ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବିଧାନସଭାରେ ବିରୋଧୀ ବିଜେପି ଓ କଂଗ୍ରେସର ହଟ୍ଟଗୋଳ, ଗୃହ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ

ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ବିପର୍ଯ୍ୟୟ ନେଇ ଆଜି ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟମାନେ ହଟ୍ଟଗୋଳ କରିବାରୁ ବିଧାନସଭା କାର୍ଯ୍ୟ ବାରମ୍ବାର ମୁଲତବୀ ହୋଇଥିଲା। ହୋହାଲ୍ଲା ଲାଗି ରହିବାରୁ ଶେଷକୁ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

ଆଜି ପୂର୍ବାହ୍ନ ସାଢେ ୧୦ଟା ବେଳେ ଗୃହର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପଡ଼ିଥିବା ନେଇ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ। କେନ୍ଦ୍ରାପଡ଼ାରେ ଗୁଳିକାଣ୍ଡରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ବେଳେ ଗତକାଲି ପଟ୍ଟନାୟକିଆଠାରେ ଟ୍ରିପଲ୍‌ ମର୍ଡର ଘଟଣାର ଉଦାହରଣ ଦେଇଥିଲେ। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବାତିଲ୍‌ କରି ଗୃହକୁ ମୁଲତବୀ କରି ଏହି ପ୍ରସଙ୍ଗ ତୁରନ୍ତ ଆଲୋଚନା କରାଯାଉ ବୋଲି ସେ ଦାବି କରିଥିଲେ। ତେବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ଦାବି ନ ଶୁଣିବାରୁ ବିଜେପି ସଭ୍ୟମାନେ ହଟ୍ଟଗୋଳ କରି ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ। ବାଚସ୍ପତି ଶ୍ରୀ ପାତ୍ର ଗୃହରେ ସ୍ୱାଭାଭିକ ଅବସ୍ଥା ଫେରାଇ ଆଣିବାକୁ ପ୍ରଥମେ ୧୦ଟା ୩୩ ମିନିଟ୍‌ରେ ଗୃହର କାର୍ଯ୍ୟ ୧୦ ମିନିଟ ପାଇଁ ମୁଲତବୀ ରଖିଥିଲେ। ପୁନରାୟ ଗୃହରେ ଅଚଳାବସ୍ଥା ଲାଗି ରହିବାରୁ ସେ ଗୃହକୁ ପୂର୍ବାହ୍ନ ସାଢେ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

ପୂର୍ବାହ୍ନ ସାଢେ ୧୧ଟାରେ ଗୃହର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ନେତା ଶ୍ରୀ ନାୟକ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ସେ ବିଭିନ୍ନ ଘଟଣାର ଉଦାହରଣ ଦେଇ ଏହି ପ୍ରସଙ୍ଗ ଗୃହରେ ଆଲୋଚନା ପାଇଁ ଏବଂ ମୁଖ୍ୟମନ୍ତ୍ରୀ ନିଜେ ଉତ୍ତର ଦେବାକୁ ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ।

ଏହାପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଥିଲେ ଯେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ରାଜ୍ୟରେ ଜଙ୍ଗଲ ରାଜ ଚାଲିଛି। କିନ୍ତୁ ମୁଖ୍ୟମନ୍ତ୍ରୀ ନିରବ ରହିଛନ୍ତି। ମୁଖ୍ୟମନ୍ତ୍ରୀ ଘରୋଇ ବିଭାଗର ମନ୍ତ୍ରୀ ଭାବେ ବିଧାନସଭା ପ୍ରତି ଉତ୍ତରଦାୟୀ । ସରକାର ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ,ରାଜ୍ୟରେ ଧର୍ଷଣ ଘଟଣା ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇ ନାହିଁ। ତେବେ,୨୦୧୭ ମସିହାରେ ୨୨୨୧ଟି ଧର୍ଷଣ ଘଟଣା ପଞ୍ଜିକୃତ ହୋଇଥିବା ବେଳେ ଗତବର୍ଷ ୨୫୦୨ ଘଟଣା ଘଟିଛି। ରାଜ୍ୟରେ ୩୦୦ ଧର୍ଷଣ ଘଟଣା ବର୍ଷକ ମଧ୍ୟରେ ବୃଦ୍ଧି ପାଇଥିବା ବେଳେ ଏହା କଣ ଉଦ୍‌ବେଗଜନକ ନୁହେଁ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ। ନିକଟରେ କେନ୍ଦ୍ରାପଡ଼ାରେ ଘଟିଥିବା ଗୁଳିକାଣ୍ଡ,ପଟ୍ଟନାୟକିଆଠାରେ ଟ୍ରିପଲ ମର୍ଡ଼ର୍‌ ଘଟଣାର ଅବତାରଣା କରି ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀ ନିଜେ ଗୃହକୁ ଆସି ଏ ସଂପର୍କରେ ଏକ ବିବୃତି ଦେବାକୁ ଦାବି କରିଥିଲେ।

ତେବେ ବାଚସ୍ପତି ଶ୍ରୀ ପାତ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଏ ସଂପର୍କରେ ବିବୃତି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ‘‘ମୁଖ୍ୟମନ୍ତ୍ରୀଙ୍କ ବିବୃତି ଆମର ଦାବି’’ ବୋଲି ସ୍ଲୋଗାନ୍‌ ଦେଇଥିଲେ। ଗୃହରେ ହଟ୍ଟଗୋଳପୂର୍ଣ୍ଣ ପରିସ୍ଥିତି ଲାଗି ରହିବାରୁ ବାଚସ୍ପତି ପୂର୍ବାହ୍ନ ୧୧ଟା୫୬ମିନିଟରେ ଗୃହର କାର୍ଯ୍ୟ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର