ରାଉରକେଲା: ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଠିକାସଂସ୍ଥାର ମନମର୍ଜି କାମରୁ ସରୁନି ସ୍ମାର୍ଟସିଟି ପ୍ରକଳ୍ପ। ଗୋଟିଏ କି ଦୁଇଟି ନୁହେଁ ଏକାଧିକ ପ୍ରକଳ୍ପର ସମାନସ୍ଥିତି। କୁହାଗଲା ୨୦୨୨ ସୁଦ୍ଧା ସମସ୍ତ ପ୍ରକଳ୍ପ ସରିବ। ଇତି ମଧ୍ୟରେ ଦୁଇ ବର୍ଷ ବିତିଗଲାଣି, କାମଗୁଡ଼ିକ ସେମିତି କଚ୍ଛପ ଗତିରେ ଚାଲୁଛି। ଛେଣ୍ଡକଲୋନି ରିମ୍‌ସ କଲେଜ ପାର୍ଶ୍ବସ୍ଥ ୭.୪୯ ଏକର ପରିମିତି ଜାଗାରେ ନିର୍ମାଣାଧୀନ ସାଇନ୍ସ ପାର୍କ ଓ ପ୍ଲାନେଟୋରିୟମ୍‌ ବର୍ଷ ବର୍ଷ ଧରି ଚାଲିଛି। କେବେ ସରିବ, କାହାରି ପାଖରେ ଉତ୍ତର ନାହିଁ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ରେ ଶିଳାନ୍ୟାସ କରିଥିଲେ। ଶିଳାନ୍ୟାସର ୨ ବର୍ଷ ପରେ ଅର୍ଥାତ୍‌ ୨୦ ଏପ୍ରିଲ ୨୦୨୧ରେ କାମ ଆରମ୍ଭ ହେଲା। ତତ୍କାଳୀନ ବିଜ୍ଞାନ ଓ କାରିଗରୀକୌଶଳ ମନ୍ତ୍ରୀ ଅଶୋକ ପଣ୍ଡା ୨୮ ଜୁଲାଇ ୨୦୨୨ ସୁଦ୍ଧା ସରିବ ବୋଲି କହିଥିଲେ। ସ୍ମାର୍ଟସିଟି ଓ ରାଜ୍ୟପାଣ୍ଠିରୁ ଖର୍ଚ୍ଚ ହେଉଛି ୨୦ କୋଟିରୁ ଅଧିକ। ଏବେ ବି ୩୦%ରୁ ଅଧିକ କାମ ବାକି ରହିଛି। ହେଲେ ଠିକାସଂସ୍ଥା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। ଯେଉଁସଂସ୍ଥା ସାଇନ୍ସ ପାର୍କ କାମ କରୁଛି, ସେହି ଠିକାସଂସ୍ଥାକୁ ରାସ୍ତାର ସୌନ୍ଦର୍ଯ୍ୟକରଣ ପାଇଁ କୋଟି କୋଟି ଟଙ୍କାର ପାମ୍‌ ଟ୍ରି ଲଗାଇଥିଲା। ଏବେ ସହରରେ କୌଣସି ସ୍ଥାନରେ ଗୋଟିଏ ବି ପାମ୍‌ ଟ୍ରି ଦେଖିବାକୁ ମିଳୁନି। ପାନପୋଷ ସରକାରୀ କଲେଜ ପରିସରରେ ୧୧୬.୭୬ କୋଟି ଟଙ୍କା ବ୍ୟୟରେ  ପ୍ରଶାସନିକ ବିଲ୍‌ଡିଂ, ଟ୍ରାଇବାଲ୍‌ ମ୍ୟୁଜିମ୍‌, କମାଣ୍ଡ ସେଣ୍ଟର ଓ ସମ୍ମିଳନୀ କକ୍ଷ କାମ ଚାଲିଛି।

Advertisment

ଠିକାସଂସ୍ଥାର ନିମ୍ନମାନର କାମ ଯୋଗୁ ନିକଟରେ ପ୍ରଶାସନିକ ବିଲ୍‌ଡିଂର ଛାତ ଭୁଶୁଡ଼ି ପଡ଼ିଥିଲା। ବିଭାଗୀୟ ଅଧିକାରୀଙ୍କ ତାଗିଦ ପରେ ଠିକାସଂସ୍ଥା ପକ୍ଷରୁ କାମ ଚାଲିଛି ସତ, କିନ୍ତୁ ଯେମିତି ହେବା କଥା, ତା’ ହେଉ ନାହିଁ। ସହରରେ ଆଇନଶୃଙ୍ଖଳା ପରିସ୍ଥିତି ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ହକି ପୂର୍ବରୁ ୧୧୦ କୋଟି ଟଙ୍କା ବ୍ୟୟରେ ୬୭୫ ସିସି କ୍ୟାମେରା ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି। ବର୍ଷରୁ ଅଧିକ ସମୟ ହେଲୋଣି କାମ ସରିଲାଣି। ଆଜି ଯାଏ କାର୍ଯ୍ୟକ୍ଷମ ହେଉନି। କୁହାଯାଉଛି କମାଣ୍ଡ ସେଣ୍ଟର ନିର୍ମାଣ ସରିବା ପରେ ସିସି କ୍ୟାମେରା ଚାଲିବ। ବେଦବ୍ୟାସ ଟୁରିଜିମ୍‌ ହବ୍‌ ବାବଦରେ ୧୪ କୋଟି ୯୩ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଏବେ ସୁଦ୍ଧା କାମ ସରିନି। ଯେତିକି କାମ ହୋଇଛି, ତା’ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିପାରୁନି। ହକି ପୂର୍ବରୁ ଯେଉଁ କେତୋଟି ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇଛି, ଏଥିରୁ କିଛି ଲୋକଙ୍କ କାମରେ ଆସୁନି। ଅଧିକାଂଶ ପ୍ରକଳ୍ପରେ ଦୁର୍ନୀତିର ଗନ୍ଧ ବାରିଛନ୍ତି କଂଗ୍ରେସ ଓ ବିଜେପି। ପ୍ରତିବାଦରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ହେଲେ କୌଣସି ଗୋଟିଏ ହେଲେ ବି ପ୍ରକଳ୍ପର ତଦନ୍ତ ନ ହେବା, ସାଧାରଣ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ। ୨୪ଟି ପାର୍କିଂସ୍ଥଳର ବିକାଶ ପାଇଁ ୧୨ କୋଟି ୨୭ ଲକ୍ଷର ପ୍ରସ୍ତାବ ରହିଥିଲା। ଏଥିରୁ କିଛି ସ୍ଥାନରେ ପାର୍କିଂସ୍ଥଳ ନିର୍ମାଣ ହୋଇଛି। ଅଧିକାଂଶ ପାର୍କିଂସ୍ଥଳ କାମରେ ଆସୁନି। ଓରାମପଡା ବିଏସ୍‌ଏନ୍‌ଏଲ୍‌ ସମ୍ମୁଖ ପାର୍କିଂସ୍ଥଳ ଏବେ ଫୁଡ୍‌ କୋର୍ଟ ପାଲଟିଯାଇଛି। ଏମିତି ଚାଲିଥିବା ଅନେକ ପ୍ରକଳ୍ପରେ ସେହି ସମାନ ସମସ୍ୟା ଉପୁଜିଛି।