ମାଲକାନଗିରି: ମାଲକାନଗିରି ଜିଲ୍ଲାର ଗୁରୁତ୍ବପୂର୍ଣ୍ଣ ସେତୁ ମଧ୍ୟରୁ ପୋଲେରୁ ବ୍ରିଜ ଅନ୍ୟତମ। ତେବେ ଏହି ବ୍ରିଜର କାମ ଚାଲିଛି ଯେ ଚାଲିଛି, ସରିବାର ନାମ ନନେଉଥିବା ବେଳେ ଏବେ ବିପଦସଂକୁଳ ଅବସ୍ଥାରେ ଅଧପନ୍ତରିଆ ହୋଇ ପଡି ରହିଛି ସେତୁର ଛାତର ସେଣ୍ଟ୍ରିଂ। ସିଲେରୁ ନଦୀ ଉପରେ ପୋଲେରୁ ବ୍ରିଜ ନିର୍ମାଣ ହେଉଥିବା ବେଳେ ଏହାର ଅଟକଳ ୧୦ କୋଟି ୭୧ ଲକ୍ଷ ଟଂକା ରହିଛି। ବର୍ଷା ପୂର୍ବରୁ ତରବରିଆ ଭାବେ ମାଟି ପକାଇ ସେଣ୍ଟ୍ରିଂ କରିଥିବା ବେଳେ ବର୍ଷାରେ ଧୋଇ ନେଇଛି ଅଧା ସେଣ୍ଟ୍ରିଂ ସାମଗ୍ରୀ। ଆଉ ବିପଦସଂକୁଳ ଅବସ୍ଥାରେ ରହିଛି ଏହି ପୋଲର ସେଣ୍ଟ୍ରିଂ। ଏହି ଛାତକୁ ସୁରକ୍ଷା ଦୃଷ୍ଟିରୁ ନା କୌଣସି ବେରିକେଟ କରାଯାଇଛି ନା ଫଳକ ଲଗାଯାଇଛି।
ଖୋଲାମେଲା ଅବସ୍ଥାରେ ପଡି ରହିଛି ମାସ ମାସ ଧରି ସେଣ୍ଟ୍ରିଂ। ଏହି ସେତୁଟି ଓଡିଶା ଓ ଆନ୍ଧ୍ରକୁ ସଂଯୋଗ କରୁଥିବାରୁ ପ୍ରତ୍ୟେକ ଦିନ ନଦୀ କୂଳ ଦେଇ ଶହ ଶହ ଲୋକ ଡଂଗାରେ ପାରି ହୋଇଥାନ୍ତି। ଯଦି କୌଣସି ସମୟରେ ସେଣ୍ଟ୍ରିଂ ଭୁଷୁଡି ପଡେ ତେବେ କିଛି ବି ଅଘଟଣ ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ଯାହାର ଜ୍ବଳନ୍ତ ଉଦାହରଣ ରାୟଗଡାର କଲ୍ୟାଣସିଂହପୁର ବ୍ଲକର ସିକରପାଇ ପୋଲ। ସିକରପାଇ ପୋଲ ଏହି ଭଳି ସେଣ୍ଟ୍ରିଂ ହୋଇ ଦୀର୍ଘ ଦିନ ରହିବା ପରେ ଗ୍ରାମବାସୀ ଗାଧୋଉଥିବା ବେଳେ ଭୁଷୁଡି ପଡିଥିଲା ସେଣ୍ଟ୍ରିଂ। ଚାଲିଯାଇଥିବା ଜଣେ ବ୍ୟକ୍ତି ସହ ୩ ଜଣଙ୍କର ଶିଶୁଙ୍କ ଜୀବନ। ଏହି ସେତୁଟି ୨୦୨୦ରେ ଆରମ୍ଭ ହୋଇଥିବା ବେଳେ ହୋଇଥିବା ବେଳେ ସେତୁ ସରିବାର ଧାର୍ଯ୍ୟ ଅବଧି ରହିଥିଲା ମାର୍ଚ୍ଚ ୨୦୨୨।ଅବଧି ସରି ଅଢେଇ ବର୍ଷ ହେଲାଣି। ଏ ପର୍ଯ୍ୟନ୍ତ ଗୋଟିଏ ବି ଛାତ ପଡି ପାରିନଥିବା ବେଳେ ଆଗାମୀ ମାର୍ଚ୍ଚ ମାସରେ ହେବାକୁ ଥିବା ବଡଯାତ୍ରାରେ ଏହି ଜଳପଥ ଦେଇ ବଡ ଠାକୁର ଆନ୍ଧ୍ରରୁ ଆସୁଥିବାବେଳେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବିପଦ ସଂକୂଳ ଅବସ୍ଥାରେ ନଦୀ ପାର ହୋଇ ଦର୍ଶନ ପାଇଁ ଯାଇଥାନ୍ତି।
ଏହି ପୋଲ କେବେ ସରିବ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଥିବା ବେଳେ କାର୍ଯ୍ୟର ମନ୍ଥର ଗତି ଶ୍ରଦ୍ଧାଳୁଙ୍କୁ ନିରାଶ କରୁଛି। ଏହା ସହ ଏହି କାର୍ଯ୍ୟ ନିମ୍ନମାନର ବୋଲି ମଧ୍ୟ ଅଭିଯୋଗ ହୋଇଛି। ସେଣ୍ଟ୍ରିଂ ପାଇଁ ମାଟି ପଡିଥିବା ବେଳେ ବିପଦ ଏଡାଇବା ପାଇଁ ପେଡେଷ୍ଟାଲ ତଳେ ବୋଲା ପାଇଲିଂର ନିୟମ ଥିବା ବେଳେ ଧୋଇ ଯାଇଥିବା ମାଟି ତଳେ କୌଣସି ବୋଲା ଦେଖିବାକୁ ମିଳୁ ନାହିଁ। ତେବେ ଏଠି ପ୍ରଶ୍ନ ଉଠୁଛି ବର୍ଷା ଋତୁ ଆସୁଥିବା ବେଳେ ଚିରସ୍ରୋତା ନଦୀରେ ବିନା ବୋଲା ପାଇଲିଂ ରେ ଛାତ ପକାଇବା ପାଇଁ ଅନୁମତି ଦେଇଥିଲେ କି କର୍ତ୍ତୃପକ୍ଷ।
ଯଦି ଅନୁମତି ଦେଇନଥିଲେ ତେବେ ଛାତ ସେଣ୍ଟ୍ରିଂ ସମୟରେ ସେମାନେ କ୍ଷେତ୍ର ପରିଦର୍ଶନ କରିନାହାନ୍ତି କି ବୋଲି ପ୍ରଶ୍ନ ଉଠିଛି। ମାସ ମାସ ଧରି ଏଭଳି ବିପଦ ସଂକୂଳ ଅବସ୍ଥାରେ ଛାତର ସେଣ୍ଟ୍ରିଂ ଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ଜାଣିଛନ୍ତି କି ନାହିଁ। ଯଦି ଜାଣିଛନ୍ତି ଠିକାଦାରଙ୍କୁ କାହିଁକି କରାଯାଇ ନାହିଁ ତାଗିଦ।ଯାହାକି ଅନେକ ସଂଦେହ ସୃଷ୍ଟି କରୁଛି। ଏନେଇ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ନିହାର ରଂଜନ ବେହେରାଙ୍କୁ ପଚାରିବାରୁ ସେ ଆସନ୍ତା ୨୦୨୫ ସୁଦ୍ଧା କାମ ସରିବ ବୋଲି ଯୁକ୍ତି ବାଢିବା ସହ ସେଣ୍ଟ୍ରିଂ ପାଇଁ କୌଣସି ବିପଦ ନଥିବା କହିଥିଲେ। ତେବେ ୨୦୨୦ରେ କାମ ଆରମ୍ଭ ହୋଇଥିଲେ ମଧ୍ୟ ଟଂକା ୨୦୨୨ରେ ଆସିଲା। ସେଣ୍ଟ୍ରିଂକୁ ପୁଣି ତିଆରି କରାଯାଇ ଛାତ ପକାଯିବ ବୋଲି କହିଥିଲେ। ବର୍ଷାରେ ଯଦି ସେଣ୍ଟ୍ରିଂ ଭାଙ୍ଗି ଯାଉଛି ତେବେ ଛାତ ପଡିଥିଲେ ଅବସ୍ଥା କଣ ହୋଇଥାନ୍ତା। ଏଠାରେ କେତେ ନିମ୍ନମାନର କାମ ହେଉଛି ତାହା ସହଜରେ ଅନୁମେୟ। ଏହି କାର୍ଯ୍ୟରେ ଠିକାଦାର ଏବଂ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକା ଜଳ ଜଳ ଦେଖାଯାଉଛି।