ବିଜେଡି ନୂଆପଡ଼ା ପ୍ରାର୍ଥୀ ରାଜେନ୍ଦ୍ର ଢ଼ୋଲକିଆଙ୍କ ବିରୋଧରେ ବିଜେପି ଆଣିଲା ଆଚରଣ ବିଧି ଉଲଂଘନ ଅଭିଯୋଗ

ନୂଆଦିଲ୍ଲୀ: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଆରୋପ ପ୍ରତ୍ୟାରୋପ ମଧ୍ୟ ବଢ଼ିବାରେ ଲାଗିଛି । ରାଜ୍ୟରେ ଶାସକ ଦଳକୁ ବ୍ୟାକଫୁଟକୁ ଠେଲିବାକୁ ବିଜେପି ପ୍ରୟାସ ଚଳାଇଛି । ବିଜେଡି ପ୍ରାର୍ଥୀଙ୍କ  ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି।  ପ୍ରାର୍ଥୀପତ୍ର ଦାଖଲ ଶୋଭାଯାତ୍ରା ଅବସରରେ ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ ଆଣିଛି ବିଜେପି । ଏପରିକି ଏହା ଆଦର୍ଶ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ କରୁଥିବାରୁ ଉକ୍ତ ପ୍ରାର୍ଥୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସିଇଓଙ୍କ ନିକଟରେ ଦାବି କରିଛି ବିଜେପି ।

ବିଜେପି ରାଜ୍ୟ ଉପ-ସଭାପତି ସମୀର ମହାନ୍ତିଙ୍କ କହିବା ମୁତାବକ, ନୂଆପଡା ବିଧାନସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ନିର୍ବାଚନ ଶୋଭାଯାତ୍ରା ଅବସରରେ ନିଜ ସମର୍ଥକ ଓ ଭୋଟରଙ୍କୁ ପ୍ରଚାର ଗାଡିରେ ବସି ଟଙ୍କା ବଣ୍ଟନ କରୁଥିବା ଦେଖିବାକୁ ମିଳିଛି । ତେଣୁ ଏହା ଅତ୍ୟନ୍ତ ଅପରାଧିକ, ନିନ୍ଦନୀୟ, ଏବଂ ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରୁଥିବାରୁ ପ୍ରାର୍ଥୀ ଢୋଲକିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ବିଜେପି ତରଫରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ଫେରାଦ ହୋଇଛି ।

ବିଜେପି ପକ୍ଷରୁ ଏ ନେଇ ଘଟଣାର ଭିଡିଓ ଏବଂ ଅନ୍ୟ ପ୍ରମାଣ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରାଯାଇଛି।

ସମ୍ବନ୍ଧିତ ଖବର