ଧର୍ମଶାଳା: ବହୁଚର୍ଚ୍ଚିତ ବଲ୍ଲେବଲ୍ଲେ ଢାବା ତଥା ଧର୍ମଶାଳା ଭବନର ଲିଜ୍ଧାରୀ ସ୍ପେସାଲ କଣ୍ଟ୍ରାକ୍ଟର ଅକ୍ଷୟ କୁମାର ନାୟକଙ୍କ ବାଜବାଟିରେ ଥିବା ପିଚୁ ପ୍ଲାଣ୍ଟର ଆଜି ମାପଚୁପ ହୋଇଛି। ଗତକାଲି ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ପରିବାର ସଦସ୍ୟଙ୍କ ସଂସ୍ଥା ନାମରେ ଥିବା ଆଇଟିସିର ଜମି ମାପଚୁପ ହୋଇଥିଲା। ଆଜି ଶ୍ରୀ ବଳବନ୍ତରାୟଙ୍କ ଘନିଷ୍ଠ ଠିକାଦାର ଶ୍ରୀ ନାୟକଙ୍କ ପିଚୁ ପ୍ଲାଣ୍ଟର ମାପଚୁପ ଘଟଣା ଧର୍ମଶାଳା ରାଜନୀତିକୁ ବେଶ୍ ଉଷ୍ମ କରିଛି। ରାଜ୍ୟରେ ବିଜେଡି ସରକାର ଓ ଧର୍ମଶାଳାର ବିଧାୟକ ପରିବର୍ତ୍ତନ ପରେ ବିଗତ ସରକାର ସମୟରେ ହୋଇଥିବା ବ୍ୟାପକ ବେଆଇନ କାରବାରକୁ ଲୋକଲୋଚନକୁ ଆଣିବା ପାଇଁ ନୂତନ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଶିବିର ଲାଗିପଡ଼ିଛନ୍ତି। ଫଳରେ ପ୍ରଶାସନର ଟାର୍ଗେଟରେ ବିଜେଡି ନେତାଙ୍କ ଶିବିର ରହିଛି।
ଗତକାଲି ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ପରିବାର ଦଖଲରେ ଥିବା ଧର୍ମଶାଳା ଶିଳ୍ପ ତାଲିମ୍ କେନ୍ଦ୍ର (ଆଇଟିସି) ନିକଟରେ ଜଙ୍ଗଲଜମି ଜବରଦଖଲ ଅଭିଯୋଗକୁ ଭିତ୍ତି କରି ମାପଚୁପ ହୋଇଥିଲା। ଆଜି ତାଙ୍କ ଅନୁଗତ ଠିକାଦାର ଅକ୍ଷୟ କୁମାର ନାୟକଙ୍କ ବାଜବାଟି ମୌଜାସ୍ଥିତ ପିଚୁପ୍ଲାଣ୍ଟ ରାଜସ୍ବ ବିଭାଗ ପକ୍ଷରୁ ମାପଚୁପ ହୋଇଛି। ପିଚୁ ପ୍ଲାଣ୍ଟ ବାଜବାଟି ମୌଜାର ଖାତା ନମ୍ବର-୨୧୫, ପ୍ଲଟ୍ ନମ୍ବର- ୧୫୯, ୧୭୨ ଓ ଖାତା ନମ୍ବର-୨୧୪, ପ୍ଲଟ୍ ନମ୍ବର- ୧୭୯, ୧୫୯, ୧୬୯ରେ ରହିଛି। ଏଠାରେ ସରକାରୀ ଜମିକୁ ଜବରଦଖଲ କରାଯାଇ ବେଆଇନ ପିଚୁ ପ୍ଲାଣ୍ଟ ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳର କେତେକ ବିଜେପି କର୍ମୀ ଗତ ୧୪ ତାରିଖରେ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ସରକାରୀ ଜମିକୁ ମାପଚୁପ କରି ଜବରଦଖଲ ମୁକ୍ତ କରିବାକୁ ଜିଲ୍ଲାପାଳ ଧର୍ମଶାଳା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଆଧାର କରି ଆଜି ଧର୍ମଶାଳା ତହସିଲ ପକ୍ଷରୁ ସୁପରଭାଇଜର ସୁବ୍ରତ କୁମାର ସାମଲ, ନାକପୋଲ ଆରଆଇ ସୁନିଲ ନାୟକ, ଏଆର୍ଆଇ ଜଗବନ୍ଧୁ ଜେନା, ଅମିନ ହିତେଶ କୁମାର ସାମଲ ଓ ନିହାରକାନ୍ତ ବିଶ୍ବାଳ ସେଠାରେ ପହଞ୍ଚି ସରକାରୀ ଜମିର ମାପଚୁପ କରିଥିଲେ। ଜମି ମାପ ପରେ ୬ଟି ପ୍ଲଟ୍ରେ ୪୫ ଡେସିମିଲ ସରକାରୀ ଜମି ଜବରଦଖଲ ହୋଇଥିବା ଧର୍ମଶାଳା ତହସିଲଦାର ଶୁଭଙ୍କର ମହାନ୍ତି ସୂଚନା ଦେଇଛନ୍ତି। ଏ ନେଇ ପିଚୁ ପ୍ଲାଣ୍ଟର ମାଲିକ ଶ୍ରୀ ନାୟକଙ୍କୁ ନୋଟିସ୍ କରାଯାଇ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ତହସିଲଦାର କହିଛନ୍ତି।
ଅପରପକ୍ଷରେ ଗତକାଲି ଧର୍ମଶାଳା ତହସିଲ ନାକପୋଲ ରାଜସ୍ବ ସର୍କଲ ଅଧୀନ ନୂଆଗାଁ ମୌଜାର ଖାତା ନମ୍ବର-୧୯୨, ପ୍ଲଟ୍ ନମ୍ବର-୮୦ରେ ଥିବା ୫ଏକର ୪୧ ଡେସିମିଲ ଜବରଦଖଲ ଜଙ୍ଗଲଜମି ମାପଚୁପକୁ ସ୍ଥଗିତ ରଖାଯାଇଛି। ଏହି ଜମିର ପୁରୁଣା କାଗଜପତ୍ର ଜିଲ୍ଲା କାର୍ଯ୍ୟାଳୟକୁ ମଗାଯାଇଛି। ଗଛଲତା, ବଣବୁଦା, ଜଙ୍ଗଲ ଥିବାରୁ ମାପି ହେଉନାହିଁ। ଆଉ ଦିନେ ମପାଯିବ ବୋଲି ତହସିଲଦାର ଶ୍ରୀ ମହାନ୍ତି କହିଛନ୍ତି।