ବଜ୍ରକାପ୍ତା ଚୋରା ଚାଲାଣ : ସତ ଓଗାଳିଲା ମାଷ୍ଟରମାଇଣ୍ଡ ମାଧବ

ସହଯୋଗୀ ଏବେ ଗୋଆରେ, ସାତକୋଶିଆ ଥିଲା ମୁଖ୍ୟ ଆଡ୍ଡା, ଆଉ ୧୦ ଜଣଙ୍କ ନାଁ ବି ଆସିଲା

କଟକ : ରିମାଣ୍ଡରେ ଆସି ଜେରାରେ ଅନେକ ସତ ଓଗାଳିଛି ବଜ୍ରକାପ୍ତା ଚୋରା ଚାଲାଣ ଘଟଣାର ମାଷ୍ଟର ମାଇଣ୍ଡ ମାଧବ ଚନ୍ଦ୍ର ପାତ୍ର। କହିଛି, ଚୋରା ବେପାର ପାଇଁ ତାର କୋଲକାତା ସହ ଅନ୍ୟ ସହରଗୁଡ଼ିକ ସହ ଯୋଗାଯୋଗ ରହିଥିଲା। ଢେଙ୍କାନାଳ, ନରସିଂହପୁର, ନୟାଗଡ ତଥା ବିଭିନ୍ନ ଅଞ୍ଚଳର ଯୁବକଙ୍କୁ ନେଇ ଏହି ସାମ୍ରାଜ୍ୟ ଚଳାଇଥିଲା। ଜେରାବେଳେ ସେ ଦେଇଥିବା ଅନେକ ନାମ ଓ ମୋବାଇଲ ନମ୍ବରକୁ ଯାଞ୍ଚ କରିବା ସମୟରେ ସବୁର ଲୋକେସନ୍‌ ରାଜ୍ୟ ବାହାରେ ଥିବା ଦର୍ଶାଉଛି। ତା ଭିତରୁ ଦୁଇଜଣ ମୁଖ୍ୟ କାର୍ପଟଦାରଙ୍କ ମୋବାଇଲ ଲୋକେସନ୍‌ ଗୋଆ ଦର୍ଶାଉଥିବାରୁ ଏହି ଧରପଗଡ଼ ପରଠାରୁ ସେମାନେ ଗୋଆ ଖସି ପଳାଇଥିବା ସୂଚନା ମିଳିଛି।

ଅନ୍ୟପଟେ ମାଧବର ମୋବାଇଲରୁ ମିଳିଥିବା ତଥ୍ୟ ଅନୁସାରେ ସେ‌ କେବଳ ବନ୍ୟପ୍ରାଣୀ ଚୋରାଚାଲାଣ ଘଟଣାରେ ସଂପୃକ୍ତ ନୁହନ୍ତି; ତାସହିତ ଜାଲ ନୋଟ ଓ ବିମୁଦ୍ରୀକରଣ ସମୟରେ ଟଙ୍କା କାରବାର କରିଥିବା ମଧ୍ୟ କରୁଥିଲା। ମୋବାଇଲରେ ବଙ୍ଗ ଭାଷାର ଅନେକ ତଥ୍ୟ ରହିଥିବାରୁ ସେ ସଂପର୍କରେ ଜାଣିବା ପାଇଁ ବନବିଭାଗ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରିବ। ଟ୍ରାନ୍ସଲେଟରଙ୍କ ସହାୟତାରେ ତଥ୍ୟ ଉଗାଳିବା ପାଇଁ ପୁଣି ଥରେ ଶ୍ବଶୁର-ଜ୍ବାଇଁଙ୍କୁ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରାଯିବ ବୋଲି ଆଠଗଡ଼ ଡିଏଫ୍‌ଓ ସସ୍ମିତା ଲେଙ୍କା ସୂଚନା ଦେଇଛନ୍ତି।

କୋର୍ଟଙ୍କ ଆଦେଶ ଅନୁସାରେ ଆଠଗଡ଼ ବନବିଭାଗ ନିର୍ଦ୍ଧାରିତ ସମୟରେ ସକାଳ ୮ଟାରେ ମାଷ୍ଟର ମାଇଣ୍ଡ୍‌ ମାଧବଙ୍କୁ ଜେଲରୁ ଆଣି ଖୁଣ୍ଟୁଣୀ ରେଞ୍ଜ କାର୍ଯ୍ୟାଳୟରେ ଜେରା କରିଥିଲେ। ଆଠଗଡ ଡିଏଫଓ ସସ୍ମିତା ଲେଙ୍କା ତାଙ୍କୁ ଦୀର୍ଘ ୮ଘଣ୍ଟା ଧରି ଜେରା କରିଥିଲେ। ଜେରା ସମୟରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ବନବିଭାଗ ହାତରେ ଲାଗିଛି। ମାଧବ କହିଛି, ପ୍ରଥମେ ହାତୀ ଓ ହାତୀଦାନ୍ତ ବେପାର କରୁଥିଲା। ବନବିଭାଗର ଘନ ଘନ ଯାଞ୍ଚ ଓ ଧରପଗଡ଼ ପରେ ଏହି କାରବାରରେ ସମସ୍ୟା ଦେଖା ଦେଇଥିଲା। ତେଣୁ ଗତ ୨/୩ବର୍ଷ ହେଲା ସେ ବଜ୍ରକାପ୍ତା ବେପାର ଚଳାଇଥିଲା। ମାଧବର ଘର ନରସିଂହପୁର ବ୍ଳକ୍‌ ଅନ୍ତର୍ଗତ ନିମସାହି ଅଞ୍ଚଳରେ ଓ ସେ ମାଟ୍ରିକ୍‌ ପାସ୍‌ କରିଛି। ସାତକୋଶିଆ ଜଙ୍ଗଲରେ ତାର ଓ ତା ସହଯୋଗୀଙ୍କ ଆଡ୍ଡା ରହିଛି।

ମାଧବ କହିଛି, ବଜ୍ରକାପ୍ତା କେଉଁଠାରୁ ନେଇ କେଉଁଠାରେ ପହଞ୍ଚାଇବାକୁ ପଡିବ ସେ ସଂପର୍କରେ ବିଭିନ୍ନ ସାଙ୍କେତିକ ଚିହ୍ନ ବ୍ୟବହାର କରି ସେ ବେପାର ଚଳାଉଥିଲା। ମୋବାଇଲରେ ବଙ୍ଗୀୟ ଭାଷାରେ ଲେଖାଥିବା ବିଭିନ୍ନ ମେସେଜ୍‌, ବିଭିନ୍ନ ଚିହ୍ନ ଓ ସଂଖ୍ୟାର ଖେଳକୁ ନେଇ କେମିତି ଚଳାଇଥିଲେ ବେପାର ସେ ସଂପର୍କରେ ବନବିଭାଗ ଖୋଳତାଡ଼ କରୁଛି। ବିମୁଦ୍ରୀକରଣ ସମୟରେ ‘କେତେ ଟଙ୍କାର ପୁରୁଣା ‌ନୋଟ୍‌ ଦେଲେ କେତେ ନୂଆ ଟଙ୍କା ମିଳବ ସେ ସମ୍ପର୍କିତ କାରବାରରେ ସେ ସାମିଲ ଥିଲା। ତେବେ, ମାଧବ ଦେଇଥିବା ୧୦ରୁ ଅଧିକ ବ୍ୟକ୍ତିଙ୍କ ନାମ, ଠିକଣା ଓ ମୋବାଇଲ ନମ୍ବରକୁ ଆଧାର କରି ବନବିଭାଗ ତଦନ୍ତ ଆରମ୍ଭ କରିଛି। ସେମାନଙ୍କ ଭିତରୁ ଅଧିକାଂଶ ରାଜ୍ୟ ବାହାରକୁ ଚାଲିଯାଇଛନ୍ତି। ବନବିଭାଗର ଅପରେସନ୍‌ ପାଙ୍ଗୋଲିନ ପରେ ମାଫିଆମାନେ ଧରିଥିବା ବଜ୍ରକାପ୍ତାଗୁଡିକୁ ସାତକୋଶିଆ ଜଙ୍ଗଲରେ ଛାଡି ଦେଇଥିବା ଓ ଲୁଚାଇ ରଖିଥିବା କାତିଗୁଡ଼ିକୁ ଜଙ୍ଗଲରେ ପୋତି ଦେଇଥିବା ସେ ଜେରାବେଳେ ସୂଚନା ଦେଇଥିବା ଅଧିକାରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର