ଭୁବନେଶ୍ୱର: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ। ଆଉ ମାତ୍ର କିଛି ଦିନ ଭିତରେ ନିଜ ଶାସନକର୍ତ୍ତାଙ୍କୁ ପାଇବେ ଜନତା। ଏ ନେଇ ସୋସିଆଲ୍ ମିଡିଆରେ ବି ଭିତିରିଆ ଲଢ଼େଇ ଆରମ୍ଭ ହୋଇ ଯାଇଛି। ବିଭିନ୍ନ ଦଳ ନିଜ ନିଜ ପ୍ରଚାର କରିବା ପାଇଁ ସୋସିଆଲ୍ ମିଡିିଆର ସହାୟତା ନେଇଥିବାର ଦେଖିବାକୁ ମିଳିଛି।
ତେବେ, ଜାଣିବାକୁ ମିଳିଛି ଯେ ନିଜ ଦଳୀୟ ପ୍ରଚାର ବିଜ୍ଞାପନ ପାଇଁ ଫେସ୍ବୁକ୍ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରି ଚାଲିଛନ୍ତି ରାଜନୈତିକ ଦଳ। ଓଡ଼ିଶାର ଆଞ୍ଚଳିକ ଦଳ ବିଜୁ ଜନତା ଦଳ(ବିଜେଡି) ମଧ୍ୟ ଏହି ଫେସ୍ବୁକ୍ ପ୍ରଚାରରେ ଟଙ୍କା ଖର୍ଚ୍ଚ କରିବାରେ ଲାଗିଛି। ଏପରିକି କିଛି ଜାତୀୟ ଦଳଗୁଡ଼ିକ ସହ ଟକ୍କର ଦେଇଛି ନବୀନ ପଟ୍ଟନାୟକଙ୍କ ଦଳ ବିଜେଡି।
/sambad/media/post_attachments/wp-content/uploads/2019/03/facebook-2-1-300x142.jpg)
‘ଫେସ୍ବୁକ୍ ଓ୍ଵିକ୍ଲି ଆଣ୍ଡ୍ ଲାଇବ୍ରେରି ରିପୋର୍ଟ’ ମୁତାବକ ମାର୍ଚ ୧୭ରୁ ୨୩ ତାରିଖ ଭିତରେ ସପ୍ତାହ ମଧ୍ୟରେ ବିଜେଡିର ଫେସ୍ବୁକ୍ରେ ଥିବା ‘ନବୀନ ପଟ୍ଟନାୟକ’ ପେଜ୍ ୯,୧୩, ୪୭୬ ଟଙ୍କା ବିଜ୍ଞାପନ ବାବଦରେ ଖର୍ଚ୍ଚ କରିଥିବା ବେଳେ ‘ବିଜୁ ଜନତା ଦଳ ଓଡ଼ିଶା’ରେ ଖର୍ଚ୍ଚ ହୋଇଛି ୧,୪୧, ୯୦୪ ଟଙ୍କା। ବିଜେଡି ସପ୍ତାହ ଭିତରେ ନିଜର ଦୁଇଟି ପେଜରେ ବିଜ୍ଞାପନ ପିଛା ଖର୍ଚ୍ଚ କରିଛି ସମୁଦାୟ ୧୦ ଲକ୍ଷ ୫୫ ହଜାର ୩୮୦ ଟଙ୍କା।
ତେବେ, ଜାଣିବାକୁ ମିଳିଛି ଯେ ଫେସ୍ବୁକ୍ରେ ବିଜ୍ଞାପନରେ ସର୍ବଧିକ ଟଙ୍କା ଖର୍ଚ୍ଚ କରିଛି ବିଜେପି। ମୋଦିଙ୍କ ସମର୍ଥିତ ବିଭିନ୍ନ ଫେସ୍ବୁକ୍ ପେଜ୍କୁ ମିଶାଇଲେ ବିଜ୍ଞାପନ ବାବଦରେ ୭୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ପାଖାପାଖି ୩୦ ଲକ୍ଷ ଟଙ୍କା ଖର୍ଚ କରିଛି କଂଗ୍ରେସ।