ବିଜେଡିର ଚାଉଳ, ବିଜେପିର ମମିତା: ବଳକା ଚାଉଳ ଉଠାଣ ଦାବିରେ ବିକ୍ଷୋଭ

ପୁଲିସ- ବିଜେପି କର୍ମୀ ଧସ୍ତାଧସ୍ତି; ଶତାଧିକ ଗିରଫ, ପ୍ରତିବାଦରେ ମହିଳାକର୍ମୀଙ୍କ ଧାରଣା

ଭୁବନେଶ୍ବର: ଓଡ଼ିଶା ଚାଷୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ପକ୍ଷପାତିତା ଓ ଅନ୍ୟାୟ ବିରୋଧ‌ରେ ଆଜି ବିଜେଡି ରାଜଧାନୀରେ ଗର୍ଜିଛି। ଦଳ ପକ୍ଷରୁ ସତ୍‌ସଙ୍ଗବିହାରସ୍ଥିତ ଏଫ୍‌ସିଆଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଦଳର ଭୁବନେଶ୍ବର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ମହସୂପକାରଙ୍କର ନେତୃତ୍ୱରେ ଆୟୋଜିତ ଏହି ପ୍ରତିବାଦ ସଭାରେ ଶହେରୁ ଉର୍ଦ୍ଧ୍ବ ଚାଷୀ ଓ ଦଳୀୟ କର୍ମୀ ଯୋଗଦେଇ କେନ୍ଦ୍ର ସରକାରଙ୍କ ଚାଷୀ ମାରଣନୀତିକୁ ତୀବ୍ର ବିରୋଧ କରିଥିଲେ। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏଥିରେ ଯୋଗଦେଇ କହିଥିଲେ ଯେ ଦିନେ ଭୋକର ଭୂଗୋଳ କୁହାଯାଉଥିବା ଓଡ଼ିଶା ଆଜି ଭାରତବର୍ଷରେ ଚାଉଳ ଉତ୍ପାଦନରେ ଏକ ବଳକା ରାଜ୍ୟ ଭାବରେ ପରିଗଣିତ ହେଉଛି। ଚଳିତ ଆର୍ଥିକ ବର୍ଷ ଓଡ଼ିଶାରୁ ୫୨ ଲକ୍ଷ ମେଟ୍ରିକ୍ ଟନ୍‌ ଚାଉଳ ଉତ୍ପାଦନ ହୋଇଥିବା ବେଳେ ୩୦ ଲକ୍ଷ ମେଟ୍ରିକ ଟନ୍ ଚାଉଳ ରଖି ବଳକା ୨୨ଟନ୍‌ ଚାଉଳ ଉଠାଇବା ପାଇଁ ସଂଘୀୟ ବ୍ୟବସ୍ଥା ଅଛି। କିନ୍ତୁ ଏଫ୍‌ସିଆଇ ଜାଣିଶୁଣି ଓଡ଼ିଶାର ବଳକା ଚାଉଳ ନ ଉଠାଇ ଚାଷୀମାନଙ୍କ ପ୍ରତି ଅବିଚାର କରୁଛି। ଏହି ବିକ୍ଷୋଭରେ ସାଂସଦ ମୁନା ଖାନ୍, ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି, ବିଜେଡିର ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ, ଓଡ଼ିଶା-ମୋ ପରିବାରର ଅଧକ୍ଷ ଅରୂପ ପଟ୍ଟନାୟକ, ବରିଷ୍ଠ ନେତା ରବି ସାମଲ, ସୁବାସ ଚନ୍ଦ୍ର ପାତ୍ରଙ୍କ ସମେତ ପୂର୍ବତନ କର୍ପୋରେଟର୍‌ ଓ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲାର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତରୁ ଚାଷୀମାନେ ସାମିଲ ହୋଇଥିଲେ। ଏହି ଅବସରରେ ଦଳର ଏକ ପ୍ରତିନିଧି ମଣ୍ଡଳୀ ଏଫ୍‌ସିଆଇର ଉପମହାପ୍ରବନ୍ଧକଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥି‌ଲେ।

ପୁଲିସ- ବିଜେପି କର୍ମୀ ଧସ୍ତାଧସ୍ତି; ଶତାଧିକ ଗିରଫ, ପ୍ରତିବାଦରେ ମହିଳାକର୍ମୀଙ୍କ ଧାରଣା

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନକୁ ନେଇ ସାରା ରାଜ୍ୟରେ ଗାଁ ରାଜନୀତି ସରଗରମ ହୋଇଛି। ଠିକ୍ ଏତିକିବେଳେ ରାଜଧାନୀକୁ ପୁଣି ଫେରିଛି ମମତା ମେହେର ତାତି। ୪ ମାସ ପରେ ବି ମମିତା ହତ୍ୟାକାଣ୍ଡ ତଦନ୍ତ ଅଧା ରହିଥିବା ଅଭିଯୋଗରେ ଓ ରାଜ୍ୟ ସରକାର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ପୁଣି ରାଜଧାନୀରେ ବଡ଼ଧରଣର ଆନ୍ଦୋଳନ କରାଯାଇଥିଲା। ନବୀନ ନିବାସ ଘେରାଉ କରିବାକୁ ଯାଉଥିବା ବେଳେ ପୁଲିସ ବିକ୍ଷୋଭକାରୀଙ୍କୁ ଶିଶୁଭବନ ଛକରେ ଅଟକାଇଥିଲା। ଫଳରେ ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ପ୍ରଥମେ ଠେଲାପେଲା ଓ ପରେ ଧସ୍ତାଧସ୍ତି ପର୍ଯ୍ୟନ୍ତ କଥା ଯାଇଥିଲା। ପୁଲିସ ବିକ୍ଷୋଭକାରୀଙ୍କୁ ଗିରଫ କଲା ବେଳେ ଏହି ଛକ ଏକପ୍ରକାର ରଣକ୍ଷେତ୍ର ପାଲଟିଯାଇଥିଲା। ତେବେ ଶତାଧିକ କର୍ମୀଙ୍କୁ ପୁଲିସ ଉଠାଇ ନେବା ପରେ ମହିଳାକର୍ମୀମାନେ ରାସ୍ତା ଉପରେ ଧାରଣା ଦେଇଥିଲେ।

ବିଜେପିର ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂହଙ୍କ ନେତୃତ୍ୱରେ କର୍ମୀମାନେ ଏକ ବିରାଟ ପଟୁଆରରେ ରାଜମହଲ ଛକରୁ ବାହାରିଥିଲେ। ମମିତା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ନାରାବାଜି କରିଥିଲେ। ଶିଶୁଭବନ ଛକରେ ସେମାନେ ପୁଲିସ୍ ବ୍ୟାରିକେଡ୍‌କୁ ଅତିକ୍ରମ କରିବାକୁ ଉଦ୍ୟମ କଲାବେଳେ ଆରମ୍ଭ ହୋଇଥିଲା ଖଣ୍ଡଯୁଦ୍ଧ। ଶୋଭାଯାତ୍ରାକୁ ଅଟକାଉଥିବା ପୁଲିସକୁ ବିଜେପି ମହିଳାକର୍ମୀମାନେ ମୁକାବିଲା କରିଥିଲେ। ଧସ୍ତାଧସ୍ତିରେ ଉଭୟ ପୁଲିସ୍ କର୍ମଚାରୀଙ୍କ ସମେତ ବିଜେପି ମହିଳାକର୍ମୀମାନେ ଆହତ ହୋଇଥିଲେ। ଆହତମାନଙ୍କୁ ଆମ୍ବୁଲାନ୍ସ ସହାୟତାରେ କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୁଲିସ୍ ବିକ୍ଷୋଭକାରୀଙ୍କୁ ଗିରଫ କରିବା ପରେ ଏହାକୁ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବୋଲି ଅଭିଯୋଗ କରି ମହିଳାକର୍ମୀମାନେ ଧାରଣାରେ ବସିଥିଲେ।

ବାବୁ ସିଂହ କହିଥିଲେ ଯେ ମମିତା ମେହେର ହତ୍ୟାକାଣ୍ଡକୁ ୧୨୦ ଦିନ ପୂରିଥିଲେ ବି ପୁଲିସ୍ ଚାର୍ଜସିଟ୍‌ ଦାଖଲ କରିପାରିଲାନି। କେବଳ ଗୋବିନ୍ଦ ସାହୁକୁ ଗିରଫ କରି ପୁଲିସ ହାତବାନ୍ଧି ବସିଛି। ଅନ୍ୟତମ ଅଭିଯୁକ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ କରିବା ପରିବର୍ତ୍ତେ ତାଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେଇଆସୁଛନ୍ତି। ଜଣେ ଅଭିଯୁକ୍ତକୁ ସୁରକ୍ଷା ଦିଆଯାଉଥିବା ବେଳେ ନ୍ୟାୟ ଦାବି କରୁଥିବା ଲୋକଙ୍କୁ ଗିରଫ କରାଯାଉଛି। ସେହିଭଳି ବିଜେପି ନେତ୍ରୀ ‌ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ ଯେ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଇ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। ଏହା ନହେଲେ ମମିତାକୁ ନ୍ୟାୟ ମିଳିବ ନାହିଁ। ମମିତାକୁ ନ୍ୟାୟ ନ ମିଳିବା ଯାଏଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ସେ ଚେତାବନୀ ଦେଇଥିଲେ। ଏହି ଆନ୍ଦୋଳନରେ ଅନିତା ଶୁଭଦର୍ଶୀନି, ସ୍ମୃତି ପଟ୍ଟନାୟକ, ସୁରଥ ବିଶ୍ୱାଳ, ଉର୍ମିଳା ମହାପାତ୍ର, ଠାକୁର ରଣଜିତ୍ ଦାସ, ସୋନାଲି ସାହୁ, ଜଗନ୍ନାଥ ପ୍ରଧାନ ପ୍ରମୁଖ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର