟବାଣୀର ସଙ୍କେତ ଭାବରେ ଦେଖୁଛନ୍ତି। ଇତିମଧ୍ୟରେ ଜନସଂଖ୍ୟା ଗତ ତଥ୍ୟ କହୁଛି ଯେ ୟୁରୋପର ଜନସଂଖ୍ୟା ସଙ୍କଟ ବିଗିଡ଼ିବାରେ ଲାଗିଛି। ଜର୍ମାନୀ, ଇଟାଲୀ ଓ ହଙ୍ଗେରୀରେ ଜନ୍ମହାର କମିବା ସହ ବୟସ୍କ ଜନସଂଖ୍ୟା ବୃଦ୍ଧି ପାଉଛି ବୋଲି ୟୁରୋଷ୍ଟେଟ୍ ତଥ୍ୟରୁ ଜଣାପଡ଼ିଛି। ମୃତ୍ୟୁ ପୂର୍ବରୁ ବାବା ଭାଙ୍ଗା ଏଭଳି ହ୍ରାସର ଭବିଷ୍ୟବାଣୀ କରିଥିଲେ।
ବାବା ଭାଙ୍ଗାଙ୍କ ଅନ୍ୟ ଭବିଷ୍ୟବାଣୀ: ୨୦୨୮: ଶୁକ୍ରଗ୍ରହର ଅନୁସନ୍ଧାନ ଏବଂ ନୂତନ ଶକ୍ତି ଉତ୍ସ ଆବିଷ୍କାର। ୨୦୩୩: ମେରୁ ବରଫ ତରଳିବା ଓ ସମୁଦ୍ର ବଢିବା। ୨୦୪୬: ସିନ୍ଥେଟିକ୍ ଅର୍ଗାନ୍ର ବ୍ୟାପକ ଉତ୍ପାଦନ। ୨୦୭୬: ସାମ୍ୟବାଦ ବିଭିନ୍ନ ଦେଶକୁ ବ୍ୟାପିବା। ୨୧୩୦: ଏଲିଏନଙ୍କ ସହାୟତାରେ ମଣିଷ ସମୁଦ୍ର ତଳେ ସମାଜ ପ୍ରତିଷ୍ଠା କରିବ। ୩୦୦୫: ମଙ୍ଗଳ ଗ୍ରହରେ ଯୁଦ୍ଧ। ୩୭୯୭: ପୃଥିବୀ ବାସଯୋଗ୍ୟ ନ ହେବା ପରେ ମନୁଷ୍ୟ ତା’କୁ ଛାଡି ଚାଲିଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/09/01/7282ac9d-d2ec-4fc8-a0b7-fb727d596170-2025-09-01-10-10-16.jpg)