ଗୌରବମୟ ଐତିହ୍ୟର ମୁକସାକ୍ଷୀ ଆଜି ଅସହାୟ
ପ୍ରଶାସନିକ ଅବହେଳାର ମୁକ ସ୍ୱାକ୍ଷର ଖିଚିଂ ଓ ବାରିପଦା ସଂଗ୍ରହାଳୟ
ଲିଭିଯାଉଛି ପ୍ରାଗ୍ଐତିହାସିକ ଯୁଗର ଅସ୍ତ୍ରଶସ୍ତ୍ରର ଧାର
ବାରିପଦା : ଗୌରବମୟ ଐତିହ୍ୟ, ଜାଜ୍ଜୁଲ୍ୟମାନ ସାଂସ୍କୃତିକ ମୂଲ୍ୟବୋଧ ଓ ପୁରାତନ ଯୁଗର ଅତ୍ୟାଧୁନିକ ସଭ୍ୟତାର ଗାଥା ବର୍ଣ୍ଣନା କରୁଥିଲା ଖିଚିଂ ଓ ବାରିପଦା ସଂଗ୍ରହାଳୟ। ରାଜ୍ୟର ପ୍ରଥମ ଓ ଦ୍ୱିତୀୟ ସଂଗ୍ରହାଳୟ କୁହାଯାଉଥିବା ଇତିହାସର ଏହି ଦୁଇ ଉଜ୍ଜ୍ବଳ ନିଦର୍ଶନ ଆଉ ଅଳ୍ପ କିଛି ଦିନ ମଧ୍ୟରେ କେବଳ ଇତିହାସ ପୃଷ୍ଠାରେ ହିଁ ଆବଦ୍ଧ ହୋଇଯିବ। ଅତ୍ୟାଧୁନିକ ସଭ୍ୟତାର ମୋବାଇଲ୍ ଗେମ୍ର ବନ୍ଧୁକ ସାମ୍ନାରେ ଯେପରି ପ୍ରାଗ୍ଐତିହାସିକ ଯୁଗର ପ୍ରସ୍ତର ଅସ୍ତ୍ରଶସ୍ତ୍ର ହାର୍ ମାନିଛି। ଉପରୋକ୍ତ ଦୁଇ ସଂଗ୍ରହାଳୟର ଶୋଭବର୍ଦ୍ଧନ କରୁଥିବା ଅନେକ ଦୁର୍ଲଭ ଦେବଦେବୀଙ୍କ ମୂର୍ତ୍ତି, କୁଶାଣ, କୁଳିଅଣା ଅଞ୍ଚଳରୁ ମିଳିଥିବା ପୁରାତନ ପ୍ରସ୍ତର ଯୁଗରେ ବ୍ୟବହୃତ ପଥର ନିର୍ମିତ ଅସ୍ତ୍ର, ପୁରାତନ ଯୁଗର ମୁଦ୍ରା, ତାମ୍ର ଲେଖ, ମୃଣ୍ମୟପାତ୍ର, ମଧ୍ୟଯୁଗୀୟ ଉପକରଣ, ପ୍ରାଗ୍ଐତିହାସିକ ଯୁଗର ଅସ୍ତ୍ରଶସ୍ତ୍ର ଓ ଉପକରଣ, ମୋହର(ସିଲ) ଆଦି ସମ୍ପର୍କରେ ଅଧୁନା ଯୁଗର ଛାତ୍ରଛାତ୍ରୀ ଅଧ୍ୟୟନ କରିବାର ଅବସର ନଥିବା ପରି ମନେହେଉଛି। ପ୍ରଶାସନିକ ସ୍ତରରେ ମଧ୍ୟ ଏହି ଦୁଇ ସଂଗ୍ରହାଳୟକୁ ନେଇ ସେପରି କୌଣସି ଆଗ୍ରହ ନାହିଁ। କହିବାକୁ ଗଲେ ଖିଚିଂ ଓ ବାରିପଦା ସଂଗ୍ରହାଳୟ ପ୍ରଶାସନିକ ଅବହେଳାର ମୁକ ସ୍ୱାକ୍ଷର ପାଲଟିଛନ୍ତି।
ଓଡ଼ିଶା ଇତିହାସରେ ଭଞ୍ଜବଂଶ ଦୁଇ ଶାଖାରେ ବିଭକ୍ତ ହୋଇ ଉତ୍ତର ଓ ମଧ୍ୟ ଓଡ଼ିଶାରେ ନବମ-ଦଶମ ଶତାଦ୍ଦୀ ସମୟରେ ରାଜତ୍ୱ କରୁଥିବା ଜଣାପଡ଼େ । ଉତ୍ତର ଓଡ଼ିଶାର ଖଇରଭଣ୍ଡନ ଓ ବୈତରଣୀ ଉପତ୍ୟକାରେ ସ୍ଥାପିତ ହୋଇଥିବା ଖିଜିଙ୍ଗ ମଣ୍ଡଳର ରାଜଧାନୀ ଥିଲା ଖିଜିଙ୍ଗକୋଟ୍ଟ। ଯାହା ପରବର୍ତ୍ତୀ ସମୟରେ ଆଧୁନିକ ଖିଚିଂ ଭାବେ ପରିଚିତ। ଏହା ଆର୍ଯ୍ୟ ସଂସ୍କୃତିର ଅନ୍ୟତମ ପ୍ରାଣକେନ୍ଦ୍ର ଭାବେ ଖ୍ୟାତି ଲାଭ କରିଥିଲା । ଖିଚିଂ ଓ ତାର ଆଖପାଖ ଅଂଚଳରେ ଭୂଖୋଦନରୁ ମିଳିଥିବା ପ୍ରତ୍ନତାତ୍ତ୍ୱିକ ପ୍ରମାଣ ଦ୍ୱାରା ଖିଚିଂର ସାଂସ୍କୃତିକ ମହତ୍ୱକୁ ପ୍ରତିପାଦିତ କରିଛି। ଏହି ପ୍ରାଚୀନ କୀର୍ତ୍ତି ରାଜିକୁ ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ସଂରକ୍ଷିତ କରିବା ନିମନ୍ତେ ଖ୍ରୀ.