ମୁମ୍ବାଇ: ମହାରାଷ୍ଟ୍ରରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ତଥା ଶାସକ ମହାୟୁତି ରାଜ୍ୟର ୨୮୮ ବିଧାନସଭା ଆସନରୁ ୨୩୫ ଆସନ ହାସଲ କରି ପୁଣି ଥରେ କ୍ଷମତା ଦଖଲ କରିବାକୁ ଯାଉଛି। ବିରୋଧୀ ଇଣ୍ଡି ମେଣ୍ଟ (ମହାବିକାଶ ଅଘାଡ଼ି) ପାଇଁ ଏହି ନିର୍ବାଚନ ବଡ଼ ବିପର୍ଯ୍ୟୟ ଆଣିଛି ଏବଂ ମେଣ୍ଟ କେବଳ ୪୮ ଆସନରେ ସୀମିତ ରହିଯାଇଛି। ମହାରାଷ୍ଟ୍ରରେ ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ଅଜିତ ପାୱାରଙ୍କ ଏନସିପିକୁ ନେଇ ଗଠିତ ଶାସକ ମହାୟୁତି ମେଣ୍ଟ ସରକାର ବିରୋଧୀ ଅସନ୍ତୋଷକୁ ସଫଳତାର ସହ ପ୍ରତିହତ କରି ବିପୁଳ ବିଜୟ ସୁନିଶ୍ଚିତ କରିଥିବା ବେଳେ ଏମ୍ଭିଏର ସବୁ ରଣନୀତି ଫେଲ୍ ମାରିଛି। ତେବେ ବିଜେପିର ଏହି ବିଜୟ ପଛରେ ରଣନୀତି କଣ? ରାଜନୈତିକ ବିଶେଷଜ୍ଞଙ୍କ କହିବା ମୁତାବକ ଏହି ନିର୍ବାଚନରେ ବିଜେପିର ବିଜୟର ଶ୍ରେୟ ମିଳିତ ତଥା ସମନ୍ୱିତ ଅଭିଯାନକୁ ଦିଆଯାଉଛି।
ଏଥିରେ ରାଜ୍ୟ ଓ କେନ୍ଦ୍ରୀୟ ନେତାମାନେ ଏକାଠି କାମ କରିଥିଲେ। ଗୋଟିଏ ପଟେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ରାଜ୍ୟ ୟୁନିଟ୍ ମୁଖ୍ୟ ଚନ୍ଦ୍ରଶେଖର ବାୱାନକୁଲେ ପ୍ରତ୍ୟେକ ପ୍ରାର୍ଥୀଙ୍କ ନିର୍ବାଚନମଣ୍ଡଳୀରେ କାର୍ଯ୍ୟ କରି ସମର୍ଥନ ପ୍ରଦାନ କରୁଥିବାବେଳେ ଅନ୍ୟ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହା, ନିତିନ ଗଡକରୀ ଏବଂ ଯୋଗୀ ଆଦିତ୍ୟନାଥଙ୍କ ଭଳି ଅନୁଭବୀ ପ୍ରଚାରକ ସରକାର ବିରୋଧୀ ହାୱାକୁ ମୁକାବିଲା କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ |
ଆରଏସଏସ ବା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଗଠନ ରାଜ୍ୟରେ ୬୦୦୦୦ ରୁ ଅଧିକ ବୈଠକ କରି ଏକ ବ୍ୟାପକ ଅଭିଯାନ ମାଧ୍ୟମରେ ତୃଣମୂଳ ସ୍ତରର ସମର୍ଥନ ସଂଗ୍ରହ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏହି ପ୍ରୟାସ ଭୋଟ୍ ଏକତ୍ର କରିବାରେ ଏବଂ ବିରୋଧୀଦଳ ଦ୍ୱାରା ଗ୍ରହଣ କରାଯାଇଥିବା ଜାତି ଭିତ୍ତିକ ରଣନୀତିକୁ ବିଫଳ କରିବାରେ ସାହାଯ୍ୟ କରିଥିଲା। ଏହା ବ୍ୟତୀତ ବିଜେପି ଏହାର ସୁ-ସଂଗଠିତ ଅଭିଯାନରୁ ମଧ୍ୟ ଉପକୃତ ହୋଇଥିଲା, ଯାହା ପ୍ରଭାବଶାଳୀ ପ୍ରାର୍ଥୀ ଚୟନ, ଭୋଟରଙ୍କ ନିକଟରେ ପହଞ୍ଚିବା ଏବଂ ସହଯୋଗୀମାନଙ୍କ ସହ ସୁସଂଗତ ସମନ୍ୱୟ ସୁନିଶ୍ଚିତ କରିଥିଲା।