ଭଣ୍ଡାରିପୋଖରୀ: ବେଆଇନ ବାଲି ଉତ୍ତୋଳନ କାଳ ସାଜିଲା। ଯେଉଁଥିପାଇଁ ତିଖିଲିଆ ଗେଙ୍ଗୁଟି ନଦୀର ପୋଲ ଭାସିଯାଇଛି। ସୂଚନା ମୁତାବକ ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ମୁଢାପଦା, ଦାଣ୍ଡକୁଳ ଓ ତିଖିଲିଆକୁ ସଂଯୋଗ ପାଇଁ ଗେଙ୍ଗୁଟି ନଦୀ ଉପରେ ପ୍ରାୟ ୪୦ଫୁଟ ପୋଲଟିର ଗୋଟିଏ ଅଂଶ ସମ୍ପୂର୍ଣ୍ଣ ଭାସିଯାଇଛି। ଚଳିତ ବର୍ଷ ବୈତରଣୀ ନଦୀରେ ମଧ୍ୟମ ଧରଣର ବନ୍ୟା ଆସିଥିବା ବେଳେ ଏହାର ଶାଖା ନଦୀ ଗେଙ୍ଗୁଟିରେ ପାଣି ପ୍ରବାହିତ ହୋଇଥିଲା। ଯଦିଓ ଗେଙ୍ଗୁଟି ନଦୀରେ ବନ୍ୟା ପାଣିର ସ୍ରୋତ ସେତେଟା ପ୍ରଖର ନଥିଲା ବେଆଇନ ବାଲି ଖନନ ସହିତ ପୋଲଟି ପୁରାତନ ହୋଇଥିବାରୁ ଏହା ଦବି ଯାଇଥିଲା।
ତିଖିଲିଆ ପାର୍ଶ୍ୱକୁ ପ୍ରାୟ ୧୫ଫୁଟ ଦବିଯାଇ ବନ୍ୟା ପାଣିରେ ଏହା ସମ୍ପୂର୍ଣ୍ଣ ଭାସି ଯାଇଥିଲା। ଏବେ ସୁଦ୍ଧା ୬ଶହରୁ ଅଧିକ ଲୋକ ବାହ୍ୟ ଜଗତରୁ ବିଛିନ୍ନ ହୋଇଥିବାବେଳେ ଗ୍ରାମବାସୀମାନେ ସମ୍ପୂର୍ଣ୍ଣ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଖରାଦିନେ ପୋଲ ନିକଟବର୍ତ୍ତି ସ୍ଥାନରୁ ଟ୍ରିପ ଟ୍ରିପ ଚୋରା ବାଲି ଉତ୍ତୋଳନ ହୋଇଥିବା ବେଳେ ପୁରାତନ ସେତୁଟି ଏକ ପ୍ରକାର ଦୁର୍ବଳ ହୋଇଯାଇଥିଲା।
ତେଣୁ ପାଣି ଆସିବା କ୍ଷଣି ତଳ ପଟ ସୁଅରେ ପୋଲର ଗୋଟିଏ ମୁଣ୍ଡ ଭାସି ଯାଇଥିବା କୁହାଯାଇଛି। ଏହାଛଡା ପୋଲର ଅନ୍ୟାନ୍ୟ ଅଂଶ ମଧ୍ୟ ଫାଟିଥିବା କୁହାଯାଇଛି। ତେଣୁ ବନ୍ୟା ପରବର୍ତ୍ତୀ ସମୟରେ ଗ୍ରାମବାସୀଙ୍କ ଚଳାଚଳ ପାଇଁ ଅସ୍ଥାୟୀ ବ୍ୟବସ୍ଥା କରିବା ସହିତ ଯଥାଶୀଘ୍ର ଏଠାରେ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦୃଢ ଦାବି ହୋଇଛି।