ଛାତ୍ରଛାତ୍ରୀଙ୍କୁ ନେଇ ପିକିନିକ୍ ଯିବାବେଳେ ବସକୁ ଜବତ କଲା ପରିବହନ ବିଭାଗ

୧୧ ଲକ୍ଷର ଜୋରିମାନା ଲାଗୁ

ନବରଙ୍ଗପୁର : ଟିକସ ନ ଦେଇ ବସ ଚାଲୁଥିଲା। ଶନିବାର ଭବାନୀପାଟଣା ଓୟୁଏଟିର ପ୍ରାୟ ୬୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ କୋରାପୁଟ ଜିଲ୍ଲାର ସିମିଳିଗୁଡା ଅଭିମୁଖେ ଯାଉଥିଲା । ବାଟରେ ପରିବହନ ବିଭାଗ ବସକୁ ଅଟକାଇ ଜବତ କରିନେଲେ ।

ପରିବହନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ପ୍ରାୟ ସାଢ଼େ ୯ଟା ବେଳେ ପାପଡାହାଣ୍ଡି ମୃଗ ବିହାରଠାରେ ନବରଙ୍ଗପୁର ପରିବହନ ବିଭାଗର ଏନଫର୍ସମେଣ୍ଟ ଟିମ୍ ଚଢ଼ାଉ ଚାଲିଥିଲା । ସେହି ସମୟରେ  (ଓଡି ୩୩ ବି ୧୧୧୧) ସୁଶ୍ରୀ ନାମକ ଏକ ଭଲଭୋ ବସ ଆସି ପହଞ୍ଚିଥିଲା। ବସକୁ ଅଟକାଇ  ପରିବହନ ବିଭାଗ ପକ୍ଷରୁ ବସର କାଗଜ ପତ୍ର ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଜଣାପଡିଥିଲା ଯେ ଉକ୍ତ ବସ ପକ୍ଷରୁ ଗତ ମଇ ୨୦୧୯ ରୁ ଆଜି ପର୍ଯ୍ୟନ୍ତ ରୋଡ୍ ଟିକସ ପୈଠ କରାଯାଇନାହିଁ। ସେଥିପାଇଁ ବସକୁ ଜବତ କରି ନବରଙ୍ଗପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଉକ୍ତ ବସଟି ମାସିକ ୧୬ ହଜାର ୨୬୩ ଟଙ୍କା ପୈଠ କରିବାର ଥିଲା। ସମସ୍ତ ପ୍ରକାର ଟିକସକୁ ମିଶାଇବା ପରେ ଉକ୍ତ ବସଟି ଆଜି ସୁଦ୍ଧା ୧ ଲକ୍ଷ ୨୧ହଜାର ୯୨୩ ଟଙ୍କା ପୈଠ କରିବାର ଥିଲା। ଏଥି ପାଇଁ ସରକାରଙ୍କ ନିୟମ ଅନୁଯାୟୀ ଉକ୍ତ ବସକୁ ୧୦ ଲକ୍ଷ ୨୨୪ ଟଙ୍କା ଜରିମାନା ପକାଯାଇଛି। ଏବେ ଏହି ବସର ମାଲିକ ଟିକସ ଓ ଜରିମାନା ମିଶାଇ ୧୧ ଲକ୍ଷ ୨୨ ହଜାର ୧୪୭ ଟଙ୍କା ପୈଠ କରିବା ପରେ ବସ ମୁକୁଳିବ ବୋଲି କହିଛନ୍ତି ଅତିରିକ୍ତ ଆରଟିଓ ବିଭୁ ରଂଜନ ନାୟକ ।

ଉକ୍ତ ବସରଟି କଳାହାଣ୍ଡି ଜିଲ୍ଲାର ସଂଯୁକ୍ତା ମିଶ୍ରଙ୍କ ନାମରେ ରହିଛି । କେବଳ ଏତିକି ନୁହେଁ ବସ ନବରଙ୍ଗପୁର ଜିଲ୍ଲାକୁ ଆସିବା ପାଇଁ ସ୍ବତନ୍ତ୍ର ପରମିଟ୍ ବି ନଥିଲା । ତେବେ ଏବେ ବସକୁ ଯେଉଁ ପରିମାଣର ଜରିମାନା ପକାଯାଇଛି ଏତେ ପରିମାଣର ଜରିମାନା ପୂର୍ବରୁ ଜିଲ୍ଲାରେ କେବେ ଆଦାୟ ହୋଇନଥିଲା।

ବସରେ ଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଛାତ୍ରଛାତ୍ରୀ ମାନେ ପ୍ରାୟ ୩ ଘଣ୍ଟା ସମୟ ଆରଟିଓ ଅଫିସରେ ଅପେକ୍ଷା କରିବାକୁ ପଡିଥିଲା । ଛାତ୍ରଛାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।

ସମ୍ବନ୍ଧିତ ଖବର