ଏଥର ଭାଲେଣ୍ଟାଇନ୍ ଡେକୁ ବିରୋଧ କରିବ ନାହିଁ ବଜରଙ୍ଗ ଦଳ

ନୂଆଦିଲ୍ଲୀ: ପ୍ରେମୀଯୁଗଳଙ୍କ ଲାଗି ଖୁସୀ ଖବର । ଚଳିତ ବର୍ଷ ଭାଲେଣ୍ଟାଇନ୍ ଡେକୁ ବିରୋଧ କରିବ ନାହିଁ ବଜରଙ୍ଗ ଦଳ । ଏ ନେଇ ଆଜି ଘୋଷଣା କରିଛି ବଜରଙ୍ଗ ଦଳ । ଏହି ଦିବସଟିକୁ ଦଳ ନିରନ୍ତର ଭାବେ ବିରୋଧ କରିଆସୁଥିଲା । ମାତ୍ର ଚଳିତ ବର୍ଷ ଏହାକୁ ବିରୋଧ ନ କରିବାକୁ ଘୋଷଣା କରିଛି ଦଳ । ଦଳ ପକ୍ଷରୁ କୁହାଯାଇଛି ଯେ, ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର । ଏଠାରେ ସବୁ ଧର୍ମର ମର୍ଯ୍ୟାଦା ରହିଛି । ସମସ୍ତେ ନିଜ ନିଜ ଧର୍ମକୁ ନେଇ ଉତ୍ସବ ପାଳନ କରିପାରିବେ । ତେବେ ଭାଲେଣ୍ଟାଇନ୍ ଡେ ଏକ ପାଶ୍ଚାତ୍ୟ ଉତ୍ସବ ହୋଇଥିବାରୁ ସବୁ ଦେଶର ଯୁବପିଢି ଏହାକୁ ବହୁତ ଧୁମଧାମରେ ପାଳନ କରୁଛନ୍ତି।


Needpix.com

କିନ୍ତୁ ବଜରଙ୍ଗ ଦଳ କେବେ କୌଣସି ଧର୍ମ କିମ୍ବା କୌଣସି ଧାର୍ମିକ କାର୍ଯ୍ୟକ୍ରମକୁ ବିରୋଧ କରିନି କି ଆଗକୁ ମଧ୍ୟ କରିବନାହିଁ । ମାତ୍ର କିଛି ପାଶ୍ଚ୍ୟତ ପରମ୍ପରା ନାଁରେ ଭାରତରେ ଚାଲିଥିବା କୁତ୍ସିତ କଦାଚାର ତଥା ନଗ୍ନତାକୁ ବଜରଙ୍ଗ ଦଳ ଆଜି ଯାଏ ବିରୋଧ କରିଆସୁଛି । ଭାଲେଣ୍ଟାଇନ୍ ଡେ ନାଁରେ ଅନେକ ସ୍ଥାନରେ ଅଗ୍ରହଣୀୟ କାର୍ଯ୍ୟ ତଥା ନଗ୍ନତା ଭଳି ଅପସଂସ୍କୃତିକୁ ଦେଖିବାକୁ ମିଳୁଥିବାରୁ ବଜରଙ୍ଗ ଦଳ ଏହାକୁ ବିରୋଧ କରୁଥିଲା । କିନ୍ତୁ ବିଡମ୍ବନାର ବିଷୟ ଲୋକେ ଭାବୁଛନ୍ତି ଯେ ବଜରଙ୍ଗ ଦଳ ପ୍ରେମକୁ ବିରୋଧ କରୁଛି ଏବଂ ବିରୋଧ ନାଁରେ ବଜରଙ୍ଗ ଦଳ ଗୁଣ୍ଡାଗର୍ଦ୍ଦି କରୁଛି, ଯାହାକି ସଂପୂର୍ଣ୍ଣ ଭୁଲ୍ । ବଜରଙ୍ଗ ଦଳ ପ୍ରେମକୁ ବିରୋଧ କରେନି ବରଂ ପ୍ରେମ ନାଁରେ ହେଉଥିବା ଅପସଂସ୍କୃତିକୁ ବିରୋଧ କରେ ବୋଲି ଦଳ ପକ୍ଷରୁ କୁହାଯାଇଛି । ତେବେ ସେ ଯାହା ହେଉ ନା କାହିଁକି ଚଳିତ ଭାଲେଣ୍ଟାଇନ୍ ଡେରେ କୌଣସି ପ୍ରକାରର ବିରୋଧାତ୍ମକ କାର୍ଯ୍ୟକ୍ରମ କରାଯିବନି ବୋଲି ଦଳ ପକ୍ଷରୁ ଘୋଷଣା ହୋଇଛି।

ସେହିଭଳି କିଛି ଅସମାଜିକ ବ୍ୟକ୍ତି ଆଗରୁ ଏମିତି ଘଟାଇଥିବା ବେଳେ ଏଥର କିପରି କିଛି ନ ଘଟାଇବେ ଓ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସଂଗଠନ ପକ୍ଷରୁ ପୁଲିସ ପ୍ରଶାସନକୁ ଅନୁରୋଧ କରାଯାଇଛି । ପ୍ରେମ ଓ ଭଲପାଇବା ପୁରାତନ କାଳରୁ ଥିବା ବେଳେ ବର୍ତ୍ତମାନର ଆଧୁନିକ ସଂସ୍କୃତିକୁ ଯୁବପିଢି  ଆପଣାଉଥିବାରୁ ବିଭିନ୍ନ ସଚେତନତା ପଦକ୍ଷେପ ମାଧ୍ୟମରେ ଯୁବପିଢିଙ୍କୁ ସଚେତନ କରାଯିବ ବୋଲି ବଜରଙ୍ଗ ଦଳ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର