ଏଥର ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରୁ ହୋଇପାରେ ବାଲାଟ୍‌ ପେପର୍‌ରେ ଭୋଟ୍‌!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସନ ବାରାଣାସୀରେ ଦିନକୁ ଦିନ ରୋଚକ ହେଉଛି ରାଜନୀତି। ବାରାଣାସୀ ଆସନ ପାଇଁ ଗତକାଲି ଅର୍ଥାତ ଏପ୍ରିଲ ୨୯ ତାରିଖ ପ୍ରାର୍ଥୀ ପତ୍ର ଦାଖଲର ଥିଲା ଶେଷ ଦିନ। ତେବେ ସବୁଠାରୁ ବଡ଼ କଥା ହେଉଛି, ଏହି ଆସନ ପାଇଁ ଏଥର ୧୦୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଆଉ ଏହି ପ୍ରାର୍ଥୀମାନଙ୍କ ସହ ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଅଛନ୍ତି। ପ୍ରାର୍ଥୀମାନଙ୍କର ଏତେ ବଡ଼ ତାଲିକା ଦେଖିବା ପରେ ଜିଲ୍ଲା ପ୍ରଶାସନ ଏବଂ ର୍ନିବାଚନ ଆୟୋଗଙ୍କ ପାଇଁ ଅଡୁଆ ବଢ଼ିଯାଇଛି।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଯଦି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ମଧ୍ୟରେ ଏହି ସଂଖ୍ୟା ୬୪କୁ ନ ଖସେ ତେବେ ଇଭିଏମରେ ମତଦାନ କରିବା ସମ୍ଭବ ହେବ ନାହିଁ। ଫଳରେ ବାଲାଟ୍‌ ପେପରରେ ମତଦାନ କରିବା ପାଇଁ ବାଧ୍ୟ ହେବେ ର୍ନିବାଚନ ଆୟୋଗ।

ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ହାତରେ ରହିଛି ଆଉ ମାତ୍ର ୨ ଦିନ। ଆଉ ଏହାରି ଭିତରେ ସମସ୍ତଙ୍କ ନଜର ରହିଛି ଏହି ଆସନରୁ କେତେ ପ୍ରାର୍ଥୀ ନିଜ ନାମ ପ୍ରତ୍ୟାହାର କରିନେଉଛନ୍ତି ଆଉ କେତେ ପ୍ରାର୍ଥୀଙ୍କର ନାମାଙ୍କନ ଖାରଜ ହେଉଛି। ଯଦି ପ୍ରାର୍ଥୀଙ୍କର ସଂଖ୍ୟା ୬୪ରୁ ଅଧିକ ହୁଏ, ତେବେ ଇଭିଏମ୍‌ ଜରିଆରେ ର୍ନିବାଚନ କରାଇବା ସମ୍ଭବ ହେବ ନାହିଁ। ଫଳରେ ବାଲାଟ୍‌ ପେପରରେ ହିଁ ମତଦାନ ହେବ। କାରଣ ଗୋଟିଏ ଇଭିଏମରେ ୧୬ ଜଣ ପ୍ରାର୍ଥୀଙ୍କ ନାଁ ରହିଥାଏ। ଏହା ସହ ଇଭିଏମର ୪ଟି ୟୁନିଟ୍‌ ବ୍ୟବହାର କରାଯାଇପାରିବ। ଅର୍ଥାତ ୬୪ ଜଣ ପ୍ରାର୍ଥୀ ହେଲେ, ସୁରୁଖୁରୁରେ ଇଭିଏମ ଜରିଆରେ ମତଦାନ ହୋଇପାରିବ। କିନ୍ତୁ ଏହି ସଂଖ୍ୟାରେ ଯଦି ବୃଦ୍ଧି ଘଟେ ତେବେ ବାଲାଟି ପେପରର ବ୍ୟବହାର କରାଯିବ।

ସୂଚନା ଅନୁଯାୟୀ, ଦ୍ୱିତୀୟ ଥର ପାଇଁ ଏହି ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ର୍ନିବାଚନୀ ରଣାଙ୍ଗନକୁ ଓହ୍ଲାଇଥିବା ବେଳେ, କଂଗ୍ରେସ ମଧ୍ୟ ଦ୍ୱିତୀୟ ଥର ପାଇଁ ଅଜୟ ରାୟଙ୍କୁ ମୋଦୀଙ୍କ ବିପକ୍ଷରେ ଛିଡ଼ା କରିଛି। ସେପଟେ ଏଥର ଉତ୍ତରପ୍ରଦେଶରେ ମେଣ୍ଟ ଭାବେ ର୍ନିବାଚନ ଲଢୁଥିବା ସପା-ବସବା, ପୂର୍ବତନ ଯବାନ ତେଜ୍‌ ବାହାଦୁର ଯାଦବଙ୍କୁ ପ୍ରାର୍ଥୀ କରିଛି। ଆଉ ସେପଟେ ତେଲେଙ୍ଗାନାର ଅନେକ ହଳଦୀ ଚାଷୀ ମଧ୍ୟ ମୋଦୀଙ୍କ ବିପକ୍ଷରେ ବାରାଣାସୀ ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ସମ୍ବନ୍ଧିତ ଖବର