ବନ୍ୟା ଆଶ୍ରୟ ସ୍ଥଳି ନିକଟରେ ଯୁବକଙ୍କୁ ଭାଲୁ ଆକ୍ରମଣ

ହରଭଙ୍ଗା : ଶୁକ୍ରବାର ରାତି ହରଭଙ୍ଗା ସ୍ଥିତ ବନ୍ୟା ଆଶ୍ରୟ ସ୍ଥଳି ନିକଟବର୍ତ୍ତି ଏକ ପୋଲରେ ବସି ମୋବାଇଲରେ କଥାବାର୍ତ୍ତା କରୁଥିବା ଜଣେ ରାଜ କିଶୋର ପ୍ରଧାନ (୩୫)ନାମକ ଯୁବକ ଭାଲୁ ଆକ୍ରମଣର ଶିକାର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।

ପ୍ରାପ୍ତ ସୂଚନା ଅନୁଯାଇ ଛତ୍ରଙ୍ଗ ଗ୍ରାମର ଏହି ଯୁବକ କୌଣସି କାମରେ ହରଭଙ୍ଗା ଆସି ଶୁକ୍ରବାର ରାତି ପ୍ରାୟ ୧୧ଟା ସମୟରେ ଘରକୁ ଫେରୁଥିଲେ।ଏହି ସମୟରେ ଏକ ଫୋନ ଆସିବାରୁ ସେ ବାଇକଟିକୁ ବନ୍ୟା ଆଶ୍ରୟ ସ୍ଥଳି ନିକଟସ୍ଥ ପୂର୍ତ୍ତରାସ୍ତା କଡରେ ରଖି ଗୋଟିଏ ପୋଲ ଉପରେ ବସି ମୋବାଇଲ ରେ କଥାବାର୍ତ୍ତା ହେଉଥିଲେ । ଏତିକି ବେଳେ ଦୁଇଟି ଭାଲୁ ହଠାତ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିବାରୁ ସେ ଜୀବନ ବିକଳରେ ପୋଲ ତଳଦେଇ ଯାଇଥିବା ଶଗଡ଼ିଆ କେନାଲ ଭିତରକୁ ଡେଇଁ ପଡ଼ିଥିଲେ । ଫଳରେ ଭାଲୁମାନେ ସେଠାରୁ ପଳାୟନ କରିଥିବା ବେଳେ ସୌଭାଗ୍ୟ କୁ କେନାଲରେ ପାଣିଥିବାରୁ ସେ ବଡଧରଣର ଆଘାତ ପାଇବାରୁ ବର୍ତ୍ତି ଯାଇଥିଲେ । ତାଙ୍କ ପାଟି ଶୁଣି ସେହିବାଟ ଦେଇ ଯାତାୟାତ କରୁଥିବା କିଛିଲୋକ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ହରଭଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ତାଙ୍କର ମୁଣ୍ଡର ତାଳୁରେ ଓ ବାମ କାନ୍ଧରେ ୪ଟି ଷ୍ଟିଜ ପଡିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର