ରାଉରକେଲା: ପୂର୍ବରୁ କେବଳ ଓଡ଼ିଶାର ଖଣିଖାଦାନ ପାଇଁ ଉଦ୍ୟୋଗୀ ଆସୁଥିଲେ। ଏବେ କିନ୍ତୁ ରାଜ୍ୟରେ ଅନ୍ୟାନ୍ୟ ଶିଳ୍ପକାରଖାନା ସ୍ଥାପନ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ବାସ୍ତବରେ ରାଜ୍ୟରେ ଶିଳ୍ପର ବିକାଶ ପାଇଁ ଅପାର ସୁଯୋଗ, ଭିତ୍ତିଭୂମି ରହିଛି। ରାଜ୍ୟ ସରକାର ମଧ୍ୟ ବିଭିନ୍ନ ଯୋଜନା ମାଧ୍ୟମରେ ଏକାଧିକ ସୁଯୋଗ ଯୋଗାଇ ଦେଉଛନ୍ତି। ଯୁବପିଢ଼ି ସଚେତନ ହୋଇ ଜଣେ ସଫଳ ଉଦ୍ୟୋଗୀ ହେବାକୁ ଉଦ୍ୟମ କରନ୍ତୁ। ଏଭଳିଭାବେ ଆହ୍ବାନ କରିଛନ୍ତି ରାଜ୍ୟ ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ।
ରାଉରକେଲା ବଣିକ ସଂଘ ଆୟୋଜିତ ତିନିଦିନିଆ ବିଜିନେସ୍ କନ୍କ୍ଲେଭ୍କୁ ଉଦ୍ଘାଟନକରି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଲେ, ଏବେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବାଟ ଖୋଲିଛି। ଏପର୍ଯ୍ୟନ୍ତ ୧.୮୦ ଲକ୍ଷ କୋଟି ଟଙ୍କା ନିବେଶ ପାଇଁ ମଞ୍ଜୁରୀ ଦିଆଯାଇଛି। ଏହାଦ୍ବାରା ପାଖାପାଖି ୧.୧୦ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ। ରାଜ୍ୟରେ ତିନିଟି ବନ୍ଦର ରହିଥିବାବେଳେ ଆଗାମୀ ଦିନରେ ଏହାର ଆହୁରି ବିକାଶ କରାଯିବ। ଓଡ଼ିଶାକୁ ନୀଳ ଅର୍ଥନୀତିର ମୁଖଶାଳ କରିବାକୁ ପ୍ରୟାସ କରାଯାଉଛି। ଆମ ସରକାର ସଂପୂର୍ଣ୍ଣ ଉନ୍ମୁକ୍ତଭାବେ କାର୍ଯ୍ୟ କରୁଛି। ଶିଳ୍ପସଂସ୍ଥା, ଉଦ୍ୟୋଗୀଙ୍କ ସମେତ ବନ୍ଧୁତ୍ବପୂର୍ଣ୍ଣ ବାତାବରଣ ସୃଷ୍ଟି କରି ଏ କ୍ଷେତ୍ରରେ ବ୍ୟାପକ ବିକାଶ ପାଇଁ ଗୁରୁତ୍ବ ଦିଆଯାଉଛି। ଆଗାମୀ ୩ ବର୍ଷରେ ୧୨୦୦ ଉଦ୍ୟୋଗୀ ସୃଷ୍ଟି କରାଯିବା ସହ ୫୦ ହଜାର ଯୁବକଯୁବତୀଙ୍କୁ ଦକ୍ଷ କରାଯିବ। କହିଲେ, ବଡ଼ ଶିଳ୍ପସଂସ୍ଥା ସିଏସ୍ଆର୍ ମାଧ୍ୟମରେ ଲୋକଙ୍କର ମଙ୍ଗଳ ପାଇଁ ପଦକ୍ଷେପ ନିଅନ୍ତୁ। ଓଡ଼ିଶା ପ୍ରତିବର୍ଷ ୫୫% ଲୁହାପଥର, ୭୩% ପ୍ରତିଶତ ବକ୍ସାଇଟ୍ ଓ ୧୦୦% ପ୍ରତିଶତ କ୍ରୋମାଇଟ୍ ଉତ୍ପାଦନ କରିଥାଏ। ଶିଳ୍ପଗୁଡିକର ସମସ୍ୟାର ସମାଧାନ ହେଲେ ହିଁ ରାଉରକେଲା ଏବଂ ସୁନ୍ଦରଗଡ ଜିଲ୍ଲା ତଥା ରାଜ୍ୟର ବିକାଶ ସମ୍ଭବ।
ସମ୍ମାନିତ ଅତିଥି ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ତଥା ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଲେ, ଏମ୍ଏସ୍ଏମ୍ଇ ହେଉଛି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ। ଏହି କ୍ଷେତ୍ରକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ଏବେବି ରାଜ୍ୟର ଅନେକ ଜିଲ୍ଲା ଶିଳ୍ପକାରଖାନାରୁ ବଞ୍ଚିତ। ଆମ ସରକାର ଏହି ଶୂନ୍ୟତା ପୂରଣ କରିବାକୁ ବଦ୍ଧପରିକର। ପ୍ରକୃତରେ ଗାଁର ବିକାଶ ହେଲେ ହିଁ ରାଜ୍ୟର ବିକାଶ ସମ୍ଭବ। ବଡ଼ବଡ଼ ଶିଳ୍ପସଂସ୍ଥା ଏ ଦିଗରେ ଆଗେଇ ଆସନ୍ତୁ। ସେମାନେ ଛୋଟ ଶିଳ୍ପାନୁଷ୍ଠାନକୁ ସହଯୋଗର ହାତ ବଢ଼ାନ୍ତୁ। ସମ୍ମିଳିତ ଉଦ୍ୟମରେ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ହେବ। ବର୍ତ୍ତମାନର ଡବଲ୍ ଇଞ୍ଜିନ୍ ସରକାର ଅଧୀନରେ ଡବଲ୍ ବିକାଶ ଘଟିବ। ଉଦ୍ୟୋଗୀମାନଙ୍କୁ ସୁଲଭ ମୂଲ୍ୟରେ ଜମି ଯୋଗାଇବା ସହ ରାଜ୍ୟର ସମସ୍ତ ବ୍ଲକରେ ଜମି ବ୍ୟାଙ୍କ ସୃଷ୍ଟି କରାଯିବବୋଲି କହିଥିଲେ।
ବଣିକ ସଂଘ ସଭାପତି ପ୍ରଭାତ ତିବ୍ରେୱାଲ ସ୍ବାଗତ ଭାଷଣ ଦେଇଥିଲେ। ଡାଲମିଆ ସିମେଣ୍ଟ ଇଡି ଚେତନ ଶ୍ରୀବାସ୍ତବ, ନବଦୁର୍ଗା ଗ୍ରୁପ୍ ଅଧ୍ୟକ୍ଷ ନିମିଶ ଗାଡ଼ୋଡ଼ିଆ ବକ୍ତବ୍ୟ ରଖିଥିଲେ। ଏହିଅବସରରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ପକ୍ଷରୁ ଷ୍ଟଲ୍ରେ ନିଜର ଉତ୍ପାଦ ପ୍ରଦର୍ଶନ କରିଛନ୍ତି। ସଂଘର ସାଧାରଣ ସଂପାଦକ ଶୁଭମ କପୁର ଧନ୍ୟବାଦ ଦେଇଥିଲେ।