ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗତ ଅଗଷ୍ଟ ମାସରେ ଆସିଥିବା ବନ୍ୟାରେ ଜିଲ୍ଲାରେ ବହୁ କ୍ଷୟକ୍ଷତି ହୋଇଥିଲା। ଲୋକଙ୍କର ଘର ଭାଙ୍ଗିବା ସହ ଧାନ ଫସଲ ନଷ୍ଟ ଏବଂ ରାସ୍ତାଘାଟ ତଥା ବ୍ରିଜଗୁଡିକ ଭାଙ୍ଗିଯାଇଥିଲା। କ୍ଷୟକ୍ଷତିର ଆକଳନ କରି ୭ ଦିନ ମଧ୍ୟରେ ସରକାରଙ୍କୁ ପ୍ରଶାସନ ରିପୋର୍ଟ ଦେଲେ ତୁରନ୍ତ କ୍ଷୟକ୍ଷତି ମିଳିବ ବୋଲି ସରକାର ଘୋଷଣା କରିଥିଲେ | ଯାହାକୁ ଆଜିକୁ ୪ ମାସରୁ ଉର୍ଦ୍ଧ୍ବ ସମୟ ବିତିଗଲାଣି। ପୁଣି ଗତ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ମାଲକାନଗିରି ଗସ୍ତକରି କ୍ଷୟକ୍ଷତିର ଆକଳନ କରିଥିଲେ। ଏଥିସହ ରିଲିଫ କମିଶନର ଦେଓରଂଜନ ସିଂ ମଧ୍ୟ ମାଲକାନଗିରି ଗସ୍ତରେ ଆସିଥିଲେ। ଏହା ପୂର୍ବରୁ ମଧ୍ୟ ରାଜ୍ୟର ମୁଖ୍ୟ ଶାସନ ସଚିବ ବିଷ୍ଣୁପଦ ସେଠୀ ମଧ୍ୟ ଜିଲ୍ଲାକୁ ଆସି ବନ୍ୟାର ସ୍ଥିତିର ସମୀକ୍ଷା କରିଥିଲେ।
ବନ୍ୟା କ୍ଷତିଗ୍ରସ୍ତ ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲ୍ଲାରେ ପାଇବା ପରେ ତୁରନ୍ତ କ୍ଷୟକ୍ଷତି ମିଳିବ ବୋଲି ଯେଉଁ ଆଶା କରିଥିଲେ ତାହା ଆଜି ପର୍ଯ୍ୟନ୍ତ ମିଳିଲା ନାହିଁ। ଯାହାକୁ ନେଇ ଆଜି ଜିଲ୍ଲା ବିଜେଡି ସଭାପତି ମାନସ ମାଡକାମୀଙ୍କ ନେତୃତ୍ବରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ବର୍ଷିଥିଲା। ସୂଚନାଯୋଗ୍ୟ ଯେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପ୍ରଦୀପ ମାଝି, ମାନସ ମାଡକାମୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷା,ବ୍ଲକ ଅଧ୍ୟକ୍ଷା ସମେତ ବହୁ ନେତା ବନ୍ୟା କ୍ଷତିଗ୍ରସ୍ତ ଅଂଚଳ ବୁଲି ଲୋକଙ୍କୁ ରିଲିଫ ପ୍ରଦାନ କରିଥିଲେ। ଅତିଶୀଘ୍ର ବନ୍ୟା କ୍ଷତିଗ୍ରସ୍ତଙ୍କୁ ଯେଉଁ ସହଯୋଗ ମିଳିବ ବୋଲି ଲୋକା ଆଶା କରିଥିଲେ ତାହା ଆଶାରେ ହିଁ ରହିଗଲା। ମୁଖ୍ୟମନ୍ତ୍ରୀ ଜିଲ୍ଲା ମହୋତ୍ସବ ମାଲ୍ୟବନ୍ତକୁ ଆସିବାକୁ ଥିବା ବେଳେ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ତ ପୂରଣ କଲେ ନାହିଁ ଏବେ ପୁଣି ଆସି କଣ ପ୍ରତିଶ୍ରୁତି ଦେବେ ବୋଲି ବିଜେଡି ପ୍ରଶ୍ନ କରିଛି। ସେହିପରି ପୋଲାଭରମ ଯୋଗୁଁ ମାଲକାନଗିରି ଜିଲ୍ଲାର ବହୁ ଅଂଚଳ ବୁଡିବ। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ କି ପଦକ୍ଷେପ ନେବେ ତାହା ଜଣାନ୍ତୁ।
ଗତ ୨୦୧୪ରେ କେନ୍ଦ୍ର ସରକାର ପୋଲାଭରମକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେଲେ। ଏବେ ଡବଲ ଇଞ୍ଜିନ ସହ ଆନ୍ଧ୍ରପ୍ରଦେଶର ଭାଗୁଆଳି ସରକାର ରହିଛି। ଆଦିବାସୀ ତାଂକର ଭିଟାମାଟି ଓ ଜଂଗଲ ଏଥିପାଇଁ ନଷ୍ଟ ହେଉଥିବାରୁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ କି ପ୍ରତିଶ୍ରୁତି ଦେବେ ବୋଲି ବିଜେଡି ପ୍ରଶ୍ନ କରିଛି। ଏହି ପ୍ରକଳ୍ପ ଦ୍ବାରା ଓଡିଶାକୁ ଟଂକାକର ଲାଭ ହେବ ନି ବୋଲି ବିଜେଡି କହିଛି। ସେହିପରି ମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବାରୁ ଚାଷୀ କ୍ଷତି ସହି ଦଲାଲ ହାତରେ ଧାନ ଟେକି ଦେଉଛି। ସରକାର ୩୧ ଟଂକାରେ ଧାନ ଖରିଦ କରିବା ପାଇଁ ଗୋଷଣା କରିଛନ୍ତି। ଓଡିଶା ସରକାର ଏଥିରୁ ୮୦୦ ଟଂକା ବୋନସ ଦେବେ ବୋଲି ଘୋଷଣା କରିଛନ୍ତି।
ତେବେ କେବେ ମଣ୍ଡି ଖୋଲିବ ଏବଂ କେବେ ଚାଷୀ ନିଜର ଧାନ ବିକ୍ରି କରିବେ ବୋଲି ବିଜେଡି ପ୍ରଶ୍ନ କରିଛି। ବର୍ଷା,ବନ୍ୟା ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଥିବା ବେଳେ ଏବେ ଦଲାଲ ହାତରେ ପଡି ନିଜର ଉଚିତ ପ୍ରାପ୍ୟ ପାଇପାରୁନାହାନ୍ତି ଚାଷୀ। ତେଣୁ ମାଲ୍ୟବନ୍ତ ଆସିବା ପୂର୍ବରୁ ତୁରନ୍ତ ଏହି ସମସ୍ୟାଗୁଡିକର ସମାଧାନ କରିବାକୁ ଦାବି କରିଛି ବିଜେଡି।ଆଜିର ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ଗୋପାଳ ପଣ୍ଡା,ବ୍ଲକ ଅଧ୍ୟକ୍ଷା ଗୌରି ପଡିଆମି,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ,ପୌର ଅପାଧ୍ୟକ୍ଷା,ଅଜୟ ଦାସ, ପ୍ରଶାନ୍ତିଲତା ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ।