ବୈତରଣୀରେ ବନ୍ୟା: ବିପଦ ସଙ୍କେତ ୧୮.୧୭ ଉପରେ ପ୍ରବାହିତ

ଭଦ୍ରକ: ଭଦ୍ରକ ଜିଲ୍ଲାର ଆଖୁଆପଦା ଆନିକଟ ନିକଟରେ ଶନିବାର ବୈତରଣୀ ନଦୀର ଜଳସ୍ତର ବିପେଦ ସଙ୍କେତ ୧୭.୮୩ ଉପରେ ପ୍ରବାହିତ ହେଉଛି। ଆଜି ଦିନ ତମାମ ଜଳସ୍ତର ବୃଦ୍ଧି ପାଇ ଅପରାହ୍ନ ସାଢେ ୩ଟା ବେଳେ ଏହାର ଜଳସ୍ତର ବିପଦ ସଙ୍କେତ ଉପରକୁ ଉଠିଥିଲା। ସଂଧ୍ୟା ସୁଦ୍ଧା ଏହାର ଜଳସ୍ତର ୧୮. ୧୭ ଉପରେ ପ୍ରବାହିତ ହେଉଥିଲା।

କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବା ଫଳରେ ବୈତରଣୀରେ ବନ୍ୟା ପରିସ୍ଥିତି ଦେଖାଯାଇଛି। ଆନନ୍ଦପୁରଠାରେ ସର୍ବାଧିକ ବର୍ଷା ୨୫୫.୨ ମିମି ବର୍ଷା ରେକର୍ଡ କରାଯାଇଛି। ରାତିରେ ଉପରମୁଣ୍ଡରେ ଅଧିକ ବର୍ଷା ହେଲେ ଏହାର ଜଳସ୍ତର ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ବୈତରଣୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ନଦୀକୂଳିଆ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି। ଗତ ୩ ଦିନର ଲଘୁଲାପ ବର୍ଷାରେ ନବୀର ଜଳସ୍ତର ବୃଦ୍ଧି ପାଉଥିଲା। ଆଜି ଏହାର ଜଳସ୍ତର ବୃଦ୍ଧି ପାଇ ବିପଦ ସଙ୍କେତ ଉପରକୁ ଉଠିବା ପରେ ବିଶେଷକରି ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର ଓ ଚାନ୍ଦବାଲି ବ୍ଲକର ନଦୀକୂଳିଆ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି।

ବୈତରଣୀର ବନ୍ଧ ଭାଙ୍ଗିଲେ ଲୋକଙ୍କର ଧନ ଜୀବନ ନଷ୍ଟ ହେବାର ସମ୍ଭାବନା ରହିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଭଣ୍ଡାରିପୋଖରୀ, ଧାମନଗର ଓ ଚାନ୍ଦବାଲି ବ୍ଲକର ବିଡିଓ ଓ ତହସିଲଦାରମାନଙ୍କୁ ଏହା ଉପରେ ତୀକ୍ଷ୍ମ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ୍‌ ରଖାଯାଇଛି। ଗାଁରେ ପାଣି ପଶିଲେ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ମଧ୍ୟ ଯୋଜନା କରାଯାଇଛି।

ସମ୍ବନ୍ଧିତ ଖବର