ଭୁବନେଶ୍ୱର: ଆଜି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓଡିଶା ଗସ୍ତରେ ଆସିଥିବାବେଳେ ବିଜେପି କହିଛି ଯେ କଂଗ୍ରେସ ଅସ୍ତଗାମୀ ରାଜନୈତିକ ଦଳ, ରାହୁଲ ଗାନ୍ଧୀଙ୍କ ଗସ୍ତ ସମ୍ଭିଧାନ ବଞ୍ଚାଓ ଅଭିଯାନ ନୁହେଁ କଂଗ୍ରେସ ବଞ୍ଚାଅ ଅଭିଯାନ | ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି ଯେ ନେହେରୁଙ୍କ ସମୟରେ ବାପ ଝିଅ, ଇନ୍ଦିରା ଗାନ୍ଧୀଙ୍କ ସମୟରେ ମା ପୁଅ ଏବଂ ଏବେ ମା ପୁଅ ଝିଅ ଜ୍ୱାଇଁ ଦଳ ହେଇକି ଅଛି | ଅନ୍ୟ ସମସ୍ତେ ଆୟ ରାମ ଗୟା ରାମ | ଗଣତନ୍ତ୍ର କଥା କହୁଥିବା କଂଗ୍ରେସ ପ୍ରଥମେ ସମ୍ଭିଧାନକୁ ସଂଶୋଧନ କରିଥିଲା |
୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ସମ୍ଭିଧାନର କଣ୍ଠରୋଧ କରିଥିଲା | ସେ ସମୟରେ ୫ ଥର ସମ୍ଭିଧାନ ସଂଶୋଧନ କରଯାଇଛି | ୪୨ ତମ ସଂଶୋଧନରେ ସମ୍ଭିଧାନର ବିନା ଚର୍ଚ୍ଚା ଆଲୋଚନାରେ ମୁଖବନ୍ଧକୁ ବି ବଦଳାଇ ଦେଲେ | ରାହୁଲ ଗାନ୍ଧୀ କ୍ୟାବିନେଟର ସଦସ୍ୟ ନଥାଇ କ୍ୟାବିନେଟ ଅଧ୍ୟାଦେଶକୁ ଫାଡିକି ଫୋପାଡି ଥିବା ବ୍ୟକ୍ତି ସମ୍ଭିଧାନର କଥା କହିବେ | ୧୦୦ରୁ ଉର୍ଦ୍ଧ୍ଵ ଥର ସମ୍ଭିଧାନର ଅପବ୍ୟବହାର କରି ବିଭିନ୍ନ ରାଜ୍ୟରେ ସରକାର ଭାଙ୍ଗି ହତ୍ୟା କରିଛି କଂଗ୍ରେସ | ସେହିପରି ରାଜ୍ୟରେ କଂଗ୍ରେସ ଆଜି ବି ହତାଶ ଭିତରେ ଅଛି | ଓଡ଼ିଶାବାସୀଙ୍କ ଠାରୁ ଦୂରେଇ ଯାଇଛି |
ପ୍ରତି ନିର୍ବାଚନରେ ଭୋଟ ପ୍ରତିଶତ କମିଛି | ଦେଶରେ ସାଧାରଣ ନିର୍ବାଚନରେ ତିନି ଅଙ୍କରେ ପହଂଚି ପାରିନି କଂଗ୍ରେସ ସଂଖ୍ୟା | କଂଗ୍ରେସ ଗଣତନ୍ତ୍ରର କଥା କହିବା ନିଜେ କାଚ ଘରେ ଅନ୍ୟକୁ ଟେକା ଫୋପାଡ଼ିବା ସହ ସମାନ | ଗଣତନ୍ତ୍ରକୁ ହତ୍ୟା କରିଛି କଂଗ୍ରେସ, କଂଗ୍ରେସ ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ | ମୋଦୀ ସରକାର ଓଡିଶାକୁ ଭରପୁର ସମର୍ଥନ କରୁଛନ୍ତି | ମନମୋହନ ସରକାରରେ ଓଡିଶା ପାଇଁ କହିଲେ ଟଙ୍କା କଣ ଗଛରେ ଫଳୁଛି | ଖଡ଼ଗେ ମହାମହିମ ରାଷ୍ଟ୍ରପତିଙ୍କୁ ନେଇ ଯେଉଁ ବୟାନ ଦେଇଛନ୍ତି ଘୋର ନିନ୍ଦନୀୟ | ଓଡିଶା ମାଟିରେ କ୍ଷମା ପ୍ରାର୍ଥନା କରନ୍ତୁ ଖଡ଼ଗେ | ପ୍ରାୟଶ୍ଚିତ କରିବା ଦରକାର | କଂଗ୍ରେସ ଅସ୍ତଗାମୀ ରାଜନୈତିକ ଦଳ | କଂଗ୍ରେସକୁ ବଞ୍ଚାଇବାକୁ ସେମାନେ ଆସିଛନ୍ତି |
ସେହିପରି ରାହୁଲଙ୍କ ଗସ୍ତକୁ ନେଇ ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ବିରୋଧୀ ଦଳ ନେତା ଓଡିଶା ଆସିବାରେ ଆଶ୍ଚର୍ଯ୍ୟ ହେବାର କଣ ଅଛି ? ସେ ପ୍ରଥମଥର ନୁହେଁ ଆଗରୁ ବହୁତ ଥର ଓଡିଶା ଆସିଛନ୍ତି | ଆସିବା ପରେ ମଧ୍ୟ ନିର୍ବାଚନରେ କୌଣସି ପ୍ରଭାବ ପଡିଲା ନାହିଁ | ତାଙ୍କ ଗସ୍ତରେ କୌଣସି ନୂତନତ୍ବ କିଛି ନାହିଁ | କଂଗ୍ରେସ ଏକ ରାଜନୈତିକ ଦଳ, ସେମାନେ ତାଙ୍କ ଭବିଷ୍ୟତ କଥା ଚିନ୍ତା କରିବେ | କଂଗ୍ରେସ ଏକ ସର୍ବପୁରାତନ ରାଜନୈତିକ ଦଳ, ଅନେକ ଦିନ ଧରି ଦେଶକୁ ଶାସନ କରିବା ପରେ ଲୋକେ ତାଂକୁ ପ୍ରତ୍ୟାଖାନ କଲେ ଏବେ ଦଳ ନିଜକୁ ପୁନର୍ଗଠିତ କରିବାକୁ ଚେଷ୍ଟା କରୁଛି | ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ ନୂତନତ୍ବ ନାହିଁ କିମ୍ବା ଗୁରୁତ୍ୱ ଦେବାର ନାହିଁ |