ବୈଶିଙ୍ଗା: କୁନି ସଂସାରଟିଏ ଗଢିବି, ମୋ ଛୁଆ ଆସିବ-ସିଏ କେମିତି ଭଲ ମଣିଷ ହେବ, ସେହି ସ୍ବପ୍ନ ଦେଖିଆସୁଥିଲେ ହିରଣ୍ମୟୀ | କିନ୍ତୁ ଏହି ସ୍ବପ୍ନରେ ବୋଧେ ଲାଗିଯାଇଥିଲା କାହା ନଜର | ଏମିତି ଏକ ନଜର ଯାହା ତାଙ୍କୁ ଅଣନିଶ୍ୱାସୀ କରିପକାଇଥିଲା | ନା କାହାକୁ କହି ହୋଇଥିଲା, ନା କେହି ବୁଝିବାକୁ ଥିଲେ | ନୂଆ ନୂଆ ବାହାଘରର ଉନ୍ମାଦନା ନ ସରୁଣୁ ଝୁଲିପଡ଼ିଛନ୍ତି ଏମିତି ଜଣେ ନବବଧୂ | ବିବାହର ୫ମାସ ନପୂରୁଣୁ ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଧୀନ ଶୁଖିଲାହାର ଅଞ୍ଚଳର ଜନୈକା ୨୯ବୟସ୍କା ମହିଳା ବେକରେ ଶାଢ଼ୀ ଲଗେଇ ଫ୍ୟାନରେ ଝୁଲିପଡି ଜୀବନ ହାରିଦେଇଛନ୍ତି | ତେବେ ମରିବା ପୁର୍ବରୁ ଲେଖିଦେଇଛନ୍ତି ଶାଶୁ ନଣନ୍ଦଙ୍କ ଦ୍ୱାରା ମିଳୁଥିବା ନିର୍ଯାତନାର ଯନ୍ତ୍ରଣା |୫ଫର୍ଦ୍ଦର ସୁଇସାଇଡ ନୋଟରେ ହିରଣ୍ମୟୀ ଲେଖିଦେଇଛନ୍ତି ଯେ କେତେ ଯନ୍ତ୍ରଣା ତାଙ୍କୁ ଦିଆଯାଉଥିଲା |

Advertisment

ମୃତକ ହେଉଛନ୍ତି ସାଇ ଜଗନ୍ନାଥ ମହାପାତ୍ରଙ୍କ ୩ମାସର ଗର୍ଭବତୀ ସ୍ତ୍ରୀ ହିରଣ୍ମୟୀ ସ୍ୱାଇଁ l ବେତନଟୀ ବଜାର ଉପକଣ୍ଠ ହାଟଛକସ୍ଥିତ ଘରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୩ମାସ ଗର୍ଭବତୀ ଥିବା ଜନୈକା ନବବଧୂଙ୍କ ଝୁଲନ୍ତା ମୃତଦେହ ସମେତ ନବବଧୂଙ୍କ ହାତଲେଖା ୫ଫର୍ଦ୍ଦର ସୁଇସାଇଡାଲ ନୋଟ ଜବତ କରି ତଦନ୍ତ ଆରମ୍ଭ କରିଛି ବେତନଟୀ ପୁଲିସ | ଅନ୍ୟପଟେ ମୃତକଙ୍କ ଭାଉଜର ଲିଖିତ ଅଭିଯୋଗ କ୍ରମେ ହିରଣ୍ମୟୀଙ୍କ ଶାଶୁ ଉଷା ମହାପାତ୍ରଙ୍କ ସମେତ ତାଙ୍କ ୨ଝିଅଙ୍କୁ ଅଟକ ରଖିଛି ବେତନଟୀ ପୁଲିସ | ସୂଚନା ଅନୁଯାୟୀ ଉକ୍ତ ଅଞ୍ଚଳର ସାଇ ଜଗନ୍ନାଥ ମହାପାତ୍ରଙ୍କ ସହିତ ହିରଣ୍ମୟୀଙ୍କର ବିବାହ ମାତ୍ର ୫ମାସ ପୁର୍ବରୁ ବୈଦିକ ରୀତିରେ ହୋଇଥିଲା l ତେବେ ଶନିବାର ସକାଳୁ ହିରଣ୍ମୟୀଙ୍କର ସ୍ୱାମୀ ସାଇ ତାଙ୍କ ମାଆ ଉଷାଙ୍କୁ ନେଇ ଡାକ୍ତରଙ୍କ ନିକଟକୁ ଯାଇଥିବାବେଳେ ଘରେ ଏକୁଟିଆ ହିରଣ୍ମୟୀ ରହିଥିଲେ l ତେବେ ସାଇଙ୍କ ବୁଢା ଜେଜେବାପା ଘର ବାହାରେ ଥିବାବେଳେ ଖାଇବାକୁ ଆସି ଦେଖିବାକୁ ପାଇଥିଲେ କି ଘର ମୁଖ୍ୟ କବାଟ ବନ୍ଦ ଅଛି l

ତେବେ ସେ କବାଟ ବାଡେଇ ଡାକିଥିଲେ ବି ଭିତରୁ କେହି ଶୁଣିନଥିଲେ l ପରେ ସାହି ପଡିଶା ଡାକି ମୁଖ୍ୟ କବାଟ ଭାଙ୍ଗି ଭିତରକୁ ପଶି ଦେଖିବାକୁ ପାଇଥିଲେ କି ହିରଣ୍ମୟୀ ତାଙ୍କ ରୁମରେ ରହି ଭିତର ପଟୁ କବାଟ କିଳି ଦେଇଥିଲେ  l ହିରଣ୍ମୟୀଙ୍କୁ ଶୋଇବା ଘରଭିତରେ ଝୁଲନ୍ତା ଅବସ୍ଥାରେ ଦେଖି ସଙ୍ଗେସଙ୍ଗେ ବାପଘର ଘର ଲୋକ ଏବଂ ବେତନଟୀ ପୁଲିସକୁ ଖବର ଦେଇଥିଲେ । ଶୋଇବାଘର ଭିତରପଟୁ ବନ୍ଦ ଥିବାବେଳେ ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ଇଶ୍ୱରଚନ୍ଦ୍ର ରଣା ଏବଂ ବାପଘର ଲୋକଙ୍କ ଉପସ୍ଥିତିରେ କବାଟ ଭଙ୍ଗାଯାଇ ଝୁଲନ୍ତା ମୃତଦେହ ଜବତ କରାଯାଇଥିଲା l ତେବେ ପୁଲିସ ଘଟଣାସ୍ଥଳରୁ ହିରଣ୍ମୟୀଙ୍କର ଏକ ୫ଫର୍ଦ୍ଦ ବିଶିଷ୍ଟ ଏକ ସୁଇସାଇଡ ନୋଟ ପଲଙ୍କ ଉପରୁ ଜବତ କରିଥିଲା l ଯେଉଁଥିରେ  ଲେଖାଥିଲା କି ହିରଣ୍ମୟୀ ବିବାହ ଦିନ ଠାରୁ ଶାଶୁ ଓ ୨ ନଣନ୍ଦଙ୍କ ଦ୍ଵାରା ଭୀଷଣ ଭାବେ ଅକଥନୀୟ ନିର୍ଯାତିତ ହେଉଥିଲା l ଆଜି ଅସହ୍ୟ ହେବାରୁ ନିଜ ଜୀବନ ହାରିଦେଇଥିଲେ l