ପୌର ନିିର୍ବାଚନ: ଯାଞ୍ଚ ପରେ ଅଧ୍ୟକ୍ଷ/ମେୟର ପଦ ପାଇଁ ୬୭୧ ପ୍ରାର୍ଥୀଙ୍କ ନାମାଙ୍କନ ବୈଧ୍ୟ

ଭୁବନେଶ୍ବର: ରାଜ୍ୟରେ ପୌର ନିର୍ବାଚନ ପାଇଁ ଦାଖଲ ହୋଇଥିବା ନାମାଙ୍କନ ପତ୍ର ଆଜି ଯାଞ୍ଚ ହୋଇଛି। ଅଧ୍ୟକ୍ଷ/ମେୟର ପଦ ପାଇଁ ହୋଇଥିବା  ନାମାଙ୍କନର ୨୨ ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଛି। ଫଳରେ ଏବେ ଏହି ପଦବି ପାଇଁ ୬୭୧ ଜଣ ପାର୍ଥୀ ପ୍ରତିଯୋଗିତା କରିବେ। ସେହିପରି କାଉନସିଲର/କର୍ପୋରେଟର ପଦ ପାଇଁ ୭୮ ଜଣଙ୍କର ପ୍ରାର୍ଥୀପତ୍ର ନାକଚ ହୋଇଛି। ଏହି ପଦବି ପାଇଁ ମୋଟ ୬୩୮୧ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ସୁରକ୍ଷିତ ରହିଛି। ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଆସନ୍ତା ୨୪ ତାରିଖରେ ହେବ ପୌର ନିର୍ବାଚନ ହେବ। ଏନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ଗତମାସ ୨୫ ତାରିଖରେ ଘୋଷଣା କରାଯାଇଛି।  ମାର୍ଚ୍ଚ ୨ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ମନୋନୟନ ପତ୍ର ଦାଖଲ କରିଥିଲେ। ଆଜି (ମାର୍ଚ୍ଚ ୯ ତାରିଖ) ନାମାଙ୍କନପତ୍ର ଯାଞ୍ଚ ହୋଇଥିଲା। ମାର୍ଚ୍ଚ ୧୪ ସୁଦ୍ଧା ପ୍ରତ୍ୟାହାର କରାଯାଇପାରିବ ବୋଲି ସୂଚନା ଦେଇଛନ୍ତିି ରାଜ୍ୟ ନିର୍ବାଚନ କମିସନ। ତେବେ ପୁରୀରେ ପୌର ନିର୍ବାଚନ ହେବ ନାହିଁ।  ଏଣେ ଏପ୍ରିଲ ୭ରେ ପୌର ଉପାଧ୍ୟକ୍ଷ ଓ ୮ରେ ଡେପୁଟି ମେୟର ନିର୍ବାଚନ ହେବ।

ଏଥର ପୋୖର ନିର୍ବାଚନରେ ମେୟର ଓ ଅଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେବ। ସେଥିପାଇଁ ପ୍ରତ୍ୟେକ ବୁଥରେ ଦୁଇଟି ଇଭିଏମ ମେସିନ ରହିବ। ଗୋଟିଏ ଇଭିଏମ ମେୟର ଓ ଅଧ୍ୟକ୍ଷ ପଦବି ପାଇଁ ଆଉ ଗୋଟିଏ ଇଭିଏମ କାଉନସିଲର ଓ କର୍ପୋରେଟର ପଦବି ପାଇଁ ରହିବ। ଏଥର ନୋଟା ମଧ୍ୟ ରହିବ। ସମୁଦାୟ ୪୧ ଲକ୍ଷ ଭୋଟର ମତଦାନ ସାବ୍ୟସ୍ତ କରିବେ। ୧୦୬ଟି ପୋୖର ପରିଷଦରେ ୧୭୩୧ଟି ୱାର୍ଡର ୩୦୩୦ଟି ବୁଥ ରହିଛି ଏବଂ ୨୭ ଲକ୍ଷରୁ ଅଧିକ ଭୋଟର ରହିଛନ୍ତି। ସେହିପରି ୩ଟି ପୋୖର ନିଗମରେ ୧୬୮ଟି ୱାର୍ଡରେ ୧୪୦୭ଟି ବୁଥରେ ୧୪ ଲକ୍ଷ ୨୬ ହଜାରରୁ ଅଧିକ ଭୋଟର ଅଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଥିଲା ଯେ, ରାଜ୍ୟର ୧୦୬ଟି ପୌରସଂସ୍ଥା ଓ ୩ଟି ମହାନଗର ନିଗମର ମୋଟ ୪୫୮୪ଟି ବୁଥ୍ରେ ଇଭିଏମ୍ ମାଧ୍ୟମରେ ଭୋଟ ଗ୍ରହଣ କରାଯିବ। ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ପୌରସଂସ୍ଥା ନିର୍ବାଚନରେ ନୋଟା ବ୍ୟବହାର ହେବ। ବାଲାଟ୍ ପେପରର ସବାଶେଷରେ ନୋଟା ବଟନ୍ ରହିବ। ନିର୍ବାଚନ ମଇଦାନରେ ଭୋଟରଙ୍କ ମନପସନ୍ଦର ପ୍ରାର୍ଥୀ ନଥିଲେ ଭୋଟରମାନେ ନୋଟା ବ୍ୟବହାର କରିପାରିବେ।
ପୌର ନିର୍ବାଚନ ପାଇଁ ପ୍ରତ୍ୟେକ ବୁଥ୍ରେ ଦୁଇଟି ଲେଖାଏଁ ଇଭିଏମ୍ ରହିବ। ସେଥିରୁ ଗୋଟିଏ କର୍ପୋରେଟର/କାଉନସିଲର ନିର୍ବାଚନ ପାଇଁ ଏବଂ ଅନ୍ୟଟି ଅଧ୍ୟକ୍ଷ/ମେୟର ନିର୍ବାଚନ ପାଇଁ ବ୍ୟବହୃତ ହେବ। କର୍ପୋରେଟର/କାଉନସିଲର ପ୍ରାର୍ଥୀଙ୍କ ପାଇଁ ଗୋଲାପି ରଙ୍ଗର ବାଲଟ୍ ପେପର ଓ ଅଧ୍ୟକ୍ଷ/ମେୟର ପ୍ରାର୍ଥୀଙ୍କ ପାଇଁ ହଳଦିଆ ରଙ୍ଗର ବାଲଟ୍ ପେପର ବ୍ୟବହାର ହେବ। ଏତଦ୍ବ୍ୟତୀତ ଭୋଟରଙ୍କ ସୁବିଧା ନିମନ୍ତେ କର୍ପୋରେଟର/କାଉନସିଲର ପ୍ରାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ଇଭିଏମ୍ ଉପରେ ଗୋଲାପି ରଙ୍ଗର ଗୋଲ୍ ଷ୍ଟିକର ଓ ଅଧ୍ୟକ୍ଷ/ମେୟର ପ୍ରାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ଇଭିଏମ୍ ଉପରେ ହଳଦିଆ ରଙ୍ଗର ଗୋଲ୍ ଷ୍ଟିକର ଲଗାଯିବ। ଏହା ଦ୍ୱାରା କେଉଁ ପ୍ରାର୍ଥୀଙ୍କୁ କେଉଁ ଇଭିଏମ୍ରେ ଭୋଟ ଦେବାକୁ ହେବ, ତାହା ସହଜରେ ଭୋଟରମାନେ ଜାଣିପାରିବେ। ପ୍ରତ୍ୟେକ ବୁଥ୍ ମଧ୍ୟରେ ମତଦାନ କରିବା ନିମନ୍ତେ ଦୁଇଟି ମତଦାନ ପ୍ରକୋଷ୍ଠ ରହିବ। ପ୍ରଥମେ ଭୋଟରମାନେ ପ୍ରଥମ ପ୍ରକୋଷ୍ଠକୁ ଯାଇ ଅଧ୍ୟକ୍ଷ/ମେୟର ପଦବି ନିମନ୍ତେ ଥିବା ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ଦ୍ୱିତୀୟ ପ୍ରକୋଷ୍ଠକୁ ଯିବେ। ସେଠାରେ କର୍ପୋରେଟର/କାଉନସିଲର ପଦବି ନିମନ୍ତେ ଥିବା ପ୍ରାର୍ଥୀଙ୍କୁ ଭୋଟ୍ ଦେବେ ବୋଲି ନିର୍ବାଚନ କମିସନ ନିଷ୍ପତ୍ତି ନେଇଛନ୍ତି। ସେହିପରି ପୌର ନିର୍ବାଚନରେ ଦୃଷ୍ଟିହୀନ ଭୋଟରଙ୍କ ପାଇଁ ବ୍ରେଲି ବାଲଟ ପେପର ବ୍ୟବସ୍ଥା କରାଯାଇଛି।
ଏଥର ଇଭିଏମ୍‌ରେ ଭୋଟ୍ ହେଉଥିବାରୁ ସମସ୍ତ ଜିଲ୍ଲାରୁ କିଛିକିଛି କର୍ମଚାରୀଙ୍କୁ ତାଲିମ୍ ଦିଆଯାଇଛି। ସେମାନେ ବାକି କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବେ। ସବୁ ଜିଲ୍ଲାକୁ ଇଭିଏମ୍ ଓ ନିର୍ବାଚନ ସରଞ୍ଜାମ ପଠାସରିଛି। ରାଜ୍ୟ ନିର୍ବାଚନ କମିସନ ୱାର୍ଡ ପୁନର୍ଗଠନ, ବୁଥ୍ ଓ ଭୋଟର ତାଲିକା ପ୍ରସ୍ତୁତି ଇତ୍ୟାଦି କାର୍ଯ୍ୟକୁ ଅନୁମୋଦନ କରିସାରିଥିବାରୁ ଏବେ କେବଳ ଆନୁଷ୍ଠାନିକ ଭାବେ ନିର୍ବାଚନ ତାରିଖ ଘୋଷଣା ବାକି ଥିଲା।

ସମ୍ବନ୍ଧିତ ଖବର