ଭୁବନେଶ୍ବର: ପୋଖରୀପୁଟର ଅଗ୍ରଣୀ କ୍ରିକେଟ୍‌ ଅନୁଷ୍ଠାନ ବିହାରୀଲାଲ ସ୍ପୋର୍ଟସ ଟ୍ରଷ୍ଟ୍‌ ପକ୍ଷରୁ ୨୭ତମ ଅନ୍ତଃକ୍ଲବ୍‌ ବିହାରୀଲାଲ୍‌ କ୍ରିକେଟ୍‌ ପ୍ରତିଯୋଗିତା ଗୁରୁବାରଠାରୁ ଆରମ୍ଭ ହୋଇଛି।

Advertisment

ପ୍ରଥମ ଦିବସରେ ବିଜୟ ସହିତ ରାମେଶ୍ବର ସ୍ପୋର୍ଟିଂ ଓ ପ୍ରଗତି ସ୍ପୋର୍ଟିଂ ସେମିଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି। ଉଦ୍‌ଘାଟନୀ ମ୍ୟାଚ୍‌ରେ ରାମେଶ୍ବର ସ୍ପୋର୍ଟିଂ ରୋମାଞ୍ଚକ ଭାବେ ଶେଷ ଓଭରରେ ପାରାମାଉଣ୍ଟ୍‌ ସ୍ପୋର୍ଟିଂକୁ ୬ ୱିକେଟ୍‌ରେ ପରାସ୍ତ କରିଥିଲା। ମ୍ୟାଚ୍‌ ବିଜୟୀ ଅର୍ଦ୍ଧଶତକ ହାସଲ କରିଥିବାରୁ ସ୍ବୟଂ ପଣ୍ଡା (୨୧ ବଲ୍‌ରୁ ୬୫ ରନ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଦ୍ବିତୀୟ କ୍ବାର୍ଟରଫାଇନାଲ୍‌ରେ ପ୍ରଗତି ସ୍ପୋର୍ଟିଂ ୭ ୱିକେଟ୍‌ରେ ମୁକ୍ତେଶ୍ବର କ୍ରିକେଟ୍‌ କ୍ଲବ୍‌କୁ ପରାସ୍ତ କରିଥିଲା। ସୁନ୍ଦର ବୋଲିଂ ପାଇଁ ଆଲୋକ ବାରିକ (୨-୦-୧୧-୨) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଅପରାହ୍ଣରେ ଅନୁଷ୍ଠିତ ଭେଟେରାନ୍‌ ବର୍ଗର ପ୍ରତିଯୋଗିତାରେ ସହିଦ ସ୍ପୋର୍ଟିଂ ୪ ରନ୍‌ରେ ଏମ୍‌ସିିସିକୁ ଏବଂ ଜିପି ବ୍ଲାଷ୍ଟର୍ସ ୮ ୱିକେଟ୍‌ରେ ଯଦୁପୁରକୁ ପରାସ୍ତ କରିଥିଲା। ଏହି ଦୁଇ ମ୍ୟାଚ୍‌ରେ ଯଥାକ୍ରମେ ରାମ ଲାଲ୍‌ ( ୩୪ ରନ୍‌ ଓ ୧/୧୭) ଏବଂ ଦିନେଶ ସାହୁ (୨୯ ରନ୍‌ ଓ ୧/୨୫) ମ୍ୟାଚ୍‌ର ଶ୍ରେଷ୍ଠ‌ ଖେଳାଳି ପୁରସ୍କାର ପାଇଥିଲେ।

ଏହି ୪ ଦିନିଆ ପ୍ରତିଯୋଗିତାକୁ ଗୁରୁବାର ସକାଳେ ଏକାମ୍ର ବିଧାୟକ ବାବୁ ସିଂହ ଓ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ନିରଞ୍ଜନ ମିଶ୍ର ଉଦ୍‌ଘାଟନ କରିଥିଲେ। ବିହାରୀଲାଲ୍‌ ସ୍ପୋର୍ଟସ ଟ୍ରଷ୍ଟ୍‌ ସଭାପତି ଅକ୍ଷୟ କୁମାର ଜେନାଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର୍‌ ହୃଦୟବଲ୍ଲଭ ସାମନ୍ତରାୟ, ଟ୍ରଷ୍ଟ ସଦସ୍ୟ ମନୋଜ ପାତ୍ର, ତୋଫାନ ସାମନ୍ତରାୟ, ତାପସ ଦଳେଇ, ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ସମ୍ପାଦକ ସୁରେଶ ସ୍ବାଇଁ, ବରିଷ୍ଠ କ୍ରିକେଟ୍‌ ପ୍ରଶିକ୍ଷକ କ୍ଷୀରୋଦ ବେହେରା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ।