ରାଉରକେଲା: ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି) ନୂଆ କ୍ୟାଥୋଡ୍‌ ପ୍ରଯୁକ୍ତିବିଦ୍ୟା ବିକଶିତ କରିଛି, ଯାହାକି ଭାରତର ବୈଦ୍ୟୁତିକ ଯାନ (ଇଭି) ଓ ନବୀକରଣଯୋଗ୍ୟ ଶକ୍ତି ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ। ଅନୁଷ୍ଠାନର ଗବେଷକମାନେ ଲିଥିୟମ୍-ଆୟନ ବ୍ୟାଟେରୀ ପାଇଁ ଏକ ନୂଆ ଧରଣର କ୍ୟାଥୋଡ୍ ସାମଗ୍ରୀ ବିକଶିତ କରିଛନ୍ତି, ଯାହା କୋବାଲ୍ଟ ଭିତ୍ତିକ ଡିଜାଇନ୍‌ର ଏକ ବିକଳ୍ପଭାବେ କାର୍ଯ୍ୟକରିବ। ଏହା ପାରମ୍ପରିକ ଲିଥିୟମ୍-ଆୟନ ବ୍ୟାଟେରୀର ଏକ ପ୍ରମୁଖ ଉପାଦାନ କୋବାଲ୍ଟର ଉଚ୍ଚ ମୂଲ୍ୟ, ଅଭାବ ଓ ପରିବେଶଗତ ଚିନ୍ତା ସହିତ ଜଡ଼ିତ ଆହ୍ୱାନକୁ ସମାଧାନ କରିବ।
Advertisment
ସେରାମିକ୍ ଇଞ୍ଜିନିୟରିଂ ବିଭାଗର ଆସୋସିଏଟ୍ ପ୍ରଫେସର ଡ. ପାର୍ଥ ସାହାଙ୍କ ନେତୃତ୍ୱରେ ଗଠିତ ଗବେଷକ ଦଳରେ ଆସୋସିଏଟ୍‌ ପ୍ରଫେସର ସଂଜୟ ଦତ୍ତ, ରିସର୍ଚ୍ଚ ଗ୍ରାଜୁଏଟ୍‌ ଡ. ସୌମ୍ୟଶ୍ରୀ ଜେନା, ଗବେଷକ ଅଭିଷେକ କୁମାର ଅଛନ୍ତି। ଏହି ଗବେଷକ ଦଳ ମ୍ୟାଗ୍ନେସିୟମ୍ ଓ ନିକେଲ ବ୍ୟବହାର କରି କୋବାଲ୍ଟମୁକ୍ତ କ୍ୟାଥୋଡ୍ ସାମଗ୍ରୀ ପ୍ରସ୍ତୁତ କରିଛନ୍ତି। ଏହି ପଦାର୍ଥଗୁଡ଼ିକ ଲିଥିୟମ୍-ଆୟନର ଗତିକୁ ବଢ଼ାଇଥାଏ, ଯଦ୍ବାରା ବ୍ୟାଟେରୀର କାର୍ଯ୍ୟଦକ୍ଷତାରେ ଉନ୍ନତି, ଅଧିକ ସ୍ଥିରତା, ଅଧିକ କ୍ଷମତା ଧାରଣ ଓ ଦୀର୍ଘସ୍ଥାୟୀ ଶକ୍ତି ସଂରକ୍ଷଣ ହୋଇଥାଏ। ଦଳ ଏକ ମ୍ୟାଗ୍ନେସିୟମ ଭିତ୍ତିକ କ୍ୟାଥୋଡ୍ ସାମଗ୍ରୀ ବିକଶିତ କରିଛନ୍ତି, ଯାହା କୋବାଲ୍ଟକୁ ଏକ ସ୍ଥାୟୀ ଓ ସୁଲଭ ବିକଳ୍ପ ପ୍ରଦାନ କରିବ। ଏହି ନୂତନ ଉଦ୍ଭାବନ ପାଇଁ ପେଟେଣ୍ଟ୍‌ ମଧ୍ୟ ମିଳିସାରିଛି। ଏନେଇ ଡ. ପାର୍ଥ ସାହା କହିଛନ୍ତି, ଆମର ଗବେଷଣାରୁ ଜଣାପଡ଼ିଛି ଯେ ୧୦୦ ଚାର୍ଜ-ଡିସ୍‌ଚାର୍ଜ ଚକ୍ର ପରେ ନୂତନ କ୍ୟାଥୋଡ୍‌ ଏହାର ମୂଳ କ୍ଷମତାର ୭୪.୩% ବଜାୟ ରଖେ, ଯାହା ପାରମ୍ପରିକ କୋବାଲ୍ଟ-ଭିତ୍ତିକ କ୍ୟାଥୋଡ଼ରେ ଦେଖାଯାଇଥିବା ଦ୍ରୁତ କ୍ଷମତା ହ୍ରାସ ତୁଳନାରେ ଏକ ଉଲ୍ଲେଖନୀୟ ଉନ୍ନତି।
ଏତଦ୍‌ବ୍ୟତୀତ, ନୂତନ କ୍ୟାଥୋଡ଼ ଲିଥିୟମ୍ ସାଇଟ୍ ଗୁଡ଼ିକରେ ନିକେଲର କ୍ୟାଟାନିକ୍ ବିକାର ହ୍ରାସ କରିଥାଏ। ପାରମ୍ପରିକ ଏନ୍‌ଏମ୍‌ସି-ଭିତ୍ତିକ କ୍ୟାଥୋଡ୍‌ରେ ଏହା ଏକ ସାଧାରଣ ସମସ୍ୟା ଯାହା କ୍ଷମତା ଓ ଭୋଲ୍‌ଟେଜ୍‌କୁ ହ୍ରାସ କରିଥାଏ। ଉଲ୍ଲେଖଯୋଗ୍ୟ, ଏହି ଉଦ୍ଭାବନର ଅନେକ ସୁଦୂରପ୍ରସାରୀ ଲାଭ ଓ ଗୁରୁତ୍ୱପୂର୍ଣ୍ଣ ବ୍ୟବହାର ହୋଇପାରିବ। ଏହା ବିଦ୍ୟୁତଚାଳିତ ଯାନବାହନ ପାଇଁ କମ୍ ଖର୍ଚ୍ଚରେ, ଉଚ୍ଚକ୍ଷମତା ବିଶିଷ୍ଟ ବ୍ୟାଟେରୀ ତିଆରି କରିବାସହ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ଭାରତର ଲକ୍ଷ୍ୟ ପୂରଣ କରିବାରେ ସହାୟକ ହେବ। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ନାନୋମିଶନ କାର୍ଯ୍ୟକ୍ରମ ଓ ଏନ୍‌ଆଇଟି ରାଉରକେଲାର ପଦାର୍ଥ ବିଜ୍ଞାନ ଓ ଜ୍ୟୋତିର୍ବିଜ୍ଞାନ ବିଭାଗର ମିଳିତ ସହଯୋଗରେ ଏହି ଗବେଷଣା ପାଇଁ ଅର୍ଥ ଅନୁମୋଦିତ ହୋଇଥିଲା।