ଭୁବନେଶ୍ୱର: ଗତକାଲି ବିଜୁ ଜନତା ଦଳର ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଟିକେଟ୍‌ ପାଇ ନ ଥିବା କେତେକ ପ୍ରାର୍ଥୀ ଦଳ ଛାଡ଼ିବା ଆରମ୍ଭ କରିଛନ୍ତି। ଉଲ୍ଲେଖଯୋଗ୍ୟ କଥା ହେଲା, ଅଧିକାଂଶ ଟିକେଟ ବଞ୍ଚତ ନେତା ଭାରତୀୟ ଜନତା ପାର୍ଟିରେ ସାମିଲ୍‌ ହେବା ସମ୍ଭାବନା ଦେଖାଯାଇଛି। ପୁଣି କେତେକ ରାଜନେତା ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି।

Advertisment

କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଟିକେଟରୁ ବଞ୍ଚତ ହୋଇଛନ୍ତି। କନ୍ଧମାଳରେ ବିଜେଡି ପକ୍ଷରୁ ଡ଼ ଅଚ୍ୟୁତ ସାମନ୍ତଙ୍କୁ ଲୋକସଭା ପ୍ରାର୍ଥୀ କରାଯାଇଛି। ତେବେ ପ୍ରତ୍ୟୁଷା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନୟାଗଡ ବିଧାନସଭା ଆସନରୁ ନିର୍ବାଚନ ଲଢିବାକୁ ଆଗ୍ରହୀ ବୋଲି କହିସାରିଛନ୍ତି। ଏଥିସହ ସେ ଆଜି ଏକଥା ମଧ୍ୟ ପ୍ରକାଶ କରିଛନ୍ତି ଯେ ତାଙ୍କୁ ଟିକେଟ ନ ମିଳିଲେ ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ। ଅନ୍ୟପକ୍ଷରେ ସେ ବିଜେପି ସହ ଯୋଗାଯୋଗରେ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି। ସେ ଏବେ ଦିଲ୍ଲୀରେ ଥିବା ଦେଖି ଆଲୋଚନା ହେଉଛି।

publive-image

ଅନ୍ୟପକ୍ଷରେ ପାରଳାଖେମୁଣ୍ଡି ବିଧାନସଭା ଆସନ ଲାଗି ବିଜେଡି ଟିକେଟ ପାଇ ନଥିବା ପୂର୍ବତନ ବିଧାୟକ କେ.ନାରାୟଣ ରାଓ ମଧ୍ୟ ଦଳ ଛାଡ଼ିଛନ୍ତି । ଆଜି ତାଙ୍କ ସମର୍ଥକମାନଙ୍କ ସହ ସେ ବୈଠକ କରି ଏହି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ସେହିପରି ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲାର ବିଜେଡ଼ି ଟିକେଟ୍‌ ଆଶାୟୀ କୁସୁମ ଟେଟେ ଦଳରୁ ଇସ୍ତଫା ଦେଇଛନ୍ତି।

ବିଜେଡ଼ି ଟିକେଟ୍‌ ବଞ୍ଚତ ନେତା ଦଶପଲ୍ଲାର ପୂର୍ଣ୍ଣଚନ୍ଦ୍ର ନାୟକ ଅସନ୍ତୁଷ୍ଟ ଅଛନ୍ତି ଓ ବିଜେପି ସହ ଯୋଗାଯୋଗରେ ଥିବା ଆଲୋଚନା ହେଉଛି। ଗଞ୍ଜାମ ଜିଲ୍ଲାର ଖଲିକୋଟର ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ମଧ୍ୟ ଅସନ୍ତୁଷ୍ଟ ଥିବା ସହ ବିଜେପି ଯୋଗାଯୋଗରେ ଥିବା ଚର୍ଚ୍ଚା ହେଉଛି।