କେବଳ ରାଜନେତା ନୁହଁନ୍ତି କଣ୍ଠଶିଳ୍ପୀ ମଧ୍ୟ! ପ୍ରଚାର ମଞ୍ଚରେ ତେଲୁଗୁ ଗୀତ ଗାଇ ଭୋଟରଙ୍କୁ ଆକୃଷ୍ଟ କଲେ ବିଜେପିର ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର

ପୁରୀ: ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିର୍ବାଚନୀ ସଭାରେ ପ୍ରାର୍ଥୀମାନେ ବିଭିନ୍ନ ପ୍ରକାର ତରିକା ଆପଣାଉଛନ୍ତି। କିଏ ଫିଲ୍ମ ତାରକାଙ୍କୁ ଧରି ରୋଡ ସୋ କରୁଛନ୍ତି ତ ଆଉ କିଏ ଜନସଭାରେ କଳାକାରଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ହେଲେ ପୁରୀରୁ ଆସିଛି ଏକ ରୋଚକ ଦୃଶ୍ୟ।  ବିଜେପିର ପୁରୀ ସାଂସଦ  ପ୍ରାର୍ଥୀ ମଞ୍ଚରେ ଭୋଟରଙ୍କ ମନୋରଞ୍ଜନ କରୁଛନ୍ତି। ସଭା ମଂଚରେ ଉପସ୍ଥିିତ ଜନତାଙ୍କ ଲାଗି ଗୀତ ଗାଇଛନ୍ତି ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ତଥା ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର।

ତେଲଗୁ ଓ ହିନ୍ଦୀ ମିଶା ଗୀତ ଗାଇ ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି ସମ୍ବିତ। ସବୁଠାରୁ ବଡ କଥା ହେଉଛି ଏହି ଭିଡିଓକୁ ନିଜ ଫେସବୁକ୍‌ ପେଜରେ ପୋଷ୍ଟ କରି ସମ୍ବିତ ଲେଖିଛନ୍ତି ପୁରୀରେ ତେଲୁଗୁ ସମ୍ପ୍ରଦାୟର ଭୋଟରଙ୍କ ସଂଖ୍ୟା କିଛି କମ ନୁହେଁ। ଆଉ ନିର୍ବାଚନ ପ୍ରଚାର ବେଳେ ସେମାନଙ୍କ ଅନୁରୋଧ ରକ୍ଷା କରି ସେ ଏକ ଲୋକପ୍ରିୟ ତେଲୁଗୁ ଗୀତ ଗାଇଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ସହ ଏହା ଅନେକଙ୍କ ଦ୍ୱାରା ଆଦୃତ ହୋଇଛି।

ସୂଚନାଯୋଗ୍ୟ ପୁରୀ ଲୋକସଭା ପାଇଁ ବିଜେପି ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ ଘୋଷଣା ପରେ ରାଜ୍ୟ ରାଜନୀତି ସରଗରମ ହୋଇଯାଇଥିଲା। ପ୍ରଚାର ସମୟରେ ବିଜେପି ପ୍ରାର୍ଥୀ ସମ୍ବିତ କେତେବେଳେ ଗରିବ ଲୋକଙ୍କ ଘରେ  ଖାଉଥିବାର ଦେଖାଯାଉଛି ତ ଆଉ କେତେବେଳେ ଚାଷୀଙ୍କ ସହ ତାଙ୍କ କ୍ଷେତରେ  ନଜର ଆସୁଛନ୍ତି। ପୁଣି ଗାଁ ପୋଖରୀରେ ସ୍ନାନ କରି ସୂର୍ଯ୍ୟଙ୍କୁ ଜଳାର୍ପଣ କରୁଛନ୍ତି।  ସମ୍ବିତ ପାତ୍ରଙ୍କ ଏହି ଅଭିନବ ପ୍ରଚାର ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳୁଛି।

ଦୀର୍ଘ ବର୍ଷ ଧରି ବିଜେଡିର ଗଡ ହୋଇ ରହି ଆସିଥିବା ପୁରୀରେ ବଜେପି ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ କରି ବଳକଷୁଛି। ସମ୍ବିତ ପାତ୍ର ମଧ୍ୟ ଅନୁରୂପ ଉଦ୍ୟମ କରୁଛନ୍ତି।  ଆସନ୍ତା ଏପ୍ରିଲ ୨୩ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପୁରୀରେ ଦେଖିବାକୁ ମିଳିବ ମହାଲେଢ଼େଇ। ପୂର୍ବରୁ ପୁରୀ ଲୋକସଭା ଆସନକୁ ଦଖଲ କରିବାକୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ମହାପାତ୍ରଙ୍କୁ ବାଛିଥିବା ବେଳେ ଦୁଇ ଥରର ପୁରୀ ଲୋକସଭା ସାଂସଦ ପିନାକୀ ମିଶ୍ରଙ୍କ ଉପରେ ପୁଣି ଥରେ ଆସ୍ଥା ପ୍ରକଟ କରିଛନ୍ତି ବିଜେଡ଼ି ସୁପ୍ରିମୋ।

ସମ୍ବନ୍ଧିତ ଖବର