ମୋଦୀ-ଶାହ ରଣନୀତି ଫେଲ୍ : ଦିଲ୍ଲୀରେ ବିଜେପିର ପରାଜୟ ଦଳକୁ ମାନସ ମନ୍ଥନ ଲାଗି ସୁଯୋଗ ଦେବ

ଭୁବନେଶ୍ବର: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ  ବିଜେପିକୁ ଜୋରଦାର ଝଟକା ଦେଇଛି । ଏହି ରିପୋର୍ଟ ଲେଖାଯିବା ବେଳେକୁ ଆମ୍ ଆଦମୀ ପାର୍ଟି ୬୨ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି ମାତ୍ର ୮ଟିରେ ଆଗୁଆ ରହିଛି। ଏଥିସହ ପ୍ରଥମ ବିଜୟ ବି ଆପ୍ ହାତକୁ ଆସିଛି। ଉପ-ମୁଖ୍ୟମନ୍ତ୍ରୀ ମନୀଶ ସିସୋଦିଆ  ଦିଲ୍ଲୀର ପଟପଡ଼ଗଞ୍ଜ ଆସନରୁ ବିଜୟ ଲାଭ କରିଛନ୍ତି। ମୋଟାମୋଟି ୨୦୧୫ ମସିହାରେ ମାତ୍ର ୩ଟି ଆସନ ଜିଣିଥିବା ବିଜେପି ଏଥର ଅଳ୍ପକିଛି ଅଧିକ ଆସନ ପାଇପାରେ। ମାତ୍ର ଏହା ସ୍ପଷ୍ଟ ହୋଇଛି କି ଦିଲ୍ଲୀବାସୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ନିଜ ଦଳ ଲାଗି ଜୋରଦାର ପ୍ରଚାର କରିଥିଲେ ବି ତାହା ପ୍ରଭାବହୀନ ସାବ୍ୟସ୍ତ ହୋଇଛି। ଦିଲ୍ଲୀବାସୀ ମୋଦୀ-ଶାହଙ୍କ ପ୍ରଚାର ଓ ପ୍ରତିଶ୍ରୁତିକୁ ଗ୍ରହଣ କରିନାହାନ୍ତି। ତେଣୁ ଦିଲ୍ଲୀ ପରାଜୟ ଦଳକୁ ମାନସ ମନ୍ଥନ ଲାଗି ଅବସର ଆଣିଛି।

ବିଜେପିର ପରାଜୟକୁ ନେଇ ଓଡିଶା ବିଜେପିର ବରିଷ୍ଠ ନେତା ଖାରବେଳ ସ୍ୱାଇଁ କହିଛନ୍ତି, ବିଜେପି ଏମିତି ମଝିରେ ମଝିରେ ହାରିବା ଦରକାର । କାରଣ ହାରିବା ଫଳରେ ଭୁଲ କେଉଁଠି ରହିଲା ତାକୁ ଅନୂୁଧ୍ୟାନ କରିବାକୁ ଚେଷ୍ଟା କରିବ ଦଳ । ସେହିପରି ଦିଲ୍ଲୀରେ ବିଜେପି ବହୁତ ପରିଶ୍ରମ କରିଥିଲା ଏବଂ ମୁଖିଆ କିଏ ହେବ ତାହା ଘୋଷଣା ନ କରିବା ବୋଧହୁଏ ଅସୁବିଧାର କାରଣ ହେଲା ବୋଲି ମତ ରଖିଛନ୍ତି ଶ୍ରୀ ସ୍ବାଇଁ। କଂଗ୍ରେସ ବହୁଦିନ ଧରି କ୍ଷମତାରେ ଥିଲା ତେଣୁ ଦୁର୍ନୀତିଗ୍ରସ୍ତ ହୋଇଯାଇଥିଲା। ତେଣୁ କ୍ଷମତାରେ ଥିବା ଦଳ ମଝିରେ ମଝିରେ ହାରିବା ଦ୍ବାରା ନିଜର ଭୁଲତ୍ରୁଟିର ସମୀକ୍ଷା କରିପାରନ୍ତି।

image source-_PTI

ଅନ୍ୟପଟେ, ଦିଲ୍ଲୀ ନିର୍ବାଚନ ଫଳାଫଳକୁ ନେଇ ଯେଉଁ ପୂର୍ବାନୁମାନ ହୋଇଥିଲା ତାହା ଏକ ପ୍ରକାର ସତ ହେବାକୁ ଯାଉଛି । ବିଜେପିର କଠୋର ହିନ୍ଦୁତ୍ୱବାଦ ଓ ରାଷ୍ଟ୍ରବାଦ ଉପରେ ଭାରୀପଡିଛି କେଜ୍ରିୱାଲଙ୍କ ବିକାଶର ମଡେଲ । ଶିକ୍ଷା, ସ୍ୱାସ୍ଥ୍ୟ, ପାଣି ଓ ବିଜୁଳି ଭଳି ମୌଳିକ ପ୍ରସଙ୍ଗ ଭିତ୍ତିକରି ଦିଲ୍ଲୀବାସୀଙ୍କ ଆସ୍ଥା ଭାଜନ ହୋଇପାରିଛନ୍ତି ଆପ ମୁଖ୍ୟ ।

ଏକ ଅଣ ରାଜନୈତିକ ପୃଷ୍ଠଭୂମିରୁ ଆସି ଦିଲ୍ଲୀରେ ଦୁଇଟି ଜାତୀୟ ରାଜନୈତିକ ଦଳକୁ ଧୂଳି ଚଟାଇଦେଇଛନ୍ତି ଅରବିନ୍ଦ କେଜ୍ରିୱାଲ୍ । ‘ଇଣ୍ଡିଆ ଏଗେନଷ୍ଟ କରପସନ୍’ ମଞ୍ଚରୁ ଆରମ୍ଭ ହୋଇଥିଲା କେନ୍ଦ୍ର ସରକାର ବିରୋଧରେ ତାଙ୍କର ଲଢେଇ । ୨୦୧୨ରେ ସେ ଆମ ଆଦମୀ ପାର୍ଟି ଗଠନ କରି ଏହାକୁ ରାଜନୈତିକ ମୁକୁଟ ପିନ୍ଧାଇଥିଲେ  । ପ୍ରଥମେ ୨୦୧୩ରେ ୪୯ ଦିନ ପାଇଁ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ । କଂଗ୍ରେସ ସହ ମିଶି ସରକାରରେ ଗଢ଼ିଥିଲେ, ହେଲେ ଲୋକପାଳ ବିଲ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାର ବର୍ଷକ ପରେ ୨୦୧୫ରେ କଂଗ୍ରେସର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ହାତରୁ କେଜ୍ରିୱାଲ୍  ଛଡାଇ ଆଣିଥିଲେ ଦିଲ୍ଲୀ ସିଂହାସନ । ୫ ବର୍ଷରେ ରାଜନୈତିକ ଜୟଯାତ୍ରା ଭିତରେ ଦିଲ୍ଲୀରେ ବିଜେପି ବିରୋଧରେ ଲଢ଼ି ପୁଣି କ୍ଷମତାକୁ ଫେରିବାକୁ ଯାଉଛନ୍ତି ଅରବିନ୍ଦ କେଜ୍ରିୱାଲ୍।

ସମ୍ବନ୍ଧିତ ଖବର