କରୋନା ଦାଉରୁ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ଗାଇଡଲାଇନ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହା ଫଳରେ ଭାରତରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ସୀମିତ ରହିପାରିଛି । ତେବେ ଆଗକୁ ଯେପରି ସ୍ଥିତି ନିୟନ୍ତ୍ରଣରେ ରହିବ ସେଥିପାଇଁ କେନ୍ଦ୍ର ସରକାର କେତେକ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି ।

ବୟସ୍କ ଲୋକଙ୍କ ପ୍ରତି କରୋନା ଭାଇରସ ସଂକ୍ରମଣରୁ ସର୍ବାଧିକ ବିପଦର ଆଶଙ୍କା ରହିଛି ବୋଲି ଇତି ମଧ୍ୟରେ ପ୍ରମାଣିତ ହୋଇସାରିଛି । ଏଣୁ ଦେଶର ବୟସ୍କ ଲୋକମାନେ ଯେପରି କରୋନା ଦାଉରୁ ସୁରକ୍ଷିତ ରହିପାରିବେ ସେଥିପାଇଁ ସରକାର କେତେକ ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡଲାଇନ ଅନୁସାରେ ବିଭିନ୍ନ ବୃଦ୍ଧାଶ୍ରମରେ ରହୁଥବା ବୟସ୍କ ଲୋକମାନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯିବ । ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ବୟସ୍କ ଲୋକମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ତୁରନ୍ତ ନଜର ଦିଆଯିବ । ସେହିପରି ବୃଦ୍ଧାଶ୍ରମ ଅନ୍ତେବାସୀମାନଙ୍କର ନିୟମିତ ସ୍ୱାସ୍ଥ୍ୟପରୀକ୍ଷା, ତାପମାତ୍ରା ପରୀକ୍ଷା କରାଯିବ । ଜ୍ୱର, ଥଣ୍ଡା ଆଦି ଥିଲେ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଯିବ । ଆଶ୍ରମଗୁଡ଼ିକରେ ପରିଚ୍ଛନ୍ନତା ରକ୍ଷା ଉପରେ ଗୁରୁତ୍ୱ ଦିଆଯିବ । ଏହି ଗାଇଡଲାଇନ ପାଳନ ଯେପରି ହୋଇପାରିବ ସେଥପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ପକ୍ଷରୁ ୧୭ଟି ଏନଜିଓ, ଆଞ୍ଚଳିକ ସମ୍ବଳ ତାଲିମ କେନ୍ଦ୍ର , ବୃଦ୍ଧାଶ୍ରମଗୁଡ଼ିକୁ କୁହାଯାଇଛି ।

ସମ୍ବନ୍ଧିତ ଖବର