ହୀରାକୁଦ ନଦୀବନ୍ଧ ‘ଅତିରିକ୍ତ ସ୍ପିଲୱେ’ର ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ ନଦୀବନ୍ଧ ସୁରକ୍ଷା ପ୍ୟାନେଲ

ସମ୍ବଲପୁର: ହୀରାକୁଦ ନଦୀବନ୍ଧ ‘ଅତିରିକ୍ତ ସ୍ପିଲୱେ’ର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି ହୀରାକୁଦ ନଦୀବନ୍ଧ ସୁରକ୍ଷା ପ୍ୟାନେଲ। ସିଡବ୍ଲ୍ୟୁସିର ପୂର୍ବତନ ଅଧ୍ୟକ୍ଷ ଏ.ବି ପାଣ୍ଡିଆଙ୍କ ନେତୃତ୍ୱରେ ଗଠିତ ଏହି କମିଟି ପ୍ରଥମେ ଆଜି ସକାଳୁ ‘ସ୍ପିଲୱେ’ର ନିର୍ମାଣସ୍ଥଳ ପରିଦର୍ଶନ କରିଛନ୍ତି। ଦିଲ୍ଲୀରୁ ଆସିଥିବା ଏହି ଟିମ୍‌ ଆସନ୍ତାକାଲି ମଧ୍ୟ ବନ୍ଧର ସୁରକ୍ଷା ସଂପର୍କିତ ଯାଞ୍ଚ କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ତେବେ ଅତିରିକ୍ତ ସ୍ପିଲୱେର ନିର୍ମାଣ କାର୍ଯ୍ୟ ସନ୍ତୋଷ ଜନକ। ଏବଂ ନଦୀବନ୍ଧର ପୁନଃରୁଦ୍ଧାର ପାଇଁ ବ୍ୟବହୃତ ଉପକରଣ ଅତ୍ୟାଧୁନିକ ହେବାର ଆବଶ୍ୟକତା ରହିଛି ବୋଲି ଟିମ୍‌ କହିଛି।

ବନ୍ଧ ସୁରକ୍ଷା ମୁଖ୍ୟ ଯନ୍ତ୍ରୀ ପିସି ସାହୁ, ବନ୍ଧ ସୁରକ୍ଷା ନିର୍ଦ୍ଦେଶକ ଅକ୍ଷୟ ଦାସ, ଜଳ ସଂପଦ ବିଭାଗର ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଏମ.କେ ମହାପାତ୍ର, ବନ୍ଧ ସୁରକ୍ଷାର ସହକାରୀ ଉପନିର୍ଦ୍ଦେଶକ ମମତା, ପଦ୍ମଜା, ଡିଏସଆରପି ସଦସ୍ୟ ସୁଧାକର ପତ୍ରୀ, ସିଡବ୍ଲ୍ୟୁସିର ର ପୂର୍ବତନ ସଦସ୍ୟ ଏସକେଜି ପଣ୍ଡିତ, ସିଡବ୍ଲୁସିର ପୂର୍ବତନ ମୁଖ୍ୟଯନ୍ତ୍ରୀ ଓ୍ଵାଇ.କେ ହାଣ୍ଡା ଏହି ଟିମ୍‌ରେ ରହିଥିଲେ। ସେହିପରି ତାଙ୍କ ସହିତ ହୀରାକୁଦ ଜଳଭଣ୍ଡାରର ମୁଖ୍ୟଯନ୍ତ୍ରୀ ସୁନୀଲ ନାଏକ, ଅଧୀକ୍ଷଣ ଯନ୍ତ୍ରୀ ଭକ୍ତରଂଜନ ମହାନ୍ତି, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ନିରାକାର ବିଶି, ସହକାରୀ କାର୍ଯ୍ୟନିର୍ବାହୀ ନରେଶ ବାରିକ ଓ ଅତିରିକ୍ତ ସ୍ପିଲୱେର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ହିଂମାଶୁ ମିଶ୍ର ତାଙ୍କ ସହିତ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ ୧୯୯୨-୯୩ ମସିହାରେ ପ୍ରଥମ ଥର ପାଇଁ ହୀରାକୁଦ ଜଳଭଣ୍ଡାରର ବାମ ଏବଂ ସ୍ପିଲୱେରେ ଫାଟ ଚିହ୍ନଟ ହୋଇଥିଲା। ଏହା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସର୍ଭେ ହୋଇ ୧୯୯୫ରେ ଏକ ଟେଣ୍ଡର ଆହ୍ଵାନ କରାଯାଇ ମରାମତି କାମ ଆରମ୍ଭ ହୋଇଥିଲା। ଏହି କାମ ଦୀର୍ଘ ୫ ବର୍ଷ ପରେ ୨୦୦୦ ମସିହାରେ ଶେଷ ହୋଇଥିଲା। ବର୍ତ୍ତମାନ ଏହି ଫାଟର ସ୍ଥିତି ସମୀକ୍ଷା କରୁଛନ୍ତି ମୁମ୍ବାଇରୁ ଆସିଥିବା ଏକ ଡାଇନୋସର କମ୍ପାନି । ଏହି କମ୍ପାନୀ ଜଳଭଣ୍ଡାରର ଭିତରକୁ ଯାଇ, ପୂର୍ବରୁ ମରାମତି ହୋଇଥିବା ସ୍ଥାନକୁ ସଫା କରୁଛି। ଏଥି ସହିତ ଫାଟର ସ୍ଥିତି ଓ ପୂନର୍ବାର ମରାମତିର ଆବଶ୍ୟକତା ସ୍ପଷ୍ଟ ହୋଇଯିବ।

ସମ୍ବନ୍ଧିତ ଖବର