ଏହା ପୂର୍ବରୁ ଆମେ ଲେଖିଥିଲୁ ଯେ ସଗୋତ୍ର ବିବାହ ଦୋଷାବହ କାରଣ ଏହା ‘ଭାଇଭଉଣୀ ବିବାହ ପରି’। ତେବେ ଭାଇଭଉଣୀ ବିବାହ ଦୋଷାବହ କାହିଁକି, ତାହା ଆମେ ଜାଣିବା ଦରକାର। ସମ୍ପର୍କୀୟ ଭାଇଭଉଣୀ ବିବାହକୁ କେତେକ ଧର୍ମ ଓ ସମ୍ପ୍ରଦାୟରେ ସ୍ବୀକୃତି ଦିଆଯାଇଥିବା ବେଳେ ଭାଇଭଉଣୀ ବିବାହକୁ କୌଣସି ଧର୍ମ ବା ସମ୍ପ୍ରଦାୟରେ ସ୍ବୀକୃତି ଦିଆଯାଇ ନାହିଁ। ଏହାର କାରଣ ହେଉଛି ଭାଇଭଉଣୀଙ୍କ ମଧ୍ୟରେ ଯୌନ-ଆକର୍ଷଣ ବହୁତ କମ୍ ଥାଏ। ଯୌନ ଆକର୍ଷଣ ବା ମିଳନର ଆବେଗ ବା ଯୋଗାବେଗ (ଲିବିଡୋ) ଯେତେ କମ୍ ରହିବ ସନ୍ତାନ ସେତେ ଦୁର୍ବଳ ଓ ଅଳ୍ପାୟୁ ହେବ। ଏହାକୁ ଆମେ ହାଇସ୍କୁଲରେ ରସାୟନ ବିଜ୍ଞାନରେ ପଢ଼ାଯାଉଥିବା ସହସଂଯୋଜୀ ବନ୍ଧ ବା କୋଭାଲେଣ୍ଟ ବଣ୍ଡ୍ ସହ ତୁଳନା କରିପାରିବା।
ଏକାଧିକ ପରମାଣୁ ମିଶି ଯେଉଁ ଅଣୁ ଗଠନ ହୁଏ, ସେଥିରେ ଦୁଇପ୍ରକାର ବନ୍ଧ ଭୂମିକା ଗ୍ରହଣ କରିଥାଏ- ଆୟନିକ୍ ବଣ୍ଡ୍ ବା ବିଦ୍ୟୁତ୍‌-ସଂଯୋଜ୍ୟ ବନ୍ଧ ଏବଂ କୋଭାଲେଣ୍ଟ ବଣ୍ଡ୍ ବା ସହସଂଯୋଜ୍ୟ ବନ୍ଧ। ବିଦ୍ୟୁତ୍‌-ସଂଯୋଜ୍ୟ ବନ୍ଧରେ ଗୋଟିଏ ପରମାଣୁ ଅନ୍ୟ ପରମାଣୁକୁ ଇଲେକ୍ଟ୍ରନ ଦାନ କରି ଯୁକ୍ତାତ୍ମକ ଚାର୍ଜିତ କଣିକା ବା ଆୟନରେ ପରିଣତ ହୋଇଥାଏ ଏବଂ ଅନ୍ୟ ପରମାଣୁଟି ଇଲେକ୍ଟ୍ରୋନ୍ ଗ୍ରହଣ କରି ବିଯୁକ୍ତାତ୍ମକ ଚାର୍ଜିତ କଣିକାରେ ପରିଣତ ହୋଇଥାଏ। ଏହି ଦୁଇ ବିପରୀତ ଚାର୍ଜିତ କଣିକା ପରସ୍ପରକୁ ଆକର୍ଷଣ କରି ବନ୍ଧ ଗଠନ କରି ନୂତନ ଅଣୁ ସୃଷ୍ଟି କରିଥାନ୍ତି। (ଉଦାହରଣ ସୋଡିୟମ୍ କ୍ଲୋରାଇଡ୍‌ ବା ଲୁଣ)। ସାଧାରଣତଃ ଧାତବ ଓ ଅଧାତବ କଠିନ ପଦାର୍ଥଗୁଡ଼ିକ ବିଦ୍ୟୁତ୍‌-ସଂଯୋଜ୍ୟ ବନ୍ଧ ଦ୍ବାରା ଗଠିତ ହୋଇଥାନ୍ତି। ଅନ୍ୟ ପକ୍ଷରେ କୋଭାଲେଣ୍ଟ ବଣ୍ଡ ବା ସହସଂଯୋଜକ ବନ୍ଧରେ କେହି କାହାକୁ ଇଲେକ୍ଟ୍ରନ୍ ସମ୍ପୂର୍ଣ୍ଣ ଦାନ କରନ୍ତି ନାହିଁ। ବରଂ ପରମାଣୁଗୁଡ଼ିକ ଏକ ଅଂଶୀଦାର ଇଲେକ୍ଟ୍ରନ ଦ୍ୱାରା ବନ୍ଧା ହୋଇଥାନ୍ତି। (ଉଦାହରଣ ଉଦଜାନ)। ଏ ପ୍ରକାର ବନ୍ଧ ଅତ୍ୟନ୍ତ ଦୁର୍ବଳ। ସାଧାରଣତଃ ତରଳ ଓ ଗ୍ୟାସୀୟ ପଦାର୍ଥରେ ଏ ପ୍ରକାର ବନ୍ଧ ଦେଖାଯାଏ। ଧାତବ ଓ ଅଧାତବ କଠିନ ପଦାର୍ଥ କ୍ଷେତ୍ରରେ ବିଦ୍ୟୁତ୍‌-ସଂଯୋଜ୍ୟ ବନ୍ଧ ଦେଖାଯାଏ।
ଆମେ ବର୍ତ୍ତମାନ ବିଭିନ୍ନ ପ୍ରକାର ବିବାହ ସହ ବିଜ୍ଞାନର ଏହି ତତ୍ତ୍ବକୁ ଯୋଡ଼ିବା। ଭାଇଭଉଣୀ ବା ନିକଟ ସମ୍ପର୍କୀୟ ବିବାହରେ ପରସ୍ପର ଭିତରେ ଥିବା ଯୌନ ଆକର୍ଷଣ ଅତ୍ୟନ୍ତ ଦୁର୍ବଳ, ଠିକ୍ ସହସଂଯୋଜ୍ୟ ବନ୍ଧ ପରି। ତେଣୁ ସେମାନଙ୍କଠାରୁ ଜନ୍ମଗ୍ରହଣ କରୁଥିବା ପିଲା ଅତ୍ୟନ୍ତ ଦୁର୍ବଳ, ରୋଗଣା ଓ ଅଳ୍ପାୟୁ ହୋଇଥାନ୍ତି। ପୁଣି  ସ୍ବାମୀ-ସ୍ତ୍ରୀଙ୍କ ଭିତରେ ସମାନ ପ୍ରକାର ଜିନ୍ ଥିବାରୁ ଯଦି ଉଭୟଙ୍କ ଭିତରେ କୌଣସି ବଂଶାନୁକ୍ରମିକ ରୋଗ ସୁପ୍ତ ଭାବରେ ଥାଏ, ତେବେ ସନ୍ତାନଠାରେ ତାହା ପ୍ରକାଶ ପାଇପାରେ। ଏସବୁ ରୋଗ ଭିତରେ ଅଛି- ଥାଲାସେମିଆ, ସିକିଲ ସେଲ ଆନିମିଆ, ସିଷ୍ଟିକ୍ ଫାଇବ୍ରୋସ୍ ଇତ୍ୟାଦି। 
ଏଭଳି ରୋଗ ପାକିସ୍ତାନରେ ସାରା ବିଶ୍ବରେ ସର୍ବାଧିକ (୫୦% ପର୍ଯ୍ୟନ୍ତ) ଏବଂ ତା’ ତଳକୁ ମଧ୍ୟପ୍ରାଚ୍ୟରେ (୨୦-୫୦%) ଦେଖିବାକୁ ମିଳେ। ମୋଟ ଉପରେ ମୁସଲମାନବହୁଳ ଦେଶରେ ଏ ରୋଗ ସବୁଠାରୁ ଅଧିକ ଦେଖିବାକୁ ମିଳେ। ଆମ ଭାରତରେ ମୁସଲମାନ-ବହୁଳ ଅଞ୍ଚଳ ତଥା ଦକ୍ଷିଣଭାରତରେ (୨୮% ପର୍ଯ୍ୟନ୍ତ) ଏହା ଦେଖିବାକୁ ମିଳେ। ଆମ ଓଡ଼ିଶାରେ ଏହା ବିଶେଷ ନ ଥିଲେ ମଧ୍ୟ ଦକ୍ଷିଣ ଓଡ଼ିଶା ବିଶେଷକରି ଗଞ୍ଜାମ ଜିଲ୍ଲାରେ କିଛି ବଂଶାନୁକ୍ରମିକ ରୋଗୀ ଦେଖିବାକୁ ମିଳନ୍ତି। ଏହାର କାରଣ ହେଉଛି ଗଞ୍ଜାମ ଜିଲ୍ଲାରେ ମାମୁଝିଅ ସହ ବିବାହ କରିବାର ପରମ୍ପରା ରହିଛି, ଯଦିଚ ଏବେ ତାହା ବହୁତ କମିଗଲାଣି। ମୁସଲମାନ ସମାଜରେ ମାମୁଝିଅ ଓ ଦାଦାଝିଅ ସହ ମଧ୍ୟ ବିବାହ କରିବାର ପରମ୍ପରା ଅଛି। ସିମିଲାର ବ୍ଲଡ୍‌ (ସଦୃଶ ପରିବାର ବା ସବର୍ଣ୍ଣରେ) ବିବାହ କରିବାକୁ କୋରାନରେ ଲେଖା ଥିବା ବେଳେ ସେମାନେ ଏହାକୁ ସେମ୍ ବ୍ଲଡ୍‌ ବା ସମାନ ରକ୍ତରେ ବୋଲି ବୁଝି ଏପରି ବିବାହ କରୁଛନ୍ତି। ଯାହାଫଳରେ ବଂଶାନୁକ୍ରମିକ ରୋଗ ବୃଦ୍ଧି ପାଉଛି। 

Advertisment

ଆମେ ବର୍ତ୍ତମାନ ବିଭିନ୍ନ ପ୍ରକାର ବିବାହ ସହ ବିଜ୍ଞାନର ଏହି ତତ୍ତ୍ବକୁ ଯୋଡ଼ିବା। ଭାଇଭଉଣୀ ବା ନିକଟ ସମ୍ପର୍କୀୟ ବିବାହରେ ପରସ୍ପର ଭିତରେ ଥିବା ଯୌନ ଆକର୍ଷଣ ଅତ୍ୟନ୍ତ ଦୁର୍ବଳ, ଠିକ୍ ସହସଂଯୋଜ୍ୟ ବନ୍ଧ ପରି। ତେଣୁ ସେମାନଙ୍କଠାରୁ ଜନ୍ମଗ୍ରହଣ କରୁଥିବା ପିଲା ଅତ୍ୟନ୍ତ ଦୁର୍ବଳ, ରୋଗଣା ଓ ଅଳ୍ପାୟୁ ହୋଇଥାନ୍ତି। ପୁଣି  ସ୍ବାମୀ-ସ୍ତ୍ରୀଙ୍କ ଭିତରେ ସମାନ ପ୍ରକାର ଜିନ୍ ଥିବାରୁ ଯଦି ଉଭୟଙ୍କ ଭିତରେ କୌଣସି ବଂଶାନୁକ୍ରମିକ ରୋଗ ସୁପ୍ତ ଭାବରେ ଥାଏ, ତେବେ ସନ୍ତାନଠାରେ ତାହା ପ୍ରକାଶ ପାଇପାରେ। ଏସବୁ ରୋଗ ଭିତରେ ଅଛି- ଥାଲାସେମିଆ, ସିକିଲ ସେଲ ଆନିମିଆ, ସିଷ୍ଟିକ୍ ଫାଇବ୍ରୋସ୍ ଇତ୍ୟାଦି। 


ସଗୋତ୍ର ବିବାହ ଏକପ୍ରକାର ଭାଇଭଉଣୀ ବିବାହ ପରି ହୋଇଥିବାରୁ ଶାସ୍ତ୍ରରେ ଏହାକୁ ବାରଣ କରାଯାଇଛି। ସଗୋତ୍ର ଓ ନିକଟ-ସମ୍ପର୍କୀୟ ବିବାହରୁ ଜାତ ସନ୍ତାନ କେବଳ ରୋଗଣା ହୁଅନ୍ତି ନାହିଁ, ଅନେକ ସମୟରେ ବିକଳାଙ୍ଗ ହୋଇ ଜନ୍ମ ହୁଅନ୍ତି। ଏକ ଅନୁଧ୍ୟାନରୁ ଜଣାଯାଇଛି, ବିଭିନ୍ନ ସମୟରେ ଏକ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିବା ରକ୍ତକର୍କଟ ରୋଗାକ୍ରାନ୍ତ ଶିଶୁମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ପିତା-ମାତା ସଗୋତ୍ର ଅଥବା ନିକଟ ସମ୍ପର୍କୀୟ ବିବାହ କରିଥିଲେ। ତେଣୁ, ରକ୍ତର ଦୂରତା ଅଧିକ ହେଲେ ମିଳନ ପୂର୍ଣ୍ଣତର ହୁଏ, ତେବେ ଦୂରତା ଅତି ଅଧିକ ହେଲେ ବି ଭଲ ନୁହେଁ। 
ବିଷ୍ଣୁସଂହିତାରେ ଅଛି- ନ ସଗୋତ୍ରାଂ ସମାନାର୍ଷପ୍ରବରାଂ ଭାର୍ଯ୍ୟାଂ ବିନ୍ଦେତ (୨୪/୯)। ଅର୍ଥାତ୍ ସଗୋତ୍ରା ବା ଏକଗୋତ୍ରବିଶିଷ୍ଟା ଓ ସମାନ ଋଷି ଓ ପ୍ରବରବିଶିଷ୍ଟା ଭାର୍ଯ୍ୟାକୁ ଗ୍ରହଣ କରିବ ନାହିଁ।  ପୁଣି ଅଛି- ନ ମାତୃତସ୍ତୁ ଆପଞ୍ଚମାତ୍ ପୁରୁଷାତ୍ ପିତୃତଶ୍ଚାସପ୍ତମାତ୍ ( ୨୪/୧୦)। ଅର୍ଥାତ୍, ମାତୃପକ୍ଷରେ ପଞ୍ଚମ ଓ ପିତୃପକ୍ଷରେ ସପ୍ତମ ପୁରୁଷ ପର୍ଯ୍ୟନ୍ତ ରକ୍ତସମ୍ପର୍କରେ ବିବାହ ନିଷିଦ୍ଧ। ଏ ସମ୍ପର୍କରେ ମହର୍ଷି ମନୁଙ୍କ ଉକ୍ତି ହେଉଛି- ଅସପିଣ୍ଡା ଚ ଯା ମାତୁଃ ଅସଗୋତ୍ରା ଚ ଯା ପିତୁଃ। ସା ପ୍ରଶସ୍ତା ଦ୍ୱିଜାତୀନାଂ ଦାରକର୍ମଣି ମୈଧୁନେ।। ଅର୍ଥାତ୍ ଯେଉଁ ତରୁଣୀ ମାତୃପକ୍ଷରେ ଅସପିଣ୍ଡା ଓ ପିତୃପକ୍ଷରେ ଅସଗୋତ୍ରା ସେ ହିଁ ଦ୍ୱଜାତିମାନଙ୍କର ଦାରକର୍ମ ଓ ମୈଧୁନ ପାଇଁ ପ୍ରଶସ୍ତା। ଏଠାରେ ଅସପିଣ୍ଡା କହିଲେ ମାତୃପକ୍ଷରେ ପାଞ୍ଚପୁରୁଷ ଓ ପିତୃପକ୍ଷରେ ସାତପୁରୁଷର ରକ୍ତସମ୍ପର୍କକୁ ବୁଝାଏ। 
କେବଳ ହିନ୍ଦୁଶାସ୍ତ୍ର କାହିଁକି ପାଶ୍ଚାତ୍ୟ ଦେଶର ଶାସ୍ତ୍ରରେ ମଧ୍ୟ ସଗୋତ୍ର ଓ ନିକଟସମ୍ପର୍କୀୟ ବିବାହକୁ ନିଷିଦ୍ଧ କରାଯାଇଛି। ଏପରିକି ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ ପ୍ରଭୃତି ପାଶ୍ଚାତ୍ୟ ସଭ୍ୟ ଦେଶର ଆଇନରେ ମଧ୍ୟ ସଗୋତ୍ର ବିବାହ ନିଷିଦ୍ଧ-
English Law: “The Act of 1835 states all marriages. between persons within the prohibited degrees of consanguinity and affinity shall be absolutely null and void to all intents and purpose.”
German Law: “Marriages are void between descendants and ascendants; relatives by marriage in the ascending or descending lines; brother or sister of the whole or half blood.”