୧୯୨୨ରେ ଖିଚିଂଠାରେ ଏକ ଆଧୁନିକ ସଂଗ୍ରହାଳୟ ନିର୍ମାଣ କରିଥିଲେ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବାର ଯଥେଷ୍ଟ ପୂର୍ବରୁ ନିର୍ମିତ ଏହି ଆଧୁନିକ ସଂଗ୍ରହାଳୟରେ ମୟୂରଭଞ୍ଜର ପ୍ରାଚୀନ ଓ ମଧ୍ୟଯୁଗୀୟ ଉଲ୍ଲେଖନୀୟ ସାଂସ୍କୃତିକ କୃତିମାନ ତଥା ଅନେକ ପ୍ରାଚୀନ କିର୍ତ୍ତୀରାଜିକୁ ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ବେଶ୍ ଯତ୍ନରେ ସାଇତି ରଖିବାର ସୁବନ୍ଦୋବସ୍ତ କରିଥିଲେ। ଏହା ସହିତ ଜଣେ ଅଭିଜ୍ଞ ଓ ଦକ୍ଷ କର୍ମଚାରୀଙ୍କ ହାତରେ ଏହି ସଂଗ୍ରହାଳୟର ଦାୟିତ୍ବ ନ୍ୟସ୍ତ କରିଥିଲେ । ଯାହା ପରବର୍ତ୍ତି ସମୟରେ ମୟୂରଭଞ୍ଜ ତଥା ଓଡ଼ିଶା ସଂସ୍କୃତିର ଏକ ପ୍ରାଣକେନ୍ଦ୍ର ପାଲଟି ଯାଇଥିଲା । ଖିଚିଂ ମନ୍ଦିର ପରିସରରେ ଥିବା ଏହି ସଂଗ୍ରହାଳୟ ଏକଦା ପର୍ଯ୍ୟଟକ ଏବଂ ଇତିହାସ ଅନିସନ୍ଧିତ୍ସୁଙ୍କ ପାଇଁ ପାଲଟିଥିଲା ଆକର୍ଷଣର କେନ୍ଦ୍ର।
ମାତ୍ର ୧୯୪୯ ମସିହା ଜାନୁୟାରୀ ୧ ତାରିଖରେ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟ ଓଡ଼ିଶା ପ୍ରଦେଶ ସହିତ ମିଶ୍ରଣ ଓ ୨ ତାରିଖରେ ସ୍ୱତନ୍ତ୍ର ଜିଲ୍ଲା ଭାବେ ଶାସିତ ହେଲା । ମାତ୍ର ଜିଲ୍ଲା ସଦର ମହକୁମା ବାରିପଦାଠାରୁ ପ୍ରାୟ ୧୨୫ କିମି ଦୂରରେ ଅବସ୍ଥିତ ଖିଚିଂ ସଂଗ୍ରହାଳୟ ଜିଲା ସଂସ୍କୃତି ବିଭାଗ ଅଧିନରେ ରହିଛି। ମାତ୍ର ରାଜ୍ୟର ଏହି ସର୍ବପ୍ରାଚୀନ ସଂଗ୍ରହାଳୟ ଏବେ ବନ୍ଦପ୍ରାୟ। ପରିଚାଳନାଗତ ଅବ୍ୟବସ୍ଥା କାରଣରୁ ଢେରବର୍ଷ ପାଇଁ କେନ୍ଦୁଝର ଜିଲ୍ଲାପ୍ରଶାସନ ଅଧିନକୁ ଚାଲିଯାଇଥିବା ଏହି ସଂଗ୍ରହାଳୟ ୨୦୧୭ରେ ପୁନର୍ବାର ମୟୂରଭଞ୍ଜ ଜିଲ୍ଲାପ୍ରଶାସନ ଅଧିନକୁ ଆସିଥିଲା। ମାତ୍ର ଦଶନ୍ଧି ଧରି ବନ୍ଦଥିବା ଏହି ସଂଗ୍ରହାଳୟରେ ଥିବା ଦୁର୍ଲଭ ଐତିହାସିକ କିର୍ତ୍ତୀରାଜି ଆଜି ଧ୍ୱଂସାଭିମୁଖୀ।
ସେହିପରି ୧୯୦୩ରେ ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ନିଜ ଗଡ଼ ବାରିପଦାରେ ପ୍ରତିଷ୍ଠା କରିଥିଲେ ଆଉ ଏକ ସଂଗ୍ରହାଳୟ । ପ୍ରଥମେ ଏହା ସହରର ଜୁବୁଲୀ ଲାଇବ୍ରେରୀରେ ଆରମ୍ଭ ହୋଇଥିଲା । ପରବର୍ତ୍ତି ସମୟରେ ଏହା ଜିଲ୍ଲା ସଂସ୍କୃତି ଭବନକୁ ସ୍ଥାନାନ୍ତରିତ ହେଲା । ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ମାତ୍ର ଅଳ୍ପ କେଇ ମିଟର ବ୍ୟବଧାନରେ ଥିବା ଏହି ସଂଗ୍ରହାଳୟରେ ୨୦୧୨ରୁ କୌଣସି କର୍ମଚାରୀ ନିଯୁକ୍ତି ଦିଆଯାଇନାହିଁ। ପରିଚାଳନାଗତ ଅବ୍ୟବସ୍ଥା କାରଣରୁ ଏଠାରେ ମଧ୍ୟ ତାଲା ଝୁଲୁଛି। ଯାହାଫଳରେ ମୟୂରଭଞ୍ଜ ମହାରାଜାଙ୍କର ସଂଗ୍ରହାଳୟ ନିର୍ମାଣର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଏକପ୍ରକାର ଫେଲ୍ ମାରିଛି। ରାଜ୍ୟ ସଂସ୍କୃତି ବିଭାଗ ମଧ୍ୟ ଏନେଇ ଆଖିବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି। ପୁରାତନ ଇତିହାସ ସହିତ ଆଧୁନିକତାକୁ ଯୋଡ଼ିବାରେ ଏହି ଦୁଇ ସଂଗ୍ରହାଳୟ ସେତୁ ଭଳି କାର୍ଯ୍ୟ କରିପାରେ। ଐତିହାସିକ ତଥ୍ୟାବଳୀର ଗନ୍ତାଘର ଏବଂ ମୂକସାକ୍ଷୀ ତଥା ଅତୀତର ପୃଷ୍ଠଭୂମି, କିମ୍ବଦନ୍ତି ଆଦିକୁ ଉନ୍ମୋଚନ କରାଇବା କ୍ଷେତ୍ରରେ ସଂଗ୍ରହାଳୟର ମୁଖ୍ୟ ଭୂମିକା ରହିଛି । ଏହାକୁ ଅଧ୍ୟୟନ ଓ ଅନୁଶୀଳନ କରି ଅଗଣିତ ଛାତ୍ର, ଅଧ୍ୟାପକ, ଗବେଷକ ଉପକୃତ ହୋଇପାରନ୍ତେ । ଏହା ଉପରେ ଗବେଷଣା କରି ଅନେକ ଡକ୍ଟରେଟ୍ ଉପାଧି ମଧ୍ୟ ହାସଲ କରିପାରନ୍ତେ । ଗୋଟାଏ ଯୁଗ, ବଂଶ, ଜାତିର ଭାଷା, ସାହିତ୍ୟ, କଳା ଓ ସଂସ୍କୃତି, ଧର୍ମ, ଦେବଦେବୀ, ଐତିହ୍ୟ, ଚାଲିଚଳଣ, ସାମରିକ ଅସ୍ତ୍ରଶସ୍ତ୍ର , ମନୋରଞ୍ଜନ, ବସ୍ତ୍ର ଆଦି ବିଭିନ୍ନ ଦିଗକୁ ନେଇ ନିର୍ମିତ ଏହି ଦୁଇ ସଂଗ୍ରହାଳୟରେ ତାଲା ଝୁଲିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମୟୂରଭଞ୍ଜ ବାର ଆସୋସିଏସନର ପୂର୍ବତନ ସାଧାରଣ ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ବିଭୂ ପ୍ରସାଦ ଦାସ(ଇତିହାସ ଛାତ୍ର) କ୍ଷୋଭର ସହିତ କହିଛନ୍ତି। ତେବେ ଏହି ସଂଗ୍ରହାଳୟ ଦାୟିତ୍ବରେ ଥିବା ଜିଲା ସଂସ୍କୃତି ଅଧିକାରୀ ଛୁଟିରେ ଥିବାରୁ ତାଙ୍କ ପ୍ରତିକ୍ରିୟା ନେବା ସମ୍ଭବପର ହୋଇନଥିଲା।