ନୀଳଗିରି: ବିପଦରେ କୁଲଡ଼ିହା ଅଭୟାରଣ୍ୟ। ପରିବେଶ ସ୍ପର୍ଶକାତର ଅଞ୍ଚଳରେ ଚାଲିଛି ମାଳ ମାଳ ଇଟାଭାଟି। ଏହାଦ୍ବାରା ପରିବେଶ ପ୍ରଦୂଷିତ ହେବା ସହ ବନ୍ୟଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି କରୁଛି। ବାଲେଶ୍ବର ଜିଲ୍ଲା ନୀଳଗିରିରେ ରହିଛି କୁଲଡ଼ିହା ଅଭୟାରଣ୍ୟ। ଏହା ୨୭୨.୭୫ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ। ସେଥିମଧ୍ୟରୁ ପ୍ରାୟ ୧୩୮.୫୦ ବର୍ଗ କିଲୋମିଟର ଅଞ୍ଚଳ ହେଉଛି ପରିବେଶ ସ୍ପର୍ଶକାତର ଜୋନ୍। ଏହି ଅଞ୍ଚଳରେ ବେଆଇନ ଭାବେ ଗଢ଼ି ଉଠିଛି ୧୪ଟିରୁ ଅଧିକ ଚିମିନି ଇଟାଭାଟି। ଯାହାଫଳରେ ପରିବେଶ ପ୍ରଦୂଷିତ ହେବା ସହ ବନ୍ୟଜନ୍ତୁଙ୍କ ସୁରକ୍ଷା ବିପନ୍ନ ହେବାରେ ଲାଗିଛି। ସ୍ଥିତି ଏମିତି ହୋଇଛି; ହରିଣ, ବାର୍ହା ଜବନବସତି ଭିତରକୁ ପଶିଆସୁଛନ୍ତି ଏବଂ ଲୋକଙ୍କ ଦ୍ବାରା ଶିକାର ହେଉଛନ୍ତି।
ସେହିପରି ହାତୀମାନେ ବିଭିନ୍ନ ଗାଁ ଭିତରେ ପଶି ଧନଜୀବନ କ୍ଷତି କରୁଛନ୍ତି। ଅନ୍ୟପଟେ କୁଲଡ଼ିହା ଅଭୟାରଣ୍ୟ ପ୍ରତି ପର୍ଯ୍ୟଟକଙ୍କ ଆକର୍ଷଣ ମଧ୍ୟ କମୁଛି। ଇଟାଭାଟିଗୁଡ଼ିକୁ ଭାଙ୍ଗିବା ପାଇଁ ଦାବି ହେଉଥିଲେ ମଧ୍ୟ ରାଜସ୍ବ କିମ୍ବା ବନ ବିଭାଗ କୌଣସି ଗୁରୁତ୍ବ ଦେଉନାହାନ୍ତି। ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ ନାୟକ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଥିଲେ ବି କୌଣସି ପ୍ରଭାବ ପଡ଼ିନି।ଏହାକୁ ନେଇ ଆଗାମୀ ଦିନରେ ଜୋର୍ଦାର ଆନ୍ଦୋଳନ ହେବ ବୋଲି ସାମାଜିକ ସଂଗଠନଗୁଡ଼ିକର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି। ଏନେଇ ନୀଳଗିରି ତହସିଲଦାର ଦୀପ୍ତିମୟୀ ବେହେରାଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ କହିଛନ୍ତି, ଗତ ମାସ ୧୨ ତାରିଖ ଦିନ ହାଇକୋର୍ଟର ଏକ ଟିମ୍ ଆସି ତଦନ୍ତ କରିଛନ୍ତି। ୩୦ ତାରିଖ ଦିନ ରିପୋର୍ଟ ଆସିବ। ଏହାପରେ ଇଟାଭାଟି ଭଙ୍ଗାଯିବ ନା ନାହିଁ ନିଷ୍ପତ୍ତି ହେବ। ଅନ୍ୟପଟେ ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଉପଜିଲ୍ଲାପାଳ ଓ ତହସିଲଦାର ମଧ୍ୟ ସମସ୍ୟା ବାବଦରେ ଜାଣିଛନ୍ତି। ପରିବେଶ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ତୁରନ୍ତ ଇଟାଭାଟି ଭଙ୍ଗାଯିବାର ଆବଶ୍ୟକତା ରହିଛି ବୋଲି ମତ ରଖିଛନ୍ତି ନୀଳଗିରି ରେଞ୍ଜର ପ୍ରବୀର ମୁର୍ମୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/FurKRXOuZTYTZR9MS2iG.jpg)