ତେନ୍ତୁଳିଖୁଣ୍ଟି: ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ତେନ୍ତୁଳିଖୁଣ୍ଟି ଗ୍ରାମର ଧବଳେଶ୍ୱର ପୂଜାରୀ ଆଡ଼ମିସନ ପାଇଁ ଭୁବନେଶ୍ୱର ଯାଉଥିଲେ। ହେଲେ ନବରଙ୍ଗପୁର ପହଂଚିବା ବେଳକୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା। ଏହି ସମୟରେ ଦେବଦୂତ ସାଜି ଉଭା ହେଲେ ତେନ୍ତୁଳିଖୁଣ୍ଟି ବିଡିଓ ମନୋଜ କୁମାର ପାଣିଗ୍ରାହୀ। ଧବଳେଶ୍ୱରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଉତ୍ତମ ସେବା ଯୋଗେଇ ପ୍ରଶଂସା ସାଉଁଟିଛନ୍ତି ବିଡିଓ। ନିଜେ ଧବଳେଶ୍ୱରଙ୍କ ପାଇଁ ଘରୁ ଖାଇବାକୁ ଆଣିଦେଇଥିଲେ। ଧବଳେଶ୍ୱରଙ୍କୁ ନବରଙ୍ଗପୁର ସ୍ଥିତ ଏକ ଘରୋଇ କ୍ଲିନିକରେ ଭର୍ତ୍ତି କରି ଚିକିତ୍ସା କରିବା ବ୍ୟବସ୍ଥା କରିଥିଲେ। ପରେ ନବରଙ୍ଗପୁର ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ମିଳିଥିବା ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗ୍ରାମର ଧବଳେଶ୍ୱର ପୂଜାରୀ ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଇତି ମଧ୍ୟରେ ତାଙ୍କ କାଉନ୍ସେଲିଂ ପ୍ରକ୍ରିୟା ଶେଷ ହୋଇଥିବାବେଳେ କୋରାପୁଟ ଏସଏଲଏନ ମେଡିକାଲ କଲେଜରେ ସିଟ ମିଳିଛି। ଗରିବ ମେଧାବୀ ଛାତ୍ରଙ୍କ ସଂଘର୍ଷର କାହାଣୀ ଗଣମାଧ୍ୟମରେ ଖବର ପ୍ରକାଶ ପରେ ବିଭିନ୍ନ ଦିଗରୁ ସାହାଯ୍ୟର ହାତ ବଡ଼ିଥିଲା। ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ,ରାଜ୍ୟ ସରକାର ତଥା ସହୃଦୟ ବ୍ୟକ୍ତି ବିଶେଷ ଏବଂ ବିଭିନ୍ନ ସଂସ୍ଥା ଆର୍ଥିକ ସହାୟତା ଯୋଗାଇଥିଲେ। ଶେଷରେ ଟଙ୍କା ଯୋଗାଡ଼ ହେବାପରେ ଇନ୍ଦ୍ରାବତୀ ଠାରୁ ଭୁବନେଶ୍ୱର ଯାଉଥିବା ଏକ ସରକାରୀ ବସରେ ଧବଳେଶ୍ୱର ତେନ୍ତୁଳିଖୁଣ୍ଟିରୁ ଯାତ୍ରା ଆରମ୍ଭ କରିଥିଲେ। ତେବେ ନବରଙ୍ଗପୁର ପହଂଚିବା ବେଳକୁ ଦୁର୍ଭାଗ୍ୟବଶତଃ ଧବଳେଶ୍ୱରଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା। ଧବଳେଶ୍ୱରଙ୍କୁ ସାକ୍ଷାତ କରି ମେଲାଣି ଦେବାକୁ ଆସିଥିବା ତେନ୍ତୁଳିଖୁଣ୍ଟି ବିଡ଼ିଓ ଶ୍ରୀ ପାଣିଗ୍ରାହୀ ଛାତ୍ରଙ୍କ ସେବାରେ ଲାଗି ପଡ଼ିଲେ।
ନିଜେ ତାଙ୍କୁ ନେଇ ଏକ ଘରୋଇ କ୍ଲିନିକରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଇ ପରବର୍ତ୍ତୀ ମୁହୂର୍ତ୍ତରେ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ରାତ୍ର ୧୨ ଘଣ୍ଟା ବେଳକୁ ଧବଳେଶ୍ୱର ସୁସ୍ଥ ଅନୁଭବ କରିଥିଲେ। ସେତେବେଳକୁ ନବରଙ୍ଗପୁର ଠାରୁ ଭୁବନେଶ୍ୱର ପାଇଁ କୌଣସି ବସ ନଥିଲା। ଏହାପରେ ବିଡିଓ ତେନ୍ତୁଳିଖୁଣ୍ଟି ଗ୍ରାମର ଜଣେ ବ୍ଲକ କର୍ମଚାରୀଙ୍କୁ ନବରଙ୍ଗପୁର ଆସି ଧବଳେଶ୍ୱରକୁ ନେଇ ଭୁବନେଶ୍ୱର ଯିବାକୁ କହିଥିଲେ। ବ୍ଲକ କର୍ମଚାରୀ ଟିଟୁନ ରାତ୍ର ୧୦ ଘଣ୍ଟା ସମୟରେ ନବରଙ୍ଗପୁର ପହଂଚିଥିଲେ। ଏହାରି ଭିତରେ ପୂଜାରୀଗୁଡା ଗ୍ରାମର ତଥା ମୋହନା ରେଞ୍ଜର କୁନା ବିଷୋୟୀ ଏକ କାର ଯୋଗାଡ଼ କରି ନବରଙ୍ଗପୁର ପଠେଇଥିଲେ। ଧବଳେଶ୍ୱର ସୁସ୍ଥ ହେବା ପରେ ମଧ୍ୟ ରାତ୍ରରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ବିଡିଓ ଶ୍ରୀ ପାଣିଗ୍ରାହୀ,ରେଞ୍ଜର ଶ୍ରୀ ବିଷୋୟୀ ଓ ସହଯୋଗ କରିଥିବା ବନ୍ଧୁମାନେ ଦେବଦୂତ ସାଜି ଜଣେ ଅସହାୟ ଡାକ୍ତରୀ ଛାତ୍ରଙ୍କୁ ସେବା ଯୋଗେଇ ମାନବିକତାର ପରିଚୟ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/08/21/new-project-7-2025-08-21-15-37-19.jpg)