ଭୁବନେଶ୍ୱର: ନିର୍ବାଚନ ଆଦର୍ଶ ଆଚରଣ ବିଧିର ବାରମ୍ବାର ଉଲ୍ଲଂଘନ କରି ଚାଲିଥିବା ବିଜେପି ଶେଷରେ ନିର୍ବାଚନ କମିସନଙ୍କ ଆଦେଶକୁ ବି ଦଳିଚକଟି ଦେଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଗୁରୁବାର ହେବାକୁ ଥିବା ବେଳେ ବିଜେପି ବିରୋଧରେ ବିଜୁ ଜନତା ଦଳ ବୁଧବାର ସଙ୍ଗୀନ ଅଭିଯୋଗ ଆଣିଛି। ନିର୍ବାଚନ କମିସନଙ୍କ ବାରଣ ସତ୍ତ୍ୱେ ଆଜି ବିଜେପି ଏକ ପ୍ରେସ ମିଟ କରି ନିର୍ବାଚନ ନୀତିନିୟମକୁ ଜଳାଞ୍ଜଳି ଦେଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ଜଣାଇଛି।

Advertisment

ମତଦାନର ୪୮ ଘଣ୍ଟା ପୂର୍ବରୁ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କ ଉପରେ ପ୍ରଚାର କଟକଣା ରହିଛି। ଚଳିତବର୍ଷ ନିର୍ବାଚନ କମିସନ ଏଥିରେ ଆଉ ଏକ କଟକଣା ଲଗାଇଛନ୍ତି। ଏହି ସମୟରେ ଷ୍ଟାର ପ୍ରଚାରକ ଏବଂ ଅନ୍ୟ ନେତାମାନେ କୌଣସି ସାମ୍ବାଦିକ ସମ୍ମିଳନୀ କିମ୍ବା ନିର୍ବାଚନ ସଂପର୍କରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇପାରିବେ ନାହିଁ ବୋଲି କଡା କଟକଣା ଜାରି ହୋଇଛି। ଗତ ମାର୍ଚ୍ଚ ୧୫ରେ ନିର୍ବାଚନ କମିସନଙ୍କ ପକ୍ଷରୁ ଏନଟି ଭୂତିଆ ଚିଠି ନମ୍ବର ୩/ଇଆର/୨୦୧୮/ଏସଡିଆର/ଭଲ୍ୟୁମ-୧ରେ ସବୁ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ଏହାର ଆଦେଶନାମା ପଠାଇଛନ୍ତି।

ବିଜେଡି ମୁଖପାତ୍ର ଡ. ସସ୍ମିତ ପାତ୍ର, ଲେଲିନ୍‌ ମହାନ୍ତି, ସୁଲତା ଦେଓ ଏବଂ ସୁଲୋଚନା ଦାସ ପ୍ରମୁଖ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏହି ଦାବି ଜଣାଇଛନ୍ତି।