ବୁଲଡୋଜର..ମାଡିଆସିଲାଣି ବୁଲଡୋଜର..ମାଡ଼ିଦେବ, ଭାଙ୍ଗିଦେବ ଅପରାଧୀଙ୍କ ଠିକଣା | ବୁଲଡୋଜର ବାବାଙ୍କ ସରକାର ଇଏ, ଅପରାଧୀଙ୍କୁ କରିଦେବ ସଫା | ଅନେକ ସମୟରେ ଆପଣ ଗଣମାଧ୍ୟମରେ ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କ ବୁଲଡୋଜର ଆକ୍ସନ ବିଷୟରେ ଶୁଣିଥିବେ, କେମିତି ଉତ୍ତରପ୍ରଦେଶରେ ସେ ଅପରାଧୀଙ୍କୁ ଦମନ କରନ୍ତି, ଅପରାଧରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରକୁ ବୁଲଡୋଜରରେ ସଫା କରିଦିଅନ୍ତି ଖବରରେ ପଢ଼ିଥିବେ | ଠିକ ଏଥିପାଇଁ ତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଅନେକ ବୁଲଡୋଜର ବାବା ବୋଲି ବି ଡାକନ୍ତି | ତେବେ ଉତ୍ତରପ୍ରଦେଶରେ ବିଜେପି ସରକାରରେ ବୁଲଡୋଜରର ବଡ ପ୍ରଭାବ ଥିବାବେଳେ ଅପରାଧୀ ବି ସାବାଡ଼ | କାରଣ ଅପରାଧୀ ବି ଜାଣିଛନ୍ତି ଚୁପଚାପ ରହିବା ଭଲ, ବେଶୀ ଡେଇଁଲେ ଯୋଗୀ ପଠାଇବ ବୁଲଡୋଜର, ଯାହା ସବୁକିଛି ଭାଙ୍ଗିଦେବ |

Advertisment

କିନ୍ତୁ ଓଡ଼ିଶାର ବର୍ତ୍ତମାନର ସ୍ଥିତି ଦେଖିଲେ ଯେମିତି ଲାଗୁଛି ଅପରାଧୀ ଏଠାକାର ସରକାରଙ୍କୁ ଖୁଲମଖୁଲା ଚ୍ୟାଲେଞ୍ଜ ଦେଉଛନ୍ତି | ଆଇନଶୃଙ୍ଖଳା ବ୍ୟବସ୍ଥାକୁ ବୁଲଡୋଜରରୁପି(ଦୁଷ୍କର୍ମ,ହତ୍ୟା, ନିଶା କାରବାର ଓ ଦୁର୍ନୀତି)ପ୍ରମୁଖ କଡା ଟକ୍କର ଦେଉଛନ୍ତି | ଆଇନଶୃଙ୍ଖଳା ବ୍ୟବସ୍ଥାକୁ ଭାଙ୍ଗିବାରେ ଲାଗିଛନ୍ତି | କେତେବେଳେ ଦୁଷ୍କର୍ମର ଖବର ଆସୁଛି ତ, କେବେ ପୁଣି ହତ୍ୟାକାଣ୍ଡ, କେବେ ପୁଣି ପୁଳାପୁଳା ନିଶାଦ୍ରବ୍ୟର ଚାଲାଣ ଓ କେବେ ବଡ ବଡ ବାବୁଙ୍କ ଦୁର୍ନୀତିର ଲମ୍ବା ଚିଠା |

ସତେ ଯେମିତି ଓଡ଼ିଶାର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ପରିହାସ ଛଳରେ ଏମାନେ କହୁଛନ୍ତି ଆମେ ବି ଗୋଟେ ଗୋଟେ ବୁଲଡୋଜର | ଆଉ ଅଳ୍ପଦିନ ବାକି ମ, ଭାଙ୍ଗିଦେବୁ ତୁମ ବ୍ୟବସ୍ଥା, ଆଇନଶୃଙ୍ଖଳାର ଢାଲ | ସେମାନେ ଯେମିତି ଛିଗୁଲେଉଛନ୍ତି ଇଏ ଉତ୍ତରପ୍ରଦେଶ ନୁହେଁ ମ, ଯେଉଁଠି ଆମକୁ ଶାସନ କଣ ଦେଖାଇଦିଆଯାଏ, ଇଏ ପରା ଓଡିଶା, ଏଠି ଆମେ ରାଜ କରିବୁ |