ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିଲା ଲୋକଙ୍କୁ ବିଚଳିତ କରିଛି। ଭଉଣୀର ସ୍ନେହ ଓ ମମତା ଭୁଲିଯାଇଛି ଭାଇ। ସେପ୍ଟିସେମିଆ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଭଉଣୀର ଶବକୁ ଆର୍‌ଜିଏଚ୍‌ରେ ଫିଙ୍ଗିଦେଇ ଚାଲିଗଲା ଭାଇ। କେବଳ ଏତିକି ନୁହେଁ, ଭଉଣୀର ମୃତଦେହ ଘରକୁ ନ ଆଣିବାକୁ ବସ୍ତିରେ କାହାକୁ କିଛି ନ କହି ଚୁପ୍‌ ରହିଥିଲେ ଭାଇ। ଏ ସଂକ୍ରାନ୍ତରେ ଡାକ୍ତରଖାନା କର୍ମଚାରୀଙ୍କ ସୂଚନା ଆଧାରରେ ରଘୁନାଥପାଲି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆର୍‌ଜିଏଚ୍‌ ମର୍ଗ ରଖିଛି। ଭଉଣୀଙ୍କ ମୃତ୍ୟୁକୁ ୨୦ ଘଣ୍ଟା ବିତିଯାଇଥିଲେ ହେଁ ଭାଇ ତ ଦୂରର କଥା ପରିବାରର ଜଣେ ବି ସଦସ୍ୟ ଆର୍‌ଜିଏଚ୍‌ରେ ପହଞ୍ଚି ନାହାନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ ମୃ୍ତ ମହିଳାଙ୍କ ଶବ ଆର୍‌ଜିଏଚ୍‌ ଶବାଗାରରେ ପଡି ରହିଥିଲା।

Advertisment

 ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ୱାର୍ଡ ନଂ ୧୦ ଅନ୍ତର୍ଗତ ମଧୁସୂଦନପାଲିରେ ପି. ଦାସ ନିଜ ଭଉଣୀଙ୍କ ସହ ରହନ୍ତି। ସେ ସେପ୍ଟିସେମିଆ ରୋଗରେ ଆକ୍ରାନ୍ତ ୫୦ ବର୍ଷୀୟା ଭଉଣୀଙ୍କୁ ଆର୍‌ଜିଏଚ୍‌ ସଂକ୍ରମଣ ୱାର୍ଡରେ ଭର୍ତ୍ତି କରିଥିଲେ। ମୁଣ୍ଡର ଘା’ ଶୁଖୁନଥିବାରୁ ଥରେ ନୁହେଁ ପୂର୍ବରୁ ଚାରିଚାରି ଥର ସଂକ୍ରମଣ ୱାର୍ଡରେ ଭର୍ତ୍ତି କରିଥିଲେ। ଟିକେ ଭଲ ହେବାପରେ ଘରକୁ ନେଇଯାଇଥିଲେ। ପୁଣି ମୁଣ୍ଡର ଘା’ ନ ଶୁଖିବାରୁ ଶନିବାର ସକାଳ ପ୍ରାୟ ସାଢ଼େ ୯ଟାରେ ଭଉଣୀଙ୍କୁ ଆର୍‌ଜିଏଚ୍‌ ସଂକ୍ରମଣ ୱାର୍ଡରେ ଭର୍ତ୍ତି କରିଥିଲେ। ସଂକ୍ରମଣ ୱାର୍ଡରେ ଭର୍ତ୍ତି ହେବାର କିଛି ସମୟ ପରେ ଭଉଣୀଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁପରେ ଭଉଣୀର ଶବ ଘରକୁ ନ ନେଇ ଆର୍‌ଜିଏଚ୍‌ର କୋଭିଡ୍‌ ପରୀକ୍ଷା କେନ୍ଦ୍ର ନିକଟରେ ପକାଇ ଚାଲିଯାଇଥିଲେ। ଭଉଣୀର ଶବ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ସେଠାରେ ସେମିତି ପଡ଼ି ରହିଥିଲା। ଦିନ ପ୍ରାୟ ସାଢ଼େ ୧୦ଟାରେ ସହାୟତା କେନ୍ଦ୍ରର କର୍ମଚାରୀ କୋଭିଡ୍‌ ସେଣ୍ଟର ନିକଟରେ ମହିଳାଙ୍କ ଶବ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏ ସଂକ୍ରାନ୍ତରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷ ଓ ଅନ୍ୟ ଅଧିକାରୀ ପହଞ୍ଚି ରଘୁନାଥପାଲି ପୁଲିସକୁ ସୂଚନା ଦେଇଥିଲେ। ଘଟଣା ସମ୍ପର୍କରେ ଜାଣିବାକୁ ଡାକ୍ତରଖାନା କର୍ତ୍ତୃପକ୍ଷ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲେ।

ସକାଳ ପ୍ରାୟ ସାଢ଼େ ୯ଟାରେ ମୃତ ମହିଳା ନିଜ ଭାଇଙ୍କ ସହ ଆର୍‌ଜିଏଚ୍‌ ବର୍ହିବିଭାଗ ଆଗରେ ବୁଲୁଥିବା ଦେଖିବାକୁ ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଥିଲା। ପରେ ଅଧିକାରୀମାନେ ସଂକ୍ରମଣ ବିଭାଗର ରେଜିଷ୍ଟର୍ ଯାଞ୍ଚ କରିବାରୁ ମହିଳା ଓ ତାଙ୍କ ଭାଇଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲେ। ରେଜିଷ୍ଟର୍‌ରେ ଲେଖାଯାଇଥିବା ମୋବାଇଲ୍‌ ନମ୍ବରରେ ବାରମ୍ବାର କଲ୍‌ କରିଥିଲେ ହେଁ କେହି ଉଠାଇନଥିଲେ। ଶେଷରେ ବାଧ୍ୟ ଆର୍‌ଜିଏଚ୍‌ କର୍ତ୍ତୃପକ୍ଷ ରଘୁନାଥପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ।