ରବିବାର ‘ଜନତା କର୍ଫ୍ୟୁ’ ପାଇଁ ରାଜ୍ୟରେ ବସ ଚଳାଚଳ ବନ୍ଦ ରହିବ

ଭୁବନେଶ୍ୱର : ଆସନ୍ତା କାଲି ଜନତା କର୍ଫ୍ୟୁ ପାଳନ କରାଯାଉଥିବାରୁ ରାଜ୍ୟରେ ବସ ଚଳାଚଳ ବନ୍ଦ ରହିବ । ରାଜ୍ୟର ପ୍ରାୟ ୧୪ ହଜାର ଘରୋଇ ବସ ଚଳାଚଳ ବନ୍ଦ ରହିବ ବୋଲି ଘୋଷଣା କରିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । ଅନ୍ୟପକ୍ଷରେ ଜନତା କର୍ଫ୍ୟୁ ଯୋଗୁଁ ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ସହରରେ ଅଟୋ ଚଳାଚଳ ମଧ୍ୟ ବନ୍ଦ ରହିବ ବୋଲି ଜଣାଯାଇଛି ।
ଅନ୍ୟପକ୍ଷରେ ରାଜ୍ୟ ସରକାର କେବଳ ଜରୁରୀ ସାମଗ୍ରୀ, ଔଷଧ ଦୋକାନକୁ ଛାଡ଼ିଦେଲେ ଅନ୍ୟ ଦୋକାନ, ସପିଂ ମଲ ଆଦିକୁ ବନ୍ଦ କରିଦେଇଛନ୍ତି ।
ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମାର୍ଚ୍ଚ ୨୨ ରବିବାର ଦିନ ଜନତା କର୍ଫ୍ୟୁ ପାଳନ କରିବାକୁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି । ଦେଶରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ବଢିଚାଲିଥିବାରୁ ତାହାରୁ ରୋକିବାକୁ ସରକାର ଏପରି ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଜନତା କର୍ଫ୍ୟୁ ଦିନ ଲୋକମାନେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାହାରକୁ ନ ବାହାରି ଘରେ ରହିବାକୁ ମୋଦୀ ନିବେଦନ କରିଛନ୍ତି ।
ଶନିବାରସୁଦ୍ଧା ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୧ରେ ଓ ମୃତ୍ୟୁସଂଖ୍ୟା ୫ରେ ପହଞ୍ଚିଛି । ଓଡ଼ିଶାରେ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧିତ ଖବର