ବୁର୍ଲା ଆକ୍ରମଣ ଘଟଣା : ୨ ଭାଇ ମୃତ, ବାପାଙ୍କ ଅବସ୍ଥା ସଂକଟାପନ୍ନ, ୫ ବର୍ଷ ତଳର ଶତ୍ରୁତାକୁ ନେଇ ଆକ୍ରମଣ

ସମ୍ବଲପୁର : ୫ ବର୍ଷ ତଳ ପୁରୁଣା ଶତ୍ରୁତାର ପ୍ରତିଶୋଧ ନେବାକୁ ଯାଇ ମଙ୍ଗଳବାର ରାତି ପ୍ରାୟ ୯ଟା ୩୦ ସମୟରେ ବୁର୍ଲା ଥାନା ସେଣ୍ଟ୍ରାଲ୍ ଲାଇନ୍‌ର ଗୋଟିଏ ପରିବାର ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ମଙ୍ଗଳବାର ରାତି ୧୦ଟାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ରାତି ୩ଟା ୩୦ରେ ଆଉଜଣଙ୍କ ମୃତ୍ୟୁ ହୋଇଯାଇଛି।  ପରିବାରର ଅନ୍ୟ ୩ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି।

ମୃତକ ହେଲେ ସେଣ୍ଟ୍ରାଲ୍ ଲାଇନ୍‌ର ବୁଲୁ ବିଶୋୟୀ (୩୪) ଓ ତାଙ୍କ ଭାଇ ମୁନା ବିଶୋୟୀ(୩୨)। ଏହା ବ୍ୟତୀତ ମୃତକଙ୍କ ବାପା ପୀତବାସ, ମା ସଂଗୀତ ଓ ବୁଲୁଙ୍କ ସଂପର୍କୀୟ ନରେନ୍ଦ୍ର ଭାଣ୍ଡେରକର(୫୨) ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପୀତବାସଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଏହି ଘଟଣାରେ ବୁର୍ଲା ପୁଲିସ ୪ଟା ଟିମ୍‌ ଗଠନ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଭୋରରୁ ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳରୁ ୪ ଜଣ ଦୁର୍ବୃତ୍ତଙ୍କୁ ପୁଲିସ ଆଣି ଅଟକ ରଖିବା ସହ ପଚରାଉଚରା କରୁଛି। ହତ୍ୟାରେ ବ୍ୟବହାର ହୋଇଥିବା ସୁଇଫ୍‌ଟ ଡିଜେୟାର କାର୍‌, ଗୋଟିଏ ଭୁଜାଲି ଓ  ୩ଟି ଭଙ୍ଗା ବିୟର୍‌ ବୋତଲ ପୁଲିସ ଜବତ କରିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସମୟରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ବୁର୍ଲା ପୁଲିସ ପକ୍ଷରୁ ସୂଚନା ‌ଦିଆଯାଇଛି। ଏନେଇ ବୁର୍ଲା ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିବା ଏସ୍‌ଡିପିଓ ଶିଶୁରଂଜନ ମହାପାତ୍ର ସୂଚନା ଦେଇଛନ୍ତି।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ବୁଲୁ ଏବଂ ତାଙ୍କ ବାପା ଘର ବାହାରେ ବସିଥିଲେ। ଏହି ସମୟରେ ୨ ଜଣ ଦୁର୍ବୃତ୍ତ ଏକ ସ୍ବିଫ୍‌ଟ ଡିଜାୟାର୍‌ କାର୍‌ରେ ଆସି ଘର ସାମ୍‌ନାରେ ଅଟକିଥିଲେ। ସେମାନେ ପ୍ରଥମେ ବଚସା ଓ ପରେ ସେମାନେ ଖଣ୍ଡା, ଭୁଜାଲି ଓ କାଚ ବୋତଲରେ ବୁଲୁ ଏବଂ ତାଙ୍କ ବାପାଙ୍କୁ ଆକ୍ରମଣ କରିଥିଲେ। ବାପପୁଅଙ୍କୁ ରକ୍ଷା କରିବାକୁ ବୁଲୁଙ୍କ ଭାଇ ମୁନା, ମା ଓ ପଡ଼ୋଶୀ ନରେନ୍ଦ୍ର ଦଉଡ଼ି ଆସିଥିଲାବେଳେ ସେମାନେ ମଧ୍ୟ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ। ସ୍ଥାନୀୟ ଲୋକେ ଜମା ହେବା ଦେଖି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ବୁର୍ଲା ପୁଲିସ୍‌ ସମସ୍ତଙ୍କୁ ଉଦ୍ଧାର କରି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ସେଠାରେ ଡାକ୍ତର ବୁଲୁଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣା ବୁର୍ଲା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର