ଚଣ୍ଡୀଗଡ଼: ଆପତ୍ତିଜନକ ଦୃଶ୍ୟ ସମ୍ବଳିତ ଚଣ୍ଡୀଗଡ଼ ବିଶ୍ବବିଦ୍ୟାଳୟ ଗାର୍ଲସ୍‌ ହେଷ୍ଟେଲ୍‌ ‘ଏମ୍‌ଏମ୍‌ଏସ୍‌’ ଲିକ୍‌ ଘଟଣାରେ ପ୍ରବଳ ହଟ୍ଟଗୋଳ ଚାଲିଥିବା ବେଳେ ଏଭଳି କାଣ୍ଡ ଘଟି ନ ଥିବା କଥା ଆଜି ବିଶ୍ବବିଦ୍ୟାଳୟର କର୍ତ୍ତୃପକ୍ଷମାନେ ଘୋଷଣା କରିଛନ୍ତି।

Advertisment

ଝିଅମାନଙ୍କ ସ୍ନାନଦୃଶ୍ୟ ଥିବା ୬୦ଟି ଭିଡିଓ ଭାଇରାଲ୍‌ ରିପୋର୍ଟକୁ ଖଣ୍ଡନ କରି ବିଶ୍ବବିଦ୍ୟାଳୟ କହିଛି ଯେ, ଗତରାତିରେ ଗିରଫ ହୋଇଥିବା ଅଭିଯୁକ୍ତା ତାଙ୍କ ଏକାନ୍ତ ବ୍ୟକ୍ତିଗତ ଭିଡିଓ ତାଙ୍କ ବୟଫ୍ରେଣ୍ଡ୍‌ଙ୍କ ନିକଟକୁ ପଠାଇଥିଲେ।

ଦେଇଥିବା ବିବୃତିରେ ବିଶ୍ବବିଦ୍ୟାଳୟର ପ୍ରୋ-ଚାନ୍‌ସେଲର୍‌ ଡକ୍ଟର୍‌ ଆର୍‌.ଏସ୍‌. ବାୱା କହିଛନ୍ତି, ୬୦ଟି ଆପତ୍ତିଜନକ ‘ଏମ୍‌ଏମ୍‌ଏସ୍‌’ ସେୟାର୍‌ ହୋଇଥିବା କଥା ମିଥ୍ୟା ଓ ଭିତ୍ତିହିନ। ବିଶ୍ବବିଦ୍ୟାଳୟ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଝିଅଟି ନିଜେ ଉତ୍ତୋଳନ କରି ବୟଫ୍ରେଣ୍ଡ୍‌ ନିକଟକୁ ପଠାଇଥିବା ନିଜସ୍ବ ଭିଡିଓ ବ୍ୟତୀତ ସେ ଭଳି ଆଉ କୌଣସି ଭିଡିଓ ମିଳିନାହିଁ।

publive-image Image Courtesy of The New Indian Express

ଅନୁସନ୍ଧାନରୁ ବିଶ୍ବବିଦ୍ୟାଳୟ ପାଇଥିବା ତଥ୍ୟକୁ ପୁଲିସ ମଧ୍ୟ ସମର୍ଥନ କରିଛି।  ସୁନିଶ୍ଚିତ କରି ମୋହାଲି ‘ଏସ୍‌ଏସ୍‌ପି ବିବେକ ସୋନି କହିଛନ୍ତି ଯେ ମାତ୍ର ଗୋଟିଏ ଭିଡିଓ ମିଳିଛି। ତାହା ନି‌ଜସ୍ବ ବୋଲି ଅଭିଯୁକ୍ତା ସ୍ବୀକାର କରିଛନ୍ତି।

ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଶିକ୍ଷାର୍ଥୀମାନଙ୍କ ଅନୁରୋଧକ୍ରମେ ସେମାନେ ତଦନ୍ତ ନିମନ୍ତେ ପୁଲିସ ଡାକିଥିଲେ।

ଏହାଛଡ଼ା, ଗୁପ୍ତ ଭିଡିଓ ଭାଇରାଲ୍‌ ହେବା ପରେ ଛାତ୍ରୀମାନେ ଆତ୍ମହତ୍ୟା ଉଦ୍ୟମ କରୁଥିବା ରିପୋର୍ଟକୁ ମଧ୍ୟ ବିଶ୍ବବିଦ୍ୟାଳୟ ଓ ପୁଲିସ ଗୁଜବ ବୋଲି କହିଛି। ଗତରାତିରେ ପ୍ରତିବାଦ ବେଳେ ଜଣେ ଝିଅର ‘ଆଙ୍ଗ୍‌ଜାଇଟି ଆଟାକ୍‌’ ହୋଇଥିବା କଥା ପୁଲିସ କହିଛି।