କୋଲକାତା: କୋଲକାତାର ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ବିରୋଧରେ  ବିଭିନ୍ନ ଦୁର୍ନୀତି  ଅଭିଯୋଗ ଆସିଥିବା ବେଳେ ଏହି ମାମଲାରେ  ସିବିଆଇ ଆଜି ସକାଳେ ତାଙ୍କ ବାସଭବନ ସମେତ ୧୫ଟି ସ୍ଥାନରେ ଚଢ଼ଉ କରିଛି। ସିବିଆଇର ଏକ ଟିମ୍   ସକାଳ ୬ଟା ୪୫ମିନିଟରେ  ଘୋଷଙ୍କ ବାସଭବନରେ ପହଞ୍ଚିଥିଲେ ମଧ୍ୟ ସେ ସକାଳ ୮ଟାରେ ସେମାନଙ୍କ ପାଇଁ କବାଟ ଖୋଲିଥିଲେ।  

Advertisment

ରାଜ୍ୟ ଫରେନସିକ୍ ବିଭାଗରେ କାର୍ଯ୍ୟରତ ଦେବାଶିଷ ସୋମଙ୍କ କୋଲକାତାର ବେଲେଘାଟା ଅଞ୍ଚଳରେ ଥିବା ଘରେ ମଧ୍ୟ ଆଜି ସିବିଆଇ ଚଢ଼ଉ କରିଥିଲା।  ସିବିଆଇର ଅନ୍ୟ ଏକ ଟିମ୍ ହାଓଡ଼ା ଜିଲ୍ଲାର ହାଟଗାଛା ଅଞ୍ଚଳରେ ଥିବା ହସ୍ପିଟାଲର ପୂର୍ବତନ ଅଧୀକ୍ଷକ ସଞ୍ଜୟ ବଶିଷ୍ଠ ଏବଂ ଚିକିତ୍ସା ସାମଗ୍ରୀ ଯୋଗାଣକାରୀ ବିପାଲ ସିଂହଙ୍କ ଘରେ  ମଧ୍ୟ ଚଢ଼ଉ କରିଛି। କୋଲକାତା ହସ୍ପିଟାଲର ପୂର୍ବତନ  ଅଧ୍ୟକ୍ଷଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିବା ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ଅଖତର ଅଲ୍ଲୀଙ୍କ ବୟାନ ମଧ୍ୟ ସିବିଆଇ ରେକର୍ଡ କରିପାରେ  ବୋଲି ଜଣାପଡ଼ିଛି ।   ଅଲ୍ଲୀ କୋଲକାତା ହାଇକୋର୍ଟରେ ଏହି ପ୍ରସଙ୍ଗ ଉଠାଇବା ପରେ କୋଲକାତା ପୋଲିସର ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ ତାଙ୍କ ବୟାନ ରେକର୍ଡ କରିଥିଲେ। ଅଖତର ଅଲ୍ଲୀ ଆର୍‌ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୧୬ ବର୍ଷ ଧରି କାର୍ଯ୍ୟ କରିଥିଲେ।   ସନ୍ଦୀପ ଘୋଷ ଦାୟିତ୍ବ ନେବା ପୂର୍ବରୁ  ଏହି ମେଡିକାଲ କଲେଜ ପୂର୍ବ ଭାରତରେ ଏକ ନମ୍ବର ସ୍ଥାନରେ ରହିଥିଲା। ଏହି ୧୦୦ ବର୍ଷର ପୁରୁଣା କଲେଜ ଏବେ ବ୍ୟାପକ ଦୁର୍ନୀତିରେ ବୁଡ଼ି ରହିଛି ବୋଲି ଅଲ୍ଲୀ କହିଛନ୍ତି।