ନୂଆଦିଲ୍ଲୀ: ହରିୟାଣା ଓ ‌ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଆଜି କର୍ମଚାରୀମାନଙ୍କୁ ଖୁସି କରିବା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୟୁପିଏସ୍‌ (ୟୁନିଫାଏଡ୍‌ ପେନ୍‌ସନ୍‌ ସ୍କିମ୍‌)କୁ ମଞ୍ଜୁରି ମିଳିଛି। ୟୁପିଏସ୍‌ ଅଧୀନରେ କେନ୍ଦ୍ର ସରକାର ଏହାର କର୍ମଚାରୀମାନଙ୍କୁ ନିଶ୍ଚିତ ପେନସନ, ଫ୍ୟାମିଲି ପେନ୍‌ସନ୍ ଏବଂ ନିଶ୍ଚିତ ସର୍ବନିମ୍ନ ପେନସନ୍‌ ପ୍ରଦାନ କରିବେ। ୟୁପିଏସ୍‌କୁ ଚୟନ କରୁଥିବା କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କୁ ସେମାନଙ୍କ ବେତନର ୫୦ ପ୍ରତିଶତ ପେନ୍‌ସନ୍‌ ପ୍ରଦାନ ନେଇ ପ୍ରତିଶ୍ରୁତି କେନ୍ଦ୍ର ସରକାର ଦେଇଛନ୍ତି। ଏହାଦ୍ବାରା କେନ୍ଦ୍ର ସରକାରଙ୍କ ୨୩ ଲକ୍ଷ କର୍ମଚାରୀ ଉପକୃତ ହେବେ। ଆସନ୍ତାବର୍ଷ ଏପ୍ରିଲ ପହିଲାରୁ ଏହାକୁ ଲାଗୁ କରାଯିବ। ରାଜ୍ୟ ସରକାରଗୁଡ଼ିକୁ ମଧ୍ୟ ୟୁପିଏସ୍‌ ବିକଳ୍ପ ଚୟନ କରିବା ପାଇଁ ସୁଯୋଗ ଦିଆଯିବ। ଯଦି ରାଜ୍ୟ ସରକାର ୟୁପିଏସ୍‌ ବିକଳ୍ପକୁ ଚୟନ କରନ୍ତି ତାହେଲେ ହିତାଧିକାରୀଙ୍କ ସଂଖ୍ୟା ପ୍ରାୟ ୯୦ ଲକ୍ଷକୁ ବୃଦ୍ଧି ପାଇବ।

Advertisment

ସୂଚନା ଅନୁଯାୟୀ, ଏରିଅର୍‌ ବାବଦରେ ସରକାରଙ୍କୁ ୮୦୦ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ। ଏଥିସହିତ ପ୍ରଥମ ବର୍ଷରେ ବାର୍ଷିକ ଖର୍ଚ୍ଚ ପ୍ରାୟ ୬୨୫୦ କୋଟି ବୃଦ୍ଧି ପାଇବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।  ଏନ୍‌ପିଏସ୍‌ରେ ବର୍ତ୍ତମାନ ସଦସ୍ୟ ଥିବା କର୍ମଚାରୀମାନେ ମଧ୍ୟ ୟୁପିଏସ୍‌କୁ ଚୟନ କରିପାରିବେ। ଏନ୍‌ପିଏସ୍‌ ପରିବର୍ତ୍ତେ ୟୁପିଏସ୍‌କୁ ଚୟନ କରିଲେ  କେନ୍ଦ୍ର ସରକାରଙ୍କ ଅଧିକାଂଶ କର୍ମଚାରୀ ଉପକୃତ ହେବେ। 

୨୦୦୪ ଏପ୍ରିଲ ପହିଲା କିମ୍ବା ତା ପରଠାରୁ ଯେଉଁମାନେ ଚାକିରି କରିଛନ୍ତି ସେମାନଙ୍କ ପାଇଁ ଏନ୍‌ପିଏସ୍‌ ଲାଗୁ ହେଉଛି।
କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ସରକାରୀ କର୍ମଚାରୀମାନେ ନୂଆ ପେନ୍‌ସନ୍‌ ଯୋଜନା (ଏନ୍‌ପିଏସ୍‌)ରେ ପରିବର୍ତ୍ତନ ପାଇଁ ଦାବି କରିଥିଲେ। ଏଥିପାଇଁ ମୋଦୀ ସରକାର କ୍ୟାବିନେଟ୍ ସଚିବ ଟିଭି ସୋମନାଥଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ଏହି କମିଟି ବିଭିନ୍ନ ସଂଗଠନ ସମେତ ବିଭିନ୍ନ ରାଜ୍ୟ ସହିତ ପାଖାପାଖି ୧୦୦ଟି ବୈଠକ କରିଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କଠାରୁ ଆରମ୍ଭ କରି ବିଶ୍ବବ୍ୟାଙ୍କ ପର୍ଯ୍ୟନ୍ତ ବିଭିନ୍ନ ସଂସ୍ଥା ସହିତ ବ୍ୟାପକ ବିଚାରବିମର୍ଶ କରିବା ପରେ ୟୁପିଏସ୍‌ ପାଇଁ କମିଟି ସୁପାରିସ କରିଥିଲା। କେନ୍ଦ୍ର ସରକାର ଆଜି ଏହି ୟୁପିଏସ୍‌କୁ ମଞ୍ଜୁରି ଦେଇଛନ୍ତି। ଆସନ୍ତାବର୍ଷ ଏପ୍ରିଲ ପହିଲାରୁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏହାଦ୍ବାରା କେନ୍ଦ୍ର ସରକାରଙ୍କ ୨୩ ଲକ୍ଷ କର୍ମଚାରୀ ଉପକୃତ ହେବେ। କର୍ମଚାରୀମାନଙ୍କ ପାଇଁ ଏନପିଏସ (ନ୍ୟାସନାଲ ପେନ୍‌ସନ୍‌ ସିଷ୍ଟମ୍‌) ଓ ୟୁପିଏସ୍‌କୁ ଚୟନ କରିବା ଲାଗି ବିକଳ୍ପ ରହିବ।  ୟୁପିଏସ୍‌ ସଂପର୍କରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ସରକାରୀ କର୍ମଚାରୀମାନେ ଏକ ନିଶ୍ଚିତ ପରିମାଣର ପେନ୍‌ସନ୍‌ ପାଇଁ ଦାବି କରୁଥିଲେ। ଏହା ସେମାନଙ୍କର ଏକ ଯୁକ୍ତିଯୁକ୍ତ ଦାବି। ତେଣୁ ୫୦ ପ୍ରତିଶତ ନିଶ୍ଚିତ ପେନସନ୍ ହେଉଛି ୟୁପିଏସ୍‌ର ପ୍ରଥମ ସ୍ତମ୍ଭ। ଅବସର ପୂର୍ବରୁ କର୍ମଚାରୀମାନଙ୍କର ଶେଷ ୧୨ ମାସର ମୌଳିକ ବେତନର ହାରାହାରି ରାଶିର ଅଧା ପେନ୍‌ସନ୍‌ ବାବଦରେ ପ୍ରଦାନ କରାଯିବ। ଯଦି କୌଣସି କର୍ମଚାରୀ ୨୫ ବର୍ଷ କାର୍ଯ୍ୟ କରିଛନ୍ତି ‌ତାହେଲେ ସେ ଏହି ପେନ୍‌ସନ୍‌ ରାଶି ପାଇବେ। 

୨୦୨୫ ଏପ୍ରିଲ ପହିଲାରୁ ଲାଗୁ
ଉପକୃତ ହେବେ ୨୩ ଲକ୍ଷ କର୍ମଚାରୀ
ଏନ୍‌ପିଏସ୍‌ ଓ ୟୁପିଏସ୍‌ ମଧ୍ୟରୁ ଗୋଟିଏ ଚୟନ କରିପାରିବେ
ରାଜ୍ୟ ସରକାରମାେନ ଚାହିଁଲେ ସୁଯୋଗ ନେଇପାରିବେ

ଦ୍ବିତୀୟ ବିଷୟଟି ହେଉଛି ଫ୍ୟାମିଲି ପେନ୍‌ସନ୍‌। ୟୁପିଏସ୍‌ରେ ପେନ୍‌ସନ୍‌ଭୋଗୀଙ୍କ ମୃତ୍ୟୁ ହେଲେ ମଧ୍ୟ ତାଙ୍କ ପରିବାର ପେନ୍‌ସନ୍‌ ପାଇବେ। ‌ମୃତ୍ୟୁ ସମୟରେ ପେନ୍‌ସନ୍‌ଭୋଗୀ ଯେତିକି ପେନ୍‌ସନ୍‌ ପାଉଥିଲେ ତାହାର ୬୦ ପ୍ରତିଶତ ପେନ୍‌ସନ୍‌ ପରିବାରକୁ ଦିଆଯିବ। ଏଥିସହିତ ୟୁପିଏସ୍‌‌ରେ ସର୍ବନିମ୍ନ ପେନ୍‌ସନ୍‌ ବ୍ୟବସ୍ଥା ରହିଛି। ଏଥିରେ ଜଣେ କର୍ମଚାରୀ ୧୦ ବର୍ଷ ଚାକିରି କାର୍ଯ୍ୟକାଳ ଶେଷ କରିଥିଲେ ତାଙ୍କୁ ୧୦ ହଜାର ଟଙ୍କାର ସର୍ବନିମ୍ନ ପେନ୍‌ସନ୍‌ ଦିଆଯିବ। 

ଏଥିସହିତ ବର୍ତ୍ତମାନ କର୍ମଚାରୀମାନଙ୍କୁ ଯେଭଳି ମହଙ୍ଗାଭତ୍ତା ପ୍ରଦାନ କରାଯାଉଛି ତଦନୁରୂପ ମହଙ୍ଗାଭତ୍ତା ପେନସନ, ଫ୍ୟାମିଲି ପେନସନ ଏବଂ ସର୍ବନିମ୍ନ ପେନସନ ଉପରେ ପ୍ରଦାନ କରାଯିବ। ଉଲ୍ଲେଖଯୋଗ୍ୟ, ସର୍ବଭାରତୀୟ ସ୍ତରରେ ଶିଳ୍ପ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ଖାଉଟି ମୂଲ୍ୟସୂଚୀ ଆଧାରରେ ବର୍ଦ୍ଧିତ ମହଙ୍ଗାଭତ୍ତା କର୍ମଚାରୀମାନେ ପାଇଥାନ୍ତି। ବର୍ଷକୁ ଦୁଇ ଥର ମହଙ୍ଗାଭତ୍ତା ବୃଦ୍ଧି ହୋଇଥାଏ। ଏତଦ୍‌ବ୍ୟତୀତ ୟୁପିଏସ୍‌ରେ ଅବସର ସମୟରେ ଗ୍ରାଚୁଇଟି ସହିତ ଏକକାଳୀନ ରାଶି ମଧ୍ୟ ପ୍ରଦାନ କରାଯିବ।
ବର୍ତ୍ତମାନର ପେନ୍‌ସନ୍‌ ‌ଯୋଜନା ଅନୁଯାୟୀ, ଜଣେ କର୍ମଚାରୀ ତାଙ୍କ ଦରମାରୁ ୧୦ ପ୍ରତିଶତ ପ୍ରଦାନ କରୁଥିବା ବେଳେ କେନ୍ଦ୍ର ସରକାର ୧୪ ପ୍ରତିଶତ ଅର୍ଥ ପ୍ରଦାନ କରୁଛନ୍ତି। ୟୁପିଏସ୍‌ରେ ଏହି ରାଶି ୧୮ ପ୍ରତିଶତକୁ ବୃଦ୍ଧି ପାଇବ। ଉଲ୍ଲେଖଯୋଗ୍ୟ, ଦେଶରେ ଅଣବିଜେପି ରାଜ୍ୟଗୁଡ଼ିକ ପୁରୁଣା ପେନ୍‌ସନ୍‌ ଯୋଜନା (ଓପିଏସ୍‌)କୁ ଫେରିବା ପାଇଁ ଜିଦ୍‌ ଧରିଥିଲେ। ଏଥିସହିତ କର୍ମଚାରୀ ସଂଗଠନଗୁଡ଼ିକ ମଧ୍ୟ ଏଥିପାଇଁ ଦାବି କରିଥିଲେ। ଏହାପରେ କେନ୍ଦ୍ର ସରକାର କମିଟି ଗଠନ କରିଥିଲେ। ଓପିଏସ୍‌ରେ ଜଣେ ସରକାରୀ କର୍ମଚାରୀ ତାଙ୍କ ଶେଷ ବେତନର ୫୦ ପ୍ରତିଶତ ମାସିକ ପେନ୍‌ସନ୍‌ ଆକାରରେ ପାଉଥିଲେ। ମହଙ୍ଗା ଭତ୍ତା ବୃଦ୍ଧି ସହିତ ପେନ୍‌ସନ୍‌ ରାଶି ବୃଦ୍ଧି ପାଉଥିଲା।