French Law: “Marriage is prohibited between all ascendants and descendants in the direct line and between persons related by marriage in the same line.” [ Encyclopaedia on Marriage]
ମାମୁଝିଅ ଭଉଣୀକୁ ବିବାହ କରିବାକୁ ଶାସ୍ତ୍ରରେ ବାରଣ କରାଯାଇଛି। ଶତାତପ କହିଛନ୍ତି- ‘‘ମାତୁଳସ୍ୟ ସୁତାମୂଢ଼ା ମାତୃଗୋତ୍ରାନ୍ତଥୈବ ଚ। ସମାନପ୍ରବରାଞ୍ଚୈବ ଗତ୍ୱା ଚାନ୍ଦ୍ରାୟଣଂ ଚରେତ୍।। ଅର୍ଥାତ୍ ମାମୁର ଝିଅ, ମାତୃକୁଳରେ ଜାତ ହୋଇଥିବା କନ୍ୟା ଓ ସମାନ ପ୍ରବରରେ ଜନ୍ମିଥିବା କନ୍ୟା- ଏମାନଙ୍କ ସହିତ ବିବାହ କରି ସହବାସ କଲେ ଚାନ୍ଦ୍ରାୟଣ କରି ପ୍ରାୟଶ୍ଚିତ୍ତ କରିବାକୁ ହୁଏ। ଏଣୁ ଏମାନଙ୍କ ସହିତ ବିବାହ କରିବା ଅବିଧି। ପୁନଶ୍ଚ ଉଦ୍‌ବାହତତ୍ତ୍ବରେ କୁହାଯାଇଛି,  ପିତାଠାରୁ ସାତପୁରୁଷ ଓ ପିତୃବନ୍ଧୁ ଏବଂ ମାତାଠାରୁ ପାଞ୍ଚପୁରୁଷ ଓ ମାତୃବନ୍ଧୁ- ଏମାନଙ୍କୁ ଛାଡ଼ି ଦ୍ୱିଜାତିମାନେ କନ୍ୟା ବିବାହ କରିବେ। ପିତାର ମାଉସୀପୁଅ ଭାଇ, ପିଉସୀପୁଅ ଭାଇ ଓ ମଉଳାପୁଅ ଭାଇ- ଏମାନେ ପିତୃବନ୍ଧୁ; ସେହିପରି ମାତାର ପିଉସୀପୁଅ ଭାଇ, ମାଉସୀପୁଅ ଭାଇ ଓ ମଉଳାପୁଅ ଭାଇ- ଏମାନେ ମାତୃବନ୍ଧୁ।
ଆମ ଓଡ଼ିଶାରେ ଦେଖାଯାଏ, ବିବାହ ଠିକ୍ ହେବା ପରେ ସଗୋତ୍ର ବୋଲି ଜଣାପଡ଼ିଲେ, ମୂର୍ଖ ପୁରୋହିତମାନେ କୁହନ୍ତି- ମାମୁ ବାହା କରିଦେଲେ ଚଳିବ। କିମ୍ବା ଝିଅକୁ ଅନ୍ୟ ଗୋତ୍ରର କିଏ ଝିଅ କରିନେଇ ବିବାହ ଦେଲେ ଚଳିବ। ଅନ୍ୟ କିଏ ଝିଅ କଲେ ବା ପୁଅ କଲେ କ’ଣ ଗୋତ୍ର ବଦଳିଯିବ? ବିରାଡ଼ିକୁ ଗୋଟିଏ କୁକୁର ଝିଅ କରିନେଲେ କ’ଣ ବିରାଡ଼ିଟା କୁକୁର ହୋଇଯିବ? ଆମ ଶାସ୍ତ୍ରକାର ପୋଷ୍ୟ ପୁତ୍ର ଗ୍ରହଣ କରିବା ସମ୍ପର୍କରେ ନିୟମ କରିଛନ୍ତି- ଭାଇର ପୁଅକୁ ପୁଅ କରିବା ଉଚିତ- ଝିଅ ବା ଭଉଣୀର ପୁଅକୁ କଦାପି ନୁହେଁ। ଭାଇର ପୁଅକୁ ପୁଅ କରିବା ସମ୍ଭବ ନ ଥିଲେ କେବଳ ନିଜ ଗୋତ୍ରର ଅନ୍ୟ କାହା ପୁଅକୁ ପୁଅ କରିବା ଉଚିତ। 
ତେବେ ସଗୋତ୍ର ବିବାହ ସର୍ବତ୍ର ନିଷିଦ୍ଧ ନୁହେଁ। କେତେକ ଜାତିରେ ବିବାହ କେବଳ ସେହି ଜାତିରେ ହିଁ ହୁଏ। କିନ୍ତୁ ସେହି ଜାତିରେ ‌କେବଳ ଗୋଟିଏ ଗୋତ୍ର (ଯଥା ନାଗ) ପ୍ରଚଳିତ। ତେଣୁ ସେମାନେ ଏକାଗୋତ୍ରରେ ବିବାହ କରିପାରିବେ- କେବଳ ପିତୃପକ୍ଷରେ ୭ ପୁରୁଷ ଓ ମାତୃପକ୍ଷରେ ପାଞ୍ଚପୁରୁଷର ରକ୍ତସମ୍ପର୍କ ନ ଥିବା ଦରକାର। 

                                                   -ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା, ମୋ- ୭୦୦୮୯୬୦୫୦୨