ତ୍ରିନିଦାଦ-ଟବାଗୋ, କ୍ରିକେଟ୍‌ ଓ କାଲିପ୍‌ସୋ

ଦୂତାବାସରୁ ଚିଠି - ଅରୁଣ କୁମାର ସାହୁ

ବର୍ତ୍ତମାନ ଏଠି ‘କାରିବୀୟନ୍‌ ପ୍ରିମିୟର ଲିଗ୍’ର ଋତୁ। ସେପ୍ଟେମ୍ବର ୪ ରୁ ଅକ୍ଟୋବର ୧୨ ପର୍ଯ୍ୟନ୍ତ ଚାଲିବ। ଛଅଟା ଦଳ ଖେଳିବେ। ଆମେରିକା ଓ ୱେଷ୍ଟଇଣ୍ଡିଜ ଦ୍ୱୀପପୁଞ୍ଜର ଛଅଟି ସ୍ଥାନରେ ହେବ ଟି-୨୦ କ୍ରିକେଟ ପ୍ରତିଯୋଗିତା। ଶେଷ ମ୍ୟାଚ ତ୍ରିନିଦାଦର ‘ବ୍ରାୟାନ ଲାରା ଷ୍ଟାଡିୟମ’ରେ ହେବା ସ୍ଥିର।

ସେପ୍ଟେମ୍ବର ୩ ତାରିଖ ବ୍ରାହ୍ମ ମୁହୂର୍ତ୍ତରେ ରାଜଧାନୀ ପୋର୍ଟ ଅଫ ସ୍ପେନରେ ପହଞ୍ଚିବା ପରଠୁ ମୁଁ କ୍ରିକେଟର ପ୍ରଭାବ ଅନୁଭବ କରି ଆସୁଛି। କିଛି ମ୍ୟାଚ ସନ୍ଧ୍ୟା ସାତଟାରେ ଓ ଆଉ କିଛି ସନ୍ଧ୍ୟା ଆଠଟାରେ ଆରମ୍ଭ ହେବ। ରାସ୍ତାଘାଟ, ଦୋକାନବଜାର, ରେଡ଼ିଓ ଓ ଟେଲିଭିଜନରେ ପ୍ରଚାର ଓ ପ୍ରସାରଣ ଚାଲିବ। ୨୦୧୩ ପରଠୁ କାରିବୀୟ ଭୂମଣ୍ଡଳରେ ଏହା ଗୋଟିଏ ମୁଖ୍ୟ ବାର୍ଷିକ ଉତ୍ସବ।

‘କୁଇନ୍‌ସ ପାର୍କ ସାଭାନ୍ନା’ ହେଉଛି ତ୍ରିନିଦାଦର ପେଟ। ରାଜଧାନୀ ‘ପୋର୍ଟ ଅଫ ସ୍ପେନ’ର ଉତ୍ତର ମୁଣ୍ଡରେ ଏହା ଅବସ୍ଥିତ। ଆଉ ଏ ପେଟକୁ ଲାଗି ସହରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ। ଉତ୍ତରରେ ପାହାଡ। ଦକ୍ଷିଣକୁ ସ୍ଥଳଭାଗ ପ୍ରାୟ ୧୬୦ କିଲୋମିଟର ଲମ୍ବି ଯାଇ ପହଞ୍ଚିଛି ଭେନେଜୁଏଲା ପାଖରେ। ଦକ୍ଷିଣ ମୁଣ୍ଡ ସ୍ଥଳ ଭାଗରୁ ସମୁଦ୍ରରେ ମାତ୍ର ଛଅ ମାଇଲ ଦୂରରେ ଭେନେଜୁଏଲା। ପଶ୍ଚିମରେ ଐତିହାସିକ ଓ ପାରମ୍ପରିକ ବନ୍ଦର ଏବଂ ପୂର୍ବ ସ୍ଥଳଭାଗ ଲମ୍ବିଛି ପଚାଶ କିଲୋମିଟର ଓ ତା ପରେ ପୁଣି ସମୁଦ୍ର। ଟବାଗୋ ଆଉ ଗୋଟିଏ ଦ୍ୱୀପ। ଛୋଟ ଉଡ଼ାଜାହାଜ ଉଡ଼ିଲେ ଲାଗେ ୨୦ ମିନିଟ।

ସାଭାନ୍ନା କାରିବୀୟନ ଅଞ୍ଚଳରେ ଥିବା ସର୍ବବୃହତ୍‌ ସର୍ବଜନୀନ ପାର୍କ‌୍ଗୁଡ଼ିକ ମଧ୍ୟରେ ଅନ୍ୟତମ। ଏହାର ଇତିହାସ ପୁରୁଣା। ପ୍ରାୟ ୨୬୦ ଏକର ଜାଗା, ସାଢେ ତିନି କିଲୋମିଟର ପରିସୀମା। ଉନବିଂଶ ଶତକ ପୂର୍ବରୁ ଏଠି ଆଖୁ ଚାଷ କରାଯାଉଥିଲା ଓ ଏଠାରେ ବହୁତ ଚିନି କାରଖାନା ଅଛି। ପରେ ପରେ ଏଠି, ଉଡ଼ାଜାହାଜ ଅବତରଣ, ଘୋଡା ଦୌଡ ପଡ଼ିଆ, ଶ୍ମଶାନ, ଇତ୍ୟାଦି ଇତ୍ୟାଦି ଗଢ଼ି ଉଠିଛି। ଏବେ କ୍ରିକେଟ, ଫୁଟବଲ ଓ ରଗବି ଖେଳ ହେଉଛି ମୁଖ୍ୟ ଖେଳ। ସକାଳେ, ସନ୍ଧ୍ୟାରେ ଓ ଛୁଟି ଦିନରେ ଖେଳାଳି ଓ ଭ୍ରମଣକାରୀଙ୍କ ଭିଡ଼ ଜମେ। ଦକ୍ଷିଣ ଦିଗ କଡେ଼କଡେ କିଛି ପଇଡ଼ ବିକାଳି, କିଛି ସ୍ଥାନୀୟ ଖାଦ୍ୟ ବିକାଳିଙ୍କୁ ଦେଖିବାକୁ ମିଳେ। ସାଭାନ୍ନାର ଚାରିକଡ଼େ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ରାଷ୍ଟ୍ରପତି ଭବନ, ରାଣୀ ଭିକ୍ଟୋରିଆ ସମୟର ସ୍ଥାପତ୍ୟରେ ଗଢ଼ା ଗୀର୍ଜା ଘର, ବୋଟାନିକାଲ ଗାର୍ଡେନ, ଚିଡିଆଖାନା ଇତ୍ୟାଦି ଇତ୍ୟାଦି। ବୋଟାନିକାଲ ଗାର୍ଡେନ ଭିତରେ ଭାରତୀୟ ଗଛ ଦେଖିବାକୁ ମିଳେ। ଫେବ୍ରୁଆରି କିମ୍ବା ମାର୍ଚ୍ଚ ମାସରେ ଏ ପାର୍କରେ ତ୍ରିନବାଗୋ କାର୍ନିଭାଲ ହୁଏ। ତାହା ଗୋଟିଏ ନାଚ, ଗୀତ, ସଂଗୀତ ଓ ବାଦ୍ୟର ଉତ୍ସବ। ତହିଁରେ ଆହୁରି ରହିଛି ପ୍ରକୃତି, ପରିବେଶ ଏବଂ ଆଦିମତାର ଆବାହନ। କାରିବୀୟ ଓ ଦକ୍ଷିଣ ଆମେରିକାର ଅନେକ ପାରମ୍ପରିକତାର ସମାଗମ ଏହି ଉତ୍ସ‌ବରେ ଦେଖାଯାଏ। କାରିବୀୟ ଭୂଭାଗରେ ଏହା ସବୁଠୁ ବଡ ପର୍ବ। ସୋକା (soca), କାଲିପ୍‌ସୋ(calypso) ସଂଗୀତ ସହିତ ଚଟଣୀ (chutney) ନାଚ ଓ ଅନ୍ୟାନ୍ୟ ସାଂସ୍କୃତିକ ପରମ୍ପରା ଏଠାକାର ସ୍ବାତନ୍ତ୍ରୢ। ଷ୍ଟିଲ ଥାଳି (steel pan) ନାମକ ବାଦ୍ୟଯନ୍ତ୍ରର ଏହା ଜନ୍ମସ୍ଥାନ। ତ୍ରିନିଦାଦ ଓ ଟୋବାଗୋର କୋଣ ଅନୁକୋଣରେ ଅନୁରଣିତ ହୁଏ ଏହାର ସ୍ୱର।
ଏଠାରେ ଦୁଇଟି ଋତୁ – ଶୁଖିଲା ଓ ଓଦା। ଜୁନରୁ ଡିସେମ୍ବର ଖରା ମଝିରେ ଅଚାନକ, ଅଜାଣତ, ଅପ୍ରାସଙ୍ଗିକ ଭାବେ ବର୍ଷା ବର୍ଷିଯାଏ। କେବେ କେବେ ବନ୍ୟା ଆସେ। ବାକି ସମୟ ଶୁଖିଲା। ଘରୋଇ ବିଦ୍ୟାଳୟର ସମୟ ସକାଳ ୭.୩୦ରୁ ଅପରାହ୍ନ ୨ଟା। ସରକାରୀ ବିଦ୍ୟାଳୟ ସକାଳ ୮.୩୦ରୁ ଅପରାହ୍ନ ୩ଟା। ସରକାରୀ କାର୍ଯ୍ୟାଳୟର ବି ଦୁଇଟି ସମୟ- କିଛି କର୍ମଚାରୀଙ୍କ ଲାଗି ସକାଳ ୭.୩୦ରୁ ଅପରାହ୍ନ ୪ ପର୍ଯ୍ୟନ୍ତ ଓ ଆଉ କେତେକଙ୍କ ଲାଗି ୮.୩୦ ରୁ ଅପରାହ୍ନ ୫ଟା। ମୁଖ୍ୟ ସରକାରୀ ଭାଷା ଇଂରେଜୀ, କିନ୍ତୁ ସାଧାରଣ ଲୋକଭାଷା କ୍ରିଓଲ (creole)। କ୍ରିଓଲ ହେଉଛି ଇଂରେଜୀ, ହିନ୍ଦୁସ୍ଥାନୀ, ଆଫ୍ରିକୀୟ ଓ ଦେଶୀୟ ଲୋକଭାଷାର ମିଶ୍ରଣ।

ତ୍ରିନିଦାଦ ଓ ଟୋବାଗୋର ସମୁଦାୟ ଲୋକସଂଖ୍ୟା ପ୍ରାୟ ୧୩ ଲକ୍ଷ। ତା ଭିତରୁ ପ୍ରାୟ ସାଢେ ପାଞ୍ଚ ଲକ୍ଷ ଭାରତୀୟ ବଂଶଜ। ସେମାନଙ୍କ ମୂଳ ମୁଖ୍ୟତଃ ତତ୍କାଳୀନ ପରାଧୀନ ଭାରତର ଉତ୍ତରପ୍ରଦେଶ ଓ ବିହାର ଅଂଚଳରୁ ଆସିଥିଲେ। ବାକି ଆଫ୍ରିକୀୟ, ସ୍ଥାନୀୟ, ଇଂରେଜୀ ଓ ସ୍ପାନୀୟ। ୧୮୪୫ ମସିହାରେ ଏଠିକି ପ୍ରଥମ ଭାରତୀୟ ବଂଶଜ ଗୋତି ଶ୍ରମିକର ଆଗମନର ୧୭୫ ବର୍ଷ ପୂର୍ତ୍ତି ହେବ ଆସନ୍ତା ମେ ମାସ ୩୦ ତାରିଖରେ। ଆଖୁ ଓ କପା ଚାଷରେ ଲିପ୍ତ ହୋଇଥିବା ଶ୍ରମିକ ମାନଙ୍କର ଉତ୍ତର ଦାୟାଦ ଆଜି ଶିକ୍ଷା, ବୈଷୟିକ କୌଶଳ, ବାଣିଜ୍ୟ ଓ ରାଜନୀତି କ୍ଷେତ୍ରରେ ଖୁବ ସଫଳ। ଆର୍ଥିକ ଓ ରାଜନୈତିକ ସଫଳତା ସହିତ ସେ ତାର ସାଂସ୍କୃତିକ ପରିଚୟକୁ ବଂଚାଇ ରଖିବାରେ ସତତ ଚେଷ୍ଟିତ ଓ ସମର୍ଥ ମଧ୍ୟ। ଏଠିକାର ରାମଲୀଳାର ପରମ୍ପରା ପ୍ରାଚୀନ। ଦୀପାବଳି ଓ ଫଗୁ ଖେଳ ସାରା ଦେଶର ଦୁଇଟି ବଡ଼ପର୍ବ। ମୂର୍ତ୍ତି ପୂଜାର ବିଧିବିଧାନ ଅଛି। ଅଳ୍ପ କିଛି ବୟୋଜ୍ୟେଷ୍ଠ ପୂଜକ ସଂସ୍କୃତ ଓ ହିନ୍ଦୀ ପୁସ୍ତକ ପଢି ପାରନ୍ତି। ଗଣେଶ ପୂଜା, କାଳୀ ପୂଜା, ହୋଲି ଓ ଦୀପାବଳି ସମୟରେ ବିଭିନ୍ନ ମନ୍ଦିରରେ ବିଧି ସମ୍ମତ ପୂଜାର୍ଚ୍ଚନା କରାଯାଏ। ତ୍ରିନିଦାଦରେ ଛୋଟ ବଡ ଅନେକ ମନ୍ଦିର ରହିଛି। ଊଣେଇଶଟି ମନ୍ଦିର ତା ଭିତରେ ମୁଖ୍ୟ। ପୃଥିବୀର ଦ୍ବିତୀୟ ଉଚ୍ଚତମ ହନୁମାନ ବିଗ୍ରହ ଏଇଠି ଅଛନ୍ତି। ପ୍ରାୟ ୮୫ ଫୁଟ ଉଚ୍ଚ ଏହି ବିଗ୍ରହ। ଦୈନନ୍ଦିନ ସାମାଜିକ ଜୀବନରେ ସଂସ୍କୃତି, ରଙ୍ଗ ଓ ଆଧ୍ୟାତ୍ମିକ ଚିନ୍ତନ ସବୁ ମିଶାମିଶି। ଗୋଟିଏ ପରିବାରରେ ବିଭିନ୍ନ ଧର୍ମର ସଦସ୍ୟ– ହିନ୍ଦୁ, ମୁସଲିମ, ଖ୍ରୀଷ୍ଟିୟାନ ଅବା ଆଫ୍ରିକୀୟ ଧର୍ମାବଲମ୍ବୀଙ୍କୁ ଦେଖିବାକୁ ମିଳେ। ରାମ, ଯୀଶୁ ଓ ଆଲ୍ଲା ସମସ୍ତେ ଏକାଠି।

ତ୍ରିନିଦାଦ ଓ ଟୋବାଗୋର ଗଣତନ୍ତ୍ର ଆଦ୍ୟ ଯୌବନରେ। ଏହାର ବୟସ କେବଳ ୫୭ ବର୍ଷ। ୧୯୬୨ ମସିହାରେ ଇଂରେଜ ସରକାର ଅଧୀନରୁ ମୁକ୍ତ ହେଲା। ଦେଶର ନ୍ୟାୟ ପାଳିକା ସ୍ୱତନ୍ତ୍ର। ଆଞ୍ଚଳିକ କୋର୍ଟ ଉପରକୁ ଉଚ୍ଚ ନ୍ୟାୟାଳୟ ଓ ସର୍ବୋଚ୍ଚ ନ୍ୟାୟାଳୟ ଅଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ପରେ ବ୍ରିଟେନର ପ୍ରିଭି କାଉନସିଲ (Privy council) ରେ ଅପିଲ କରାଯାଏ।

ଏଠିକାର ନୂତନ ପିଢି ଅନ୍ୟ ଦେଶର ଯୁବପିଢ଼ି ପରି ସ୍ୱପ୍ନରେ ମୋହିତ। ଉଚ୍ଚଶିକ୍ଷାରେ ସଫଳତା ପ୍ରତି ଏମାନେ ମଧ୍ୟ ଯତ୍ନଶୀଳ। ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀ ବ୍ରିଟେନ, କାନାଡ଼ା ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଉଚ୍ଚଶିକ୍ଷା ଲାଭ କରିଥାନ୍ତି। ଶିକ୍ଷା ବ୍ୟତୀତ କ୍ରୀଡ଼ା କ୍ଷେତ୍ରରେ ବି ପ୍ରୋତ୍ସାହନ ଅଧିକ। କଳା ଓ ସାହିତ୍ୟରେ ଅନେକଙ୍କ ରୁଚି। କ୍ରିକେଟର ‘ବ୍ରାୟାନ ଲାରା’ ପୋର୍ଟ ଅଫ ସ୍ପେନର ବାସିନ୍ଦା।

ଲେଖକ ତ୍ରିନିଦାଦ ଓ ଟବାଗୋରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ

ସମ୍ବନ୍ଧିତ ଖବର