ଭୁବନେଶ୍ୱର : ଶାସକ ବିଜୁ ଜନତା ଦଳ ଏବଂ ରାଜ୍ୟର ପ୍ରମୁଖ ବିରୋଧୀ ଦଳ କଂଗ୍ରେସର ପ୍ରାର୍ଥୀ ତାଲିକା ଗତକାଲି ପ୍ରକାଶ ପାଇବା ପରେ ସମସ୍ତଙ୍କ ଦୃଷ୍ଟି ଏବେ ଅନ୍ୟତମ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଦଳ ଭାରତୀୟ ଜନତା ପାର୍ଟି ଉପରେ ନିବଦ୍ଧ ରହିଛି । ଭାଜପା ଏବେ ଅନ୍ୟ ଦୁଇ ଦଳର ଟିକେଟରୁ ବଞ୍ଚିତ ଅସନ୍ତୁଷ୍ଟ ନେତା ଓ ନେତ୍ରୀମାନଙ୍କୁ ଗୋଟାଉ ଥିବା ଲକ୍ଷ୍ୟ କରାଯାଉଛି । ସେଥିପାଇଁ ଦଳର ପ୍ରାର୍ଥୀତାଲିକା ପ୍ରକାଶରେ ବିଳମ୍ବ ହେଉଛି ବୋଲି ଚର୍ଚ୍ଚା ହେଉଛି ।
ପୂର୍ବରୁ ବିଜୁ ଜନତା ଦଳର କଳାହାଣ୍ଡି ସାଂସଦ ବଳଭଦ୍ର ମାଝୀ, ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଏବଂ କଂଗ୍ରେସର ସାଲେପୁର ବିଧାୟକ ପ୍ରକାଶ ବେହେରାଙ୍କୁ ଭାରତୀୟ ଜନତା ପାର୍ଟି ଦଳରେ ଗ୍ରହଣ କରିଛି । ସେମାନଙ୍କୁ ଦଳୀୟ ଟିକେଟ୍ ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିବା ପ୍ରକାଶ ।
ତା’ ପୂର୍ବରୁ ବିଜେଡ଼ିରୁ ବହିଷ୍କୃତ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଏବଂ ପୂର୍ବତନ ମନ୍ତ୍ରୀ ଡ଼ାକ୍ତର ଦାମୋଦର ରାଉତ୍ଙ୍କୁ ଭାରତୀୟ ଜନତା ପାର୍ଟି କୋଳେଇ ନେଇଥିଲା । ସେମାନେ ଏଥର ଭାଜପାରୁ ଟିକେଟ୍ ପାଉଥିବା ଜଣାଯାଏ ।
/sambad/media/post_attachments/wp-content/uploads/2019/03/rajeswari-1-300x172.jpg)
ଆଜି ବିଜୁ ଜନତା ଦଳ ଟିକେଟରୁ ବଞ୍ଚିତ କୁସୁମ ଟେଟେ, କେ.ନାରାୟଣ ରାଓ ଇସ୍ତଫା ଦେଇଛନ୍ତି ଏବଂ ସେମାନେ ଭାଜପା ସହ ଯୋଗାଯୋଗରେ ଥିବାର ଜଣାଯାଏ । ସେହିପରି କନ୍ଧମାଳ ସାଂସଦ ପ୍ରତ୍ୟୁଷା ରଜେଶ୍ୱରୀ ସିଂହ ନୟାଗଡ ବିଧନସଭା ଲାଗି ଟିକେଟ ନ ପାଇଲେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି ଧମକ ଦେଇଛନ୍ତି। ଏଥର ଟିକେଟ ପାଇ ନ ଥିବା କଳାହାଣ୍ଠି ସାଂସଦ ଅର୍କକେଶରୀ ଦେଓ ଅସନ୍ତୋଷ ପ୍ରକାଶ କରି ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖିଥିବାର ଜଣାଯାଏ । ପୂର୍ବରୁ ତାଙ୍କ ପତ୍ନୀ ମନ୍ଦାକିନୀ ଦେବୀ ନବୀନଙ୍କୁ ଭେଟି, ମୋ ସ୍ୱାମୀଙ୍କୁ ଟିକେଟ ଦିଅନ୍ତୁ, ନଚେତ୍ ମୋତେ ଦିଅନ୍ତୁ ବୋଲି ନିବେଦନ କରିଥିଲେ ।
/sambad/media/post_attachments/wp-content/uploads/2019/03/Presentation1-2-300x162.jpg)
ଅନ୍ୟ ପକ୍ଷରେ ବରଗଡ଼ର ପୂର୍ବତନ କଂଗ୍ରେସ ବିଧାୟକ ସାଧୁ ନେପାକ ଦଳୀୟ ଟିକେଟ ପାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଛନ୍ତି । ଷଡ଼ଯନ୍ତ୍ର ଯୋଗୁଁ ଦଳୀୟ ଟିକେଟ ପାଇଲି ନାହିଁ ବୋଲି ସେ କ୍ଷୋଭର ସହିତ ପ୍ରକାଶ କରିଛନ୍ତି । ତେବେ ସେ କେଉଁ ଦଳରେ ଯୋଗ ଦେବେ ତାହା ସ୍ଥିର କରି ନାହାନ୍ତି ବୋଲି କହିଥିବା ବେଳେ ସେ ଭାଜପାରେ ଯୋଗ ଦେବାର ସମ୍ଭାବନା ରହିଛି ବୋଲି ଚର୍ଚ୍ଚା ହେଉଛି ।
କୋରାପୁଟର କୋଟପାଡ଼ ଓ ଲକ୍ଷୀପୁର ଆସନ ପାଇଁ ଟିକେଟ କାହାକୁ ଦିଆଯିବ ତାହା ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇ ନାହିଁ ବୋଲି କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ତଥା ଜିଲ୍ଲାର ଟାଣୁଆ ନେତା ତାରା ପ୍ରସାଦ ବାହିନୀପତି କ୍ଷୋଭ ପ୍ରକାଶ କରିଛନ୍ତି । ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଅପେକ୍ଷା କରନ୍ତୁ ବୋଲି କହିଛନ୍ତି । ଦଳୀୟ ବିଧାୟକ ଟିକେଟ ନ ପାଇଲେ ଭାଜପା ଆଡ଼କୁ ମୁହାଁଇ ପାରନ୍ତି ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି ।