ରାୱଲପିଣ୍ଡି: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଲାଗି ରହିଥିବାବେଳେ ଦେଶର କ୍ରିକେଟ୍ ଦଳ ଏହାଦ୍ବାର କୌଣସି ଭାବେ ପ୍ରଭାବିତ ‌ନ ‌ହୋଇ ଐତିହାସିକ କ୍ଷଣ ଅର୍ଜନ କରିନେଇଛି। ପାକିସ୍ତାନକୁ ପାକିସ୍ତାନ ମାଟିରେ ଏକ ଟେଷ୍ଟ୍ ମ୍ୟାଚ୍‌ରେ ହରାଇ ‌ଦେଇଛି। ଘରୋଇ ପରିବେଶରେ ଖେଳିବା ସତ୍ତ୍ବେ ସାନ ମାସୁଦଙ୍କ ଦଳ ୧୦ ୱିକେଟ୍‌ରେ ହାରିଯାଇଛି। ପୂର୍ବରୁ ପାକିସ୍ତାନ ବିପକ୍ଷରେ ବାଂଲାଦେଶ ୧୩ ଟେଷ୍ଟ୍ ଖେଳି ବିଜୟଶୂନ୍ୟ ରହିଥିଲା। ଏବେ ୧୪ତମ ମୁକାବିଲାରେ ପ୍ରଥମ ବିଜୟ ପାଇଛି। ଟେଷ୍ଟ୍ ମ୍ୟାଚ୍‌ ଜିତିନଥିଲା। ଏଥି ସହିତ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳାରେ ନଜମୁଲ ହୋସେନ୍‌ ସାଣ୍ଟୋଙ୍କ ଦଳ ୧-୦ରେ ଆଗୁଆ ହୋଇଛି। ବାଂଲାଦେଶର ପ୍ରଥମ ପାଳିରେ ୧୯୧ ରନ୍‌ର ମାରାଥନ୍ ଶତକ ହାସଲ କରିଥିବା ମୁସଫିକର୍ ରହିମ୍ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟ୍‌ ଅଗଷ୍ଟ ୩୦ ତାରିଖରୁ ସେହି ରାୱଲପିଣ୍ଡିରେ‌ ଖେଳାଯିବ।

Advertisment

ପାକିସ୍ତାନ ମାତ୍ରାଧିକ ଆତ୍ମବିଶ୍ବାସ କାରଣରୁ ୪୪୮/୬ରେ ପ୍ରଥମ ପାଳିକୁ ଘୋଷଣା କରିଥିଲା। କିନ୍ତୁ ଜବାବରେ ମୁସଫିକର ରହିମ ଓ ଅନ୍ୟ ୩ଟି ଉପଯୋଗୀ ଅର୍ଦ୍ଧଶତକ ବଳରୋ ବାଂଲାଦେଶ ୫୬୫ ରନ୍ ସଂଗ୍ରହ କରି ନେଇଥିଲା। ଏଥିସହ ଭ୍ରମଣକାରୀ ଦଳ ପ୍ରଥମ ପାଳିରେ ୧୧୭ ରନ୍‌ର ମହତ୍ବପୂର୍ଣ୍ଣ ଅଗ୍ରଣୀ ନେଇଯାଇଥିଲା। ପାକିସ୍ତାନ ଦ୍ବିତୀୟ ପାଳିରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିବା ଘରୋଇ ପ୍ରଶଂସକଙ୍କୁ ଅଧିକ ନିରାଶ କରିଥିଲା। ରବିବାର ପଞ୍ଚମ ଦିନ ସକାଳେ ପାକିସ୍ତାନ ଏହାର ଦ୍ବିତୀୟ ପାଳିକୁ ୨୩/୧ରୁ ଖେଳିଥିଲେ ମଧ୍ୟ ମାତ୍ର ୧୪୬ ରନ୍‌ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ପ୍ରଥମ ପାଳି ଶତକ ପରେ ମହମ୍ମଦ ରିଜୱାନ ଦ୍ବିତୀୟ ପାଳିରେ ଏକମାତ୍ର ଅର୍ଦ୍ଧଶତକ (୫୧) ହାସଲ କରିଥିଲେ। କିନ୍ତୁ ଘରୋଇ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇବା କାରଣରୁ ଆଗକୁ ବଢ଼ିପାରିନଥିଲା। ଅଫସ୍ପିନର୍‌ ମେହେଦୀ ହାସନ୍ ମିରାଜ (୧୧.୫-୨-୨୧-୪) ଏବଂ ଅଭିଜ୍ଞ ବାମହାତୀ ସ୍ପିନର୍‌ ସକିବ୍ ଅଲ୍ ହାସନ୍ (୧୭-୩-୪୪-୩) ମିଳିତ ଭାବେ ୭ ୱିକେଟ୍ ଅକ୍ତିଆର କରି ପାକିସ୍ତାନକୁ ବିପର୍ଯ୍ୟୟ ମୁହଁକୁ ଠେଲି ଦେଇଥିଲେ। ୩ ପେସ୍‌ ବୋଲର୍‌ ସୋରିଫୁଲ୍‌ ଇସଲାମ, ହାସନ୍ ମେହମ୍ମୁଦ, ନାହିଦ ରାଣା ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ଅବଦୁଲ ସଫିକ, ସାଏମ ଆୟୂବ, ସାନ୍ ମାସୁଦ, ବାବର ଆଜମ, ସୌଦ ସକିଲ୍, ଆଘା ସଲମାନ ପ୍ରମୁଖ ବିଫଳ ହେବା କାରଣରୁ ପାକିସ୍ତାନ ୧୦୫/୬ରେ ସଂଘର୍ଷ କରିବାରୁ ଆଉ ପଛକୁ ଫେରିପାରିନଥିଲା। ଜବାବରେ ମାତ୍ର ୩୦ ରନ୍‌ ବିଜୟ ଲକ୍ଷ୍ୟକୁ ବାଂଲାଦେଶ ୬.୩ ଓଭରରେ କୌଣସି ୱିକେଟ୍ ନ ହରାଇ ହାସଲ କରି ନେଇଥିଲା।

ସଂକ୍ଷିପ୍ତ ସ୍କୋର୍‌: ପାକିସ୍ତାନ ପ୍ରଥମ ପାଳି: ୪୪୮/୬ (ଘୋଷଣା)। ବାଂଲାଦେଶ ପ୍ରଥମ ପାଳି: ୫୬୫ (ମୁସଫିକର ରହିମ ୧୯୧, ସଦମନ ଇସଲାମ ୯୩, ମେହଦି ହାସନ ମିରାଜ ୭୭, ଲିଟନ ଦାସ ୫୬, ନସୀମ ସାହ ୩/୯୩, ସାହିନ ସାହ ଆଫ୍ରିଦି ୨/୮୮)। ପାକିସ୍ତାନ ଦ୍ବିତୀୟ ପାଳି: ୫୫.୫ ଓଭରରେ ୧୪୬ (ମହମ୍ମଦ ରିଜୱାନ-୫୧, ବାବର ଆଜମ-୨୨, ଅବଦୁଲ୍ଲା ସଫିକ୍ ୩୭, ମେହଦି ହାସନ ମିରାଜ-୪/୨୧, ସାକିବ୍ ଅଲ୍ ହାସନ୍‌-୩/୪୪, ସୋରିଫୁଲ୍ ଇସଲାମ୍ ୧/୨୦, ହାସନ୍ ମେହମ୍ମୁଦ-୧/୨୦, ନାହିଦ ରାଣା-୧/୩୦)। ବାଂଲାଦେଶ ଦ୍ବିତୀୟ ପାଳି: ୬.୩ ଓଭରରେ ୩୦/୦ (ଜାକୀର୍‌ ହାସନ୍‌-୧୫*, ସଦମାନ ଇସ୍‌ଲାମ-୯*)।

ବଂଲାଦେଶର ବିରଳ କୀର୍ତ୍ତିମାନ
ରବିବାର ପାକିସ୍ତାନ ବିପକ୍ଷରେ ବାଂଲାଦେଶ ପ୍ରଥମ ଥର ଏକ ଟେ‌ଷ୍ଟ୍ ମ୍ୟାଚ୍‌ ଜିତି ଗୌରବ ଆଣିଛି। କେବଳ ଏତିକି ନୁହେଁ ପାକିସ୍ତାନକୁ କୌଣସି ଦଳ ପାକିସ୍ତାନ ମାଟିରେ ୧୦ ୱିକେଟ୍‌ରେ ହରାଇନଥିବାରୁ ବାଂଲାଦେଶ ନାମରେ ମଧ୍ୟ ଏକ ବିରଳ ରେକର୍ଡ ଯୋଡ଼ି ହୋଇଯାଇଛି। ପ୍ରଥମ ପାଳିରେ ୧୧୭ ରନ୍‌ର ଅଗ୍ରଣୀ ନେଇଥିବା ବାଂଲାଦେଶ ଆଉ ଏକ ବିରଳ ରେକର୍ଡ ମଧ୍ୟ କରିଛି। ପ୍ରଥମ ଥର ପ୍ରତିଦ୍ବନ୍ଦ୍ବୀ ଦଳ ପ୍ରଥମ ପାଳିକୁ  ଘୋଷଣା କରିବା ସତ୍ତ୍ବେ ବାଂଲାଦେଶ ବାଜି ମାରିନେବା ଘଟଣା ମଧ୍ୟ ଏହି ଦେଶକୁ ଅପୂର୍ବ ସଫଳତା ‌ଦେଇଛି।

ମାସୁଦ-ଗିଲେସ୍ପି ମୁହାଁମୁହିଁ
ପାକିସ୍ତାନର ଅପ୍ରତ୍ୟାଶିତ ପରାଜୟ ପରେ ଦଳର ଅଧିନାୟକ ସାନ୍ ମାସୁଦ୍ ଏବଂ ପ୍ରଶିକ୍ଷକ ଜାସନ୍ ଗିଲେସ୍ପିଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ଏହାର ଏକ ଭିଡିଓ ରବିବାର ଇଣ୍ଟରନେଟ୍‌ରେ ଝଡ଼ ସୃଷ୍ଟି କରିଛି। ତେବେ ଏହା ମ୍ୟାଚ୍‌ ପରବର୍ତ୍ତୀ ଭିଡିଓ ନୁହେଁ ବୋଲି ଜଣାପଡ଼ିଛି। ସମ୍ଭବତଃ ଚତୁର୍ଥ ଦିନ ଖେଳ ପରେ ପ୍ରସାରଣକାରୀ କ୍ୟାମେରାରେ ଏହା କଏଦ ହୋଇଥିଲା।  ମାସୁଦ ଡ୍ରେସିଂ ରୁମ୍‌ ଭିତରକୁ ପ୍ରବେଶ କରିବା ସମୟରେ ଗିଲସ୍ପିଙ୍କୁ ଆଙ୍ଗୁଠି ଦେଖାଇ ବିରକ୍ତିଭାବରେ କିଛି କହୁଥିବା ଏହି ଭିଡ଼ିଓରେ ରହିଛି। ଉଭୟଙ୍କ ମଧ୍ୟରେ କୌଣସି କାରଣ ପାଇଁ ଯୁକ୍ତିତର୍କ ତଥା ମତପାର୍ଥକ୍ୟ ରହିଥିବା ଏଥିରୁ ପ୍ରତୀୟମାନ ହୋଇଛି। ପ୍ରଥମ ପାଳିକୁ ଆଗୁଆ ଘୋଷଣା କରିବାରେ ଉଭୟ ସହମତ ନଥିବା ଅନେକ ବିଶ୍ବାସ କରୁଛନ୍ତି। ତେବେ ଚତୁର୍ଥ ଦିବସରେ  ମୁସଫିକର୍ ରହିମ୍‌ଙ୍କ କ୍ୟାଚ୍‌ ହାତଛଡ଼ା ଅନ୍ୟତମ କାରଣ ଭାବେ ଆଲୋଚନାକୁ ଆସିଛି। କିନ୍ତୁ ଏଥିରେ ଗିଲେସ୍ପିଙ୍କ ସହ ଯୁକ୍ତିତର୍କର କୌଣସି କାରଣ ନାହିଁ। ସୂଚନାଯୋଗ୍ୟ, ମୁସଫିକର ରହିମ୍‌ଙ୍କ ୧୯୧ ରନ୍ ପାଳି ନିର୍ଣ୍ଣାୟକ ହୋଇଥିଲା। ନିମ୍ନକ୍ରମ ବ୍ୟାଟରଙ୍କୁ ନେଇ ସେ ବାଂଲାଦେଶକୁ ୧୧୭ ରନ୍‌ର ମହତ୍ତ୍ବପୂର୍ଣ୍ଣ ଅଗ୍ରଣୀ ଦେଇଥିଲେ। ରହିମ୍ ବ୍ୟକ୍ତିଗତ ଭାବେ ୧୫୦ ରନରେ ଥିବାବେଳେ ଲେଗ୍‌ ସ୍ଲିପ୍‌ରେ ବାବର ଆଜମ ଏକ କ୍ୟାଚ୍‌ ହାତଛଡ଼ା କରିଥିଲେ। ଏହା ପରେ ସେ ୪୧ ରନ୍ ଯୋଡ଼ିବା ସହ ବିଭିନ୍ନ ଭାଗୀଦାରିରେ ୯୬ ରନ୍ ଯୋଡ଼ିଥିଲେ।