ମୁମ୍ବାଇ: ମହାରାଷ୍ଟ୍ରର ଗଡଚିରୋଲିରେ ଏକ ସଡ଼କ ଦୁର୍ଘଟଣାରେ ତିନି ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ତିନିଜଣ ଯୁବକମାନଙ୍କ ମଧ୍ୟରୁ ଦୁଇ ଜଣ ଭାଇ ଥିଲେ ଏବଂ ତୃତୀୟ ଜଣକ ସେମାନଙ୍କର ବନ୍ଧୁ ଥିଲେ। ତିନିଜଣଙ୍କ ବୟସ ୨୦ ବର୍ଷରୁ କମ୍ ଥିଲା। ବାଇକରେ ତିନି ଜଣ ଯାଉଥିବାବେଳେ ଦ୍ରୁତ ଗତି ଯୋଗୁଁ ଗାଡ଼ି ଚଳାଉଥିବା ଯୁବକ ନିୟନ୍ତ୍ରଣ ହରାଇଥିଲେ ଏବଂ ଏହା ଏକ ଗଛକୁ ଜୋରରେ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବାଇକ୍‌ରୁ ପଡ଼ିଥିବା ତିନି ଜଣ ଯୁବକଙ୍କର ମୃତ୍ୟୁ ହୋଇଥିଲା।

Advertisment

 ଏମାନଙ୍କ ମଧ୍ୟରୁ ଦୁଇ ଜଣ ମହାରାଷ୍ଟ୍ର ବସନ୍ତପୁରର ହୋଇଥିବାବେଳେ ତୃତୀୟ ଯୁବକ ତେଲେଙ୍ଗାନାର ବାସିନ୍ଦା। ଧକ୍କା ଏତେ ଜୋରଦାର ଥିଲା ଯେ ଗଛରେ ପିଟି ହେବା ମାତ୍ରେ ବାଇକ୍‌ଟିରେ ନିଆଁ ଲାଗିଗଲା। ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ରାସ୍ତା ପାର୍ଶ୍ୱରେ ଜଙ୍ଗଲରେ ବାଇକ୍‌ଟି ଜଳୁଥିବାର ଦେଖାଯାଉଛି। ମୃତକଙ୍କ ମଧ୍ୟରେ ସୌରଭ ଶୁଭାଶିଷ ଚକ୍ରବର୍ତ୍ତୀ (୨୦ ବର୍ଷ) ଏବଂ ସାହେବ ଶୁଭାଶିଷ ଚକ୍ରବର୍ତ୍ତୀ (୧୬ ବର୍ଷ) ଓ ବିଶାଲ ଭୁପାଲ ବଚ୍ଚାଡ (୧୯ ବର୍ଷ) ବୋଲି ଜଣାପଡିଛି |

ଦୁଇ ଭାଇଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତୃତୀୟ ଯୁବକ ବିଶାଲଙ୍କୁ ଚାମୋର୍ଶିରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଆଉ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ପୁଲିସ କହିଛି ଯେ ତିନି ଜଣ ଯୁବକ ବସନ୍ତପୁରରୁ ଘୋଟ ଯାଉଥିବା ବେଳେ ଠାକୁରନଗର ପାହାଡ଼ ନିକଟରେ ଏକ ମୋଡ଼ରେ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ବାଇକ୍‌ଟି ଏକ ସାଗୁଆନ ଗଛରେ ଧକ୍କା ଦେଇଥିଲା। ସେମାନଙ୍କ ମଧ୍ୟରୁ କେହି ହେଲମେଟ ପିନ୍ଧି ନଥିଲେ